ଭୁବନେଶ୍ୱର, ୨୨୦୧୭ (ଓଡ଼ିଶାଲାଇଭ୍‌ ବ୍ୟୁରୋ): ବିଶିଷ୍ଟ ଚିତ୍ରଶିଳ୍ପୀ, ବର୍ଷୀୟାନ୍‍ ମଞ୍ଚ ଅଭିନେତା ଓ ନିର୍ଦ୍ଦେଶକ ତଥା ଲେଖକ ଅସୀମ ବସୁ ଆଉ ଆମ ଗହଣରେ ନାହାନ୍ତି।  ସ୍ଥାନୀୟ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଆଜି ସନ୍ଧ୍ୟାରେ ତାଙ୍କର ପରଲୋକ ହୋ‍ଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ହୋ‍ଇଥିଲା। ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ।

ଓଡ଼ିଶାର ଚିତ୍ରକଳା ଓ ମଞ୍ଚକଳା ଜଗତର ଜଣେ ଅତି ପରିଚିତ ନାଁ ଅସୀମ ବସୁ। ତାଙ୍କୁ ଜାଣିଥିବା ଲୋକେ ତାଙ୍କୁ ଅସୀମଦା’ ବା ଦାଦା ହିସାବରେ ଡ଼ାକୁଥିଲେ। ଆରମ୍ଭରୁ ଚିତ୍ରକଳା ଦୁନିଆକୁ ଆକର୍ଷିତ ହୋ‍ଇ ଆସିଥିବା ଏହି ମଣିଷଟି କେବଳ ଛବି ଆଙ୍କିବା ଭିତରେ ନିଜର ପ୍ରତିଭାକୁ ସୀମିତ କରି ରଖିନଥିଲେ। ତାଙ୍କ ପ୍ରତିଭାର କାନ୍‌ଭାସ୍‌ରେ ସେ ଆୟତ୍ତ କରିପାରିଥିଲେ ଚିତ୍ର ସହିତ ଅଭିନୟ ଏବଂ ନିର୍ଦ୍ଦେଶନା। ସେହିପରି ମଞ୍ଚକଳା କ୍ଷେତ୍ରରେ ଜଣେ ଅଦ୍ୱିତୀୟ ପ୍ରତିଭା ଥିଲେ ଅସୀମ ବସୁ।

ଅସୀମ ବସୁ ବିଭିନ୍ନ ନାଟକର ନିର୍ଦ୍ଦେଶନା ଦେବା ସହ ଅଭିନୟ ମଧ୍ୟ କରିଛନ୍ତି। ସେ ବହୁ ନାଟକରେ ଅଭିନୟ କରି ନାଟ୍ୟପ୍ରେମୀଙ୍କ ହୃଦୟରେ ରହିଛନ୍ତି। ଶ୍ରୀଯୁକ୍ତ ବସୁ ବିଭିନ୍ନ ଓଡ଼ିଆ ଚଳଚ୍ଚିତ୍ରରେ ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି। ସେହି ଚଳଚ୍ଚିତ୍ରଗୁଡ଼ିକ ହେଉଛି ‘ସପନ ବଣିକ’, ‘ମାଆ ମୋତେ ଶକ୍ତି ଦେ’, ‘ଇନ୍ଦ୍ରଧନୁର ଛାଇ’, ‘ଦାଦାଗିରି’ ଓ ‘ଆମେ ତ ଟୋକା ଷଣ୍ଡମାର୍କା’।

ସେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ଏକଦା ସେ ଚିତ୍ରଶିଳ୍ପୀ ହେବା ନିଶାରେ ଘରଛାଡ଼ି କଲିକତା ପଳାଇ ଯାଇଥିଲେ ଏବଂ ପରେ ପରେ ମଞ୍ଚରେ ଚିତ୍ରକଳାର ଡିଜାଇନ୍‌ କରୁ କରୁ ସେହି ମଞ୍ଚରେ ଅଭିନେତା ପାଲଟି ଯାଇଥିଲେ।

ଚଳିତ ବର୍ଷ ଧ‌ଉଳି-କଳିଙ୍ଗ ମହୋତ୍ସବରେ ‘ବୁଦ୍ଧ ସମ୍ମାନ’ ପ୍ରଦାନ ପାଇଁ ତାଙ୍କ ନାଁ ଘୋଷଣା କରାଯାଇଥିଲା। ହେଲେ, ସେହି ପୁରସ୍କାର ଗ୍ରହଣ କରିବାକୁ ସେ ରହିଲେ ନାହିଁ। ବସ୍ତୁତଃ  ତାଙ୍କୁ ଏହି ପୁରସ୍କାର ମରଣୋତ୍ତରଭାବେ ପ୍ରଦାନ କରାଯିବ।

ଗତ କିଛିଦିନ ତଳେ ତାଙ୍କ ଅସୁସ୍ଥତାର ଖବର ସୋସିଆଲ୍‍ ମିଡିଆରେ ପ୍ରସାରିତ ହେବା ପରେ ପ୍ରିଣ୍ଟ୍‍ ଓ ଅନ୍ୟାନ୍ୟ ଗଣମାଧ୍ୟମ ଏହାକୁ ନେଇ ଖବର ପରିବେଷଣ କରିଥିଲେ। ଫଳରେ ରାଜ୍ୟ ସଂସ୍କୃତି ବିଭାଗ ତାଙ୍କ ଚିକିତ୍ସା ପାଇଁ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ। ବୁଧବାର ସନ୍ଧ୍ୟାରେ ତାଙ୍କ ମୃତ୍ୟୁ ଖବର  ଗଣମାଧ୍ୟମରେ ପ୍ରସରିତ ହେବା ପରେ ଶହ ଶହ ସଂସ୍କୃତିପ୍ରେମୀ ସୋସିଆଲ୍‌ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିବୀ ଦେଖିବାକୁ ମିଳିଥିଲା।

ଜଣାଶୁଣା ଚିତ୍ରଶିଳ୍ପୀ ଚିନ୍ତାମଣି ବିଶ୍ୱାଳ ଅସୀମଦା’ଙ୍କ ରୂପଚିତ୍ର ପ୍ରସ୍ତୁତ କରିଛନ୍ତି। ସେହି ଜୀବନ୍ତ ଛବିଟି ଏହି ରିପୋର୍ଟ ସହ ଉପସ୍ଥାପନ କରାଯାଇଛି| ଅସୀମଦା’ଙ୍କ ମୃତ୍ୟୁ ପରେ ତାଙ୍କର ଏହି ଛବିଟି ସୋସିଆଲ୍‌ ମିଡିଆରେ ପ୍ରସାରିତ ହେବା ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *

*