ଭୁବନେଶ୍ୱର, ୨୪।୪।୨୦୧୭ (ଓଡିଶାଲାଇଭ୍ ବ୍ୟୁରୋ): ‘ରୁମ୍କୁ ଝୁମାନା’ ଚଳଚ୍ଚିତ୍ରରେ ଶିଶୁ କଳାକାରରୁ ନାୟିକା ପରିଚୟ ସୃଷ୍ଟି କରିଥିବା ଭୂମିକା ଏବେ ‘ତୁ ମୋ ଲଭ୍ଷ୍ଟୋରୀ’ରେ ଚମତ୍କାର ଅଭିନୟ କରି ସମସ୍ତଙ୍କ ମନ କିଣିଛନ୍ତି। ଭୂମିକାଙ୍କ ପ୍ରଥମ ଚଳଚ୍ଚିତ୍ର ’ରୁମ୍କୁ ଝୁମାନା’ରେ ତାଙ୍କର ଦରଦିଭରା ଅଭିନୟ ସେ ସମୟରେ ପ୍ରାୟ ଅଧିକାଂଶ ଦର୍ଶକଙ୍କ ମନ ଜିଣିଥିଲା।
ବର୍ତ୍ତମାନର ‘ତୁ ମୋ ଲଭ୍ଷ୍ଟୋରୀ’ ଚଳଚ୍ଚିତ୍ର ଟିନ୍ଏଜ୍ ଲଭ୍ଷ୍ଟୋରୀ ଉପରେ ଆଧାରିତ। ଏହି ଚଳଚ୍ଚିତ୍ରରେ ଭୂମିକାଙ୍କ ସାଙ୍ଗରେ ହିରୋ ଭୂମିକାରେ ଅଛନ୍ତି ସୂରଜ ବାରିକ। ଏହି ଚଳଚ୍ଚିତ୍ରରେ ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଭାର ତାପସ ସରଗରିଆ ତୁଲାଇଥିବା ବେଳେ ପ୍ରଯୋଜନା ଦେଇଛନ୍ତି ଦୀପକ କୁମାର ମିଶ୍ର। ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ପାଞ୍ଚଟି ଯାକ ଗୀତ ସୁପର୍ହିଟ୍ ହୋଇଛି।
ଭୂମିକାଙ୍କ ‘ରୁମ୍କୁ ଝୁମାନା’ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ ‘ତୁ ମୋ ଲଭ୍ଷ୍ଟୋରୀ’ ପାଇଁ ଆଉ ଏକ ସୁଯୋଗ ତିଆରି କରିଛି। ନିର୍ଦ୍ଦେଶକ ତାପସ ସରଗରିଆଙ୍କ ନିର୍ଦ୍ଦେଶନାରେ ଭୂମିକାଙ୍କ ଏହି ଚଳଚ୍ଚିତ୍ର ଦର୍ଶକମାନଙ୍କ ଆଦୃତି ସାଉଁଟିଛି।
ଭୂମିକା ଏବେ ନବମ ଶ୍ରେଣୀର ଛାତ୍ରୀ। ଆଗକୁ ଦଶମ ଶ୍ରେଣୀ ଥିବାରୁ ସେ ପଢାପଢି ପାଇଁ ବେଶ୍ ତତ୍ପର। ସେ ବର୍ତ୍ତମାନ ତାଙ୍କ କ୍ୟାରିୟର୍ ପାଇଁ ବେଶ୍ ଯତ୍ନବାନ୍ ଅଛନ୍ତି। ଏବେଠୁ ତାଙ୍କୁ ବିଭିନ୍ନ ଚଳଚ୍ଚିତ୍ରରେ ଅଭିନୟ ପାଇଁ ଅଫର୍ ଆସୁଥିଲେ ମଧ୍ୟ ପଢାପଢିକୁ ଆଖିରେ ରଖି ସେ ଏଯାବତ୍ କୌଣସି ନିଷ୍ପତ୍ତି ନେଇନାହାନ୍ତି।
‘ତୁ ମୋ ଲଭ୍ଷ୍ଟୋରୀ’ରେ ଭୂମିକା ଦୁଇଟି ଭୂମିକାରେ ଦର୍ଶକଙ୍କ ସାମନାକୁ ଆସିଛନ୍ତି। ଗୋଟିଏରେ ଶାନ୍ତ ସରଳ ଗାଉଁଲି ଝିଅ ଥିବା ବେଳେ ଅନ୍ୟଟିରେ ସମ୍ପୂର୍ଣ୍ଣ ବ୍ୟତିକ୍ରମ। ତଥାପି ସେ ଦୁଇଟି ଯାକ ଅଭିନୟକୁ ସୁଚାରୁରୂପେ ତୁଲାଇଛନ୍ତି।
ରାଉରକେଲାରେ ଜନ୍ମ ନେଇଥିବା ଭୂମିକା ବର୍ତ୍ତମାନ ଓଡ଼ିଶୀ ନୃତ୍ୟ ଗୁରୁ ପ୍ରଶାନ୍ତ ବେହେରାଙ୍କଠାରୁ ଶିଖୁଛନ୍ତି। ଏହା ସହିତ ତାଙ୍କର ଚିତ୍ର ଆଙ୍କିବା, ବକ୍ତୃତା ଦେବାରେ ଆଗ୍ରହ ରହିଛି।