-ନୀଳାମ୍ବର ରଥ

ଦିନେ ଓଡ଼ିଶାରେ କୁଇଜ୍‍ ପରମ୍ପରା ସ୍କୁଲ୍‍ କଲେଜ୍‍ ପିଲାଙ୍କ ମଧ୍ୟରେ ଏକ ଜବରଦସ୍ତ ଆକର୍ଷଣ ଥିଲା।  ଗଣମାଧ୍ୟମରେ କୁଇଜ୍‍ର ପ୍ରସାର ଏହି ଆକର୍ଷଣକୁ ବହୁଗୁଣିତ କରିଥିଲା।  ଖବରକାଗଜ ପୃଷ୍ଠାରେ ଜଣାଅଜଣା ନାଁରେ ହେଉ ବା ଟେଲିଭିଜନ ପରଦାରେ ସାପ୍ତାହିକ କାର୍ଯ୍ୟକ୍ରମ ମାଧ୍ୟମରେ କୁଇଜ୍‍ର ଲୋକପ୍ରିୟତା କେବଳ ଛାତ୍ରମାନଙ୍କ ମଧ୍ୟରେ ସୀମିତ ନଥିଲା।  ସାଧାରଣ ପାଠକ ଓ ଦର୍ଶକମାନଙ୍କ ମଧ୍ୟରେ କୁଇଜ୍‍ ପ୍ରତି ଆଗ୍ରହ ଏହାକୁ ଏକ ସ୍ୱତନ୍ତ୍ର ଧାରାରେ ପହଞ୍ଚାଇଥିଲା।  ଆଜି ସେହି ଧାରାର ଏକ ନୂଆ ରୂପ ହେଉଛି ଓଡ଼ିଶାରୁ ପ୍ରକାଶିତ ଇଂଲିଶ୍‍ ଦୈନିକ ଖବରକାଗଜ ’ଓଡିଶାପୋଷ୍ଟ’ ଦ୍ୱାରା ଆୟୋଜିତ ବାର୍ଷିକ କୁଇଜ୍‍ କାର୍ଯ୍ୟକ୍ରମ ’ମେଟଲ୍‍ ମିଟ୍‍’।

ଗତ ଗୋଟିଏ ଦଶନ୍ଧି ଧରି ଟେଲିଭିଜନ୍‍ର ବ୍ୟାପକ ଲୋକପ୍ରିୟତା ଆମ ଜୀବନଧାରା ଉପରେ ଅନେକ ପ୍ରଭାବ ପକାଇଛି।  ଏହି ପ୍ରଭାବ  ଯୁବପିଢିମାନଙ୍କ ଜୀବନଧାରା, ରୁଚି ଏବଂ ଅଭ୍ୟାସକୁ କେତେକ କ୍ଷେତ୍ରରେ ଗଭୀର ଭାବେ ପ୍ରଭାବିତ କରୁଛି।  ତେଣୁ ଟେଲିଭିଜନ୍‍ର ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମର ଧାରା ଭିତରେ ବୌଦ୍ଧିକ କୁଇଜ୍‍ କାର୍ଯ୍ୟକ୍ରମ ପଛକୁ ଚାଲିଯାଇଛି।  ସେହି ଜାଗାରେ ଆଜି ବିଭିନ୍ନ ପ୍ରକାର ଟ୍ୟାଲେଣ୍ଟହଣ୍ଟ କାର୍ଯ୍ୟକ୍ରମ (ମୁଖ୍ୟତଃ ସଙ୍ଗୀତ ଓ ନୃତ୍ୟଭିତ୍ତିକ) ନୂତନ ଆକର୍ଷଣ ରୂପେ ବିଭିନ୍ନ ବୟସ ଓ ବର୍ଗର ଦର୍ଶକଙ୍କୁ ପାଗଳ କରିଦେଇଛି।

ଏଭଳି ଏକ ସମୟରେ ଓଡିଶାପୋଷ୍ଟର ’ମେଟଲ୍‍ ମିଟ୍‍’ ରାଜ୍ୟରେ କୁଇଜ୍‍ ପ୍ରତି ଆଉଥରେ ଆଗ୍ରହ ସୃଷ୍ଟି କରିବା ପାଇଁ ଏକ ବଡ଼ ଉଦ୍ୟମ ବୋଲି କହିଲେ ଭୁଲ୍‍ ହେବ ନାହିଁ।  ଏହି ଇଂଲିଶ୍‍ ଖବରକାଗଜର ପଞ୍ଚମ ବାର୍ଷିକ ଉତ୍ସବ ଅବସରରେ ୨୦୧୬ ମସିହାରେ ଆରମ୍ଭ ହୋ‍ଇଥିଲା ’ମେଟଲ୍‍ ମିଟ୍‍’।  ସେହି ବର୍ଷ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।  ୧୬ଟି ଟିମ୍‍ ମଧ୍ୟରୁ ତିନୋଟି ଟିମ୍‍ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ।  ଓଡିଶାପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ଏବଂ ଏହାର ସିଇଓ ଆଦ୍ୟାଶା ସତପଥୀ ଖୋଜିଖାଜି ଯେଉଁ କୁଇଜ୍‍ ମାଷ୍ଟରଙ୍କୁ ବାଙ୍ଗାଲୋରରୁ ଆବିଷ୍କାର କରିଥିଲେ ସେ ପାଲଟିଛନ୍ତି ଏହି କାର୍ଯ୍ୟକ୍ରମର ଏକ ବଡ଼ ଆକର୍ଷଣ।  ଏହି କୁଇଜ୍‍ ମାଷ୍ଟର ଭେଙ୍କଟେଶ୍‍ ଶ୍ରୀନିବାସନ୍‍ ଯେ କି ଭେଙ୍କି ନାଁରେ କୁଇଜ୍‍ ଜଗତରେ ପରିଚିତ ଜଣେ ତରୁଣ ତଥା ଦକ୍ଷ କୁଇଜ୍‍ ପରିଚାଳକ।  ମେଟଲ୍‍ ମିଟ୍‍ ୨୦୧୭ ଅବସରରେ ଭେଙ୍କି ପ୍ରତିଯୋଗୀମାନଙ୍କ ପାଇଁ ତାଙ୍କ କୁହୁକ ପେଡ଼ି ନେଇ ଆସିଛନ୍ତି।

ମେଟଲ୍‍ ମିଟ୍‍ ୨୦୧୭ର ପ୍ରିଲିମ୍ସ ରାଉଣ୍ଡ କିଛି ସମୟ ତଳେ ଆରମ୍ଭ ହୋ‍ଇଛି।  ଭୁବନେଶ୍ୱରର ଇଡ୍‌କଲ୍‍ ଅଡିଟୋରିୟମ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଆସିଥିବା ପିଲାମାନଙ୍କର ଉଜ୍ଜ୍ୱଳ ଚେହେରା ଦେଖିଲେ ଖୁସି ଲାଗୁଛି।  ମନେହେଉଛି ଓଡ଼ିଶାରେ କୁଇଜ୍‌ର ପରମ୍ପରା ପୁଣି ଥରେ ନୂଆ ରୂପ ପାଉଛି।  ଧନ୍ୟବାଦ ମେଟାଲ୍‍ ମିଟ୍‍।  ଧନ୍ୟବାଦ ଓଡିଶାପୋଷ୍ଟ।

ଗତବର୍ଷ ମେଟଲ୍‍ ମିଟ୍‍ର ପ୍ରଥମ ସଂସ୍କରଣ ବେଳେ ୧୬ଟି ଟିମ୍‍ ଅଂଶଗ୍ରହଣ କରିଥିଲେ।  ତେବେ ଚଳିତବର୍ଷ ଏହି ସଂଖ୍ୟା ୭୧ରେ ପହଞ୍ଚି ଏକ ନୂଆ ରେକର୍ଡ ସୃଷ୍ଟି କରିଛି।  ରାଜ୍ୟର ୪୫ଟି ଶିକ୍ଷାନୁଷ୍ଠାନର ୨୮୪ ଜଣ ଛାତ୍ରଛାତ୍ରୀ ଏହି ବୌଦ୍ଧିକ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି।  ଚଳିତ ବର୍ଷ  ପିଲାମାନଙ୍କ ମଧ୍ୟରେ ଦକ୍ଷତା ମାପିବା ବ୍ୟବସ୍ଥାକୁ ସରଳ ଅରିବା ପାଇଁ ଜୁନିୟର୍‍ ଓ ସିନିୟର୍‍ ଦୁଇଟି ବିଭାଗରେ ବିଭକ୍ତ କରାଯାଇଛି।  ଜୁନିୟର୍‍ ଗ୍ରୁପ୍‌ରେ ୨୦ଟି ଶିକ୍ଷାନୁଷ୍ଠାନର ପିଲାମାନେ ଆସିଥିବା ବେଳେ ସିନିୟର୍‌ ଗ୍ରୁପ୍‌ରେ ୨୫ଟି ଅନୁଷ୍ଠାନର ପ୍ରତିଯୋଗୀମାନେ ରହିଛନ୍ତି।  ରାଜ୍ୟର ଆଗଧାଡ଼ିର ସ୍କୁଲ୍‍, ଇଞ୍ଜିନିୟରିଂ କଲେଜ, ମେଡିକାଲ୍‍ କଲେଜ ଓ ବିଭିନ୍ନ ବିଜ୍‌ନେସ୍‌ ସ୍କୁଲ୍‍ ଏଥିରେ ଅଂଶଗ୍ରହଣ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଓଡିଶାଲାଇଭ୍‍ ପାର୍ଟନର ହିସାବରେ ଯୋଗ ଦେଇଥିବାରୁ ମୋତେ ଖୁସି ଲାଗୁଛି।  ବିଶେଷକରି ତା’ଠାରୁ ଅଧିକ ଆନନ୍ଦର କଥା ଥିଲା ଯେତେବେଳେ ଏକ ଆଲୋଚନା ବେଳେ ଆଦ୍ୟାଶା କହୁଥିଲେ ଯେ ଗତବର୍ଷ କୁଇଜ୍‌ରେ ଓଡ଼ିଶାର ପିଲାମାନଙ୍କର ବୁଦ୍ଧିମତ୍ତା ଓ ଦକ୍ଷତା କୁଇଜ୍‍ ମାଷ୍ଟର ଭେଙ୍କିଙ୍କୁ ଚମକାଇ ଦେଇଥିଲା।  ଓଡ଼ିଶାର ଛାତ୍ରଛାତ୍ରୀମାନେ କୌଣସି ଜାତୀୟ ଓ ଅନ୍ତର୍ଜାତୀୟ କୁଇଜ୍‌ ପ୍ରତିଯୋଗିତା ପାଇଁ ଯେ ପ୍ରସ୍ତୁତ ଏଥିରେ କୌଣସି ସନ୍ଦେହ ନାହିଁ।

ମେଟଲ୍‍ ମିଟ୍‍ କାର୍ଯ୍ୟକ୍ରମରେ ଜୁନିୟର୍‍ ଓ ସିନିୟର୍‍ ବର୍ଗରେ ୬ଟି ଟିମ୍‍କୁ ପୁରସ୍କୃତ କରାଯିବ।  ମୋଟ୍‍ ପୁରସ୍କାର ରାଶି ରହିଛି ୩.୫ ଲକ୍ଷ ଟଙ୍କା।  ବିଶେଷକରି ପ୍ରଥମ ସ୍ଥାନ ଅଧିକାର କରୁଥିବା ପ୍ରତ୍ୟେକ ଟିମ୍‍କୁ ୧ ଲକ୍ଷ ଟଙ୍କା ଏକ ଆକର୍ଷଣୀୟ ରାଶି ବୋଲି କୁହାଯାଇପାରେ।  ଆଜିର ପ୍ରିଲିମ୍‌ ରାଉଣ୍ଡରେ ଜୁନିୟର ଓ ସିନିୟର ବର୍ଗ ମଧ୍ୟରେ ୮ଟି କରି ଟିମ୍‍ ଫାଇନାଲ୍‌କୁ ଯିବେ। ଏହି ଚୂଡ଼ାନ୍ତ ପ୍ରତିଯୋଗିତା ଗ୍ରାଣ୍ଡ ଫିନାଲେ ଆସନ୍ତା କାଲି ଭୁବନେଶ୍ୱରସ୍ଥିତ ସ୍ୱସ୍ତି ପ୍ରିମିୟମ୍‍ ଠାରେ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମର ଲାଇଭ୍‌ ଷ୍ଟ୍ରିମିଂ ହେଉଥିବାରୁ ମେଟଲ୍‍ ମିଟ୍‌ର ଅସଲ ଲଢେଇ ଦର୍ଶକମାନେ ପୃଥିବୀର ଯେ କୌଣସି କୋଣରେ ବସି ଦେଖିପାରିବେ।

କୁଇଜ୍‌ ପରମ୍ପରାର ଜୟ ହେଉ!

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ଓଡ଼ିଶାଲାଇଭ୍‌ ୱେବ୍‍ ଚ୍ୟାନେଲ୍‍ର ପ୍ରତିଷ୍ଠାତା ସମ୍ପାଦକ)

Leave a Reply

Your email address will not be published. Required fields are marked *

*