-ନୀଳାମ୍ବର ରଥ

ଗୁଣନିଧି ନାୟକ। ବୟସ ପାଖାପାଖି ପଚାଶ। ବ୍ୟବସାୟ ପୁରୁଣା ଜମାନାରେ ଲୋକପ୍ରିୟ ଥିବା ଗଟିଂବାଲା ସୋଫା ମରାମତି। ଗଟିଂ କାମ ନଥିଲେ ଆଉ ଯାହା କାମ ମିଳିଲା – ହୋଇପାରେ କାହା ଘର ନିଅଁ ଖୋଳା।

ଆଜି ଆମେ କଥା କଥାକେ ଡିଜିଟାଲ୍ ମିଡିଆ, ଡିମନିଟାଇଜେସନ, ମେକ୍ ଇନ୍ ଇଣ୍ଡିଆ ବା ସ୍କିଲ୍ ଡେଭଲପମେଣ୍ଟ କଥା କହୁଛୁ। ଗୁଣନିଧିଙ୍କ ଜମାନାରେ ଏସବୁ କିଛି ନଥିଲା। ପାଠରେ ମନ ନଥିବା ଗୁଣନିଧି ଟାଣିଟୁଣି ହୋଇ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଯାଇଥିଲେ। ସେ ଭିତରେ ପୁଣି କୋଉ କ୍ଲାସରେ କେତେ ଥର ଅଟକିଥିଲେ ତାଙ୍କର ଆଉ ମନେନାହିଁ। ହେଲେ ମନେଅଛି ସେ କେମିତି ଆସିଲେ ଏହି ଗଟିଂ ସିଲେଇ ଦୁନିଆକୁ।

‘‘ମୁଁ ସେତେବେଳେ ଦଶମ ଶ୍ରେଣୀ ପରୀକ୍ଷା ଦେଉଥାଏ। ଜଟଣୀରେ ଜଣେ ଅନ୍ଧ ଲୋକ ସୋଫାରେ ଗଟିଂ କାମ କରୁଥିବା ଦେଖି ମୋତେ ଭଲ ଲାଗିଥିଲା। ଯଦି ଆଖି ନଥାଇ ଜଣେ ଲୋକ ଏମିତି ସୁନ୍ଦର ଭାବେ ସୋଫାରେ ଗଟିଂ ବାନ୍ଧିପାରୁଛି ମୁଁ କାହିଁ ପାରିବିନି?’’ କହନ୍ତି ଗୁଣନିଧି।

ସେହିଠାରୁ ଆରମ୍ଭ ହୁଏ ଗୁଣନିଧିଙ୍କ ଗଟିଂ କାରିଗରି ନିଶା। ୧୯୬୮ ମସିହାରେ ଗୁଣନିଧି ଦଶମ ଶ୍ରେଣୀ ପରୀକ୍ଷା ଦେଇ ଫେଲ୍ ହେଲେ। ସେଇଠି ପାଠରେ ଡୋରି ବନ୍ଧା ହେଲା। ହେଲେ ତାଙ୍କ ମନର ଡୋରି ସୋଫାର ବିଭିନ୍ନ ଡିଜାଇନ୍‌ର ଗଟିଂ ଭିତରେ ବାନ୍ଧି ହୋଇଗଲା।

ଭୁବନେଶ୍ୱର ସହରତଳି ଜାଆଁଳା ଅଞ୍ଚଳର ବାସିନ୍ଦା ଗୁଣନିଧି ନାୟକ। ଆଜିବି ଡକରା ପାଇଲେ ବଡ଼ ଆନନ୍ଦରେ ଧାଇଁ ଆସନ୍ତି ଯେ କୌଣସି ପୁରୁଣା, ଦଶ ଥର ରଙ୍ଗମରା ଏପରିକି ଧତରା ଗଟିଂବାଲା ସୋଫାରେ ପୁଣି ଜୀବନ ଖଞ୍ଜିବାକୁ। ତାଙ୍କ ହାତ ଏମିତି ଯେ କଥା କହୁ କହୁ ସୋଫାରେ ଭରିଯାଏ ପ୍ଲାଷ୍ଟିକ୍‌ର ତାର ଓ ପୁରୁଣା ସୋଫା ପ୍ରସ୍ତୁତ ହୋଇଯାଏ ଆପଣଙ୍କ ଅତିଥିମାନଙ୍କୁ ସ୍ୱାଗତ କରିବା ପାଇଁ।

‘‘ଆଜ୍ଞା ଆଗରୁ ଘରେ ଘରେ ଏହି ଗଟିଂବାଲା ସୋଫା ଭର୍ତ୍ତି ହୋଇଥିଲା। ସେତେବେଳେ ଆମର ଭାରି ଡିମାଣ୍ଡ୍। ବେଳ ନଥାଏ କାମ କରିବାକୁ। କେତେ ଡିଜାଇନ୍, କେତେ ପାଟର୍ନ ପାଇଁ ଗ୍ରାହକଙ୍କ ବରାଦ। ହେଲେ ସେ ଯୁଗ ଆଉ କାହିଁ? ଆଜି କାହା କାହାର ଘର ବାଡିପଟେ ସେ ପ୍ରକାର ସୋଫା ପଡ଼ିଥିବ କି କୋଉଠି ଚିରା ହୋଇ ଜାଳ ହୋଇଯିବଣି’’, ସେକାଳର ଗଟିଂବାଲା ସୋଫାର କାହାଣୀ କହିବା ଭିତରେ ଦିଶିଯାଏ ଗୁଣନିଧିଙ୍କ ସ୍କିଲ୍। ହାଇସ୍କୁଲରେ ଗଣିତ, ସାହିତ୍ୟ କି ବିଜ୍ଞାନ ସିନା ହେଲାନି, କିନ୍ତୁ ଏ ପ୍ରକାର ଦକ୍ଷତା ବିକାଶ ପାଇଁ ତାଙ୍କୁ ବେଶୀ ଦିନ ଲାଗିନଥିଲା।

ଆଜି ଗୁଣନିଧିଙ୍କ ସେ ଦକ୍ଷତାର କିଛି ହୁଏତ ମାନେ ନାହିଁ। କାରଣ ଦଶ ପନ୍ଦର ଦିନରେ କୋଉଠୁ ଗୋଟେ କାମ ମିଳିଲେ ବଡ଼ କଥା। ତେଣୁ ଯେତେବେଳେ ସେ କାମ ନାହିଁ ମାଟି କାମ ମିଳିଲେ ମଧ୍ୟ ଜୀବନ ଜୀବିକା ପାଇଁ କରିବାକୁ ହେବ।

କିନ୍ତୁ ଜୀବନର ଚାପ ଭିତରେ ପେସି ଚୁରମାର ହୋଇଯାଇନାହାନ୍ତି ଗୁଣନିଧି ନାୟକ। ତାଙ୍କର ତିନି ପୁଅ। ବଡ଼ ରଙ୍ଗ କାମ କରେ। ମଝିଆଁ ଡିପ୍ଲମା ଇଞ୍ଜିନିୟରିଂ ପଢ଼ୁଛି। ସାନର ଯୁକ୍ତ ଦୁଇ ପ୍ରଥମ ବର୍ଷ। ଗୁଣନିଧି ଚାହାନ୍ତି ତାଙ୍କ ପିଲାମାନେ ସେମାନଙ୍କ ଦକ୍ଷତାର ଓ ପସନ୍ଦର ଧନ୍ଦା ନିଜ ପାଇଁ ବାଛି ନିଅନ୍ତୁ।

ଆମ ଦେଶରେ ଏ ପର୍ଯ୍ୟନ୍ତ ‘ଶ୍ରମ ପ୍ରତି ସମ୍ମାନ’ (ରେସପେକ୍ଟ ଫର୍ ଲେବର) ମିଳିନାହିଁ। ସେହିପରି ଅନେକ ସମୟରେ ଦକ୍ଷତା ବିକାଶ କ୍ଷେତ୍ରରେ ମଧ୍ୟ ଉଚ୍ଚ ନିଚ୍ଚ ଓ ବାଛ ବିଚାର ଜଳଜଳ ହୋଇ ଦିଶିଯାଉଛି। ଗୁଣନିଧିଙ୍କ ଜୀବନ କାହାଣୀରୁ ଆମ ସମସ୍ତଙ୍କୁ ନିଶ୍ଚୟ କିଛି ଶିଖିବାର ଅଛି।

ସଂପାଦକ, ଓଡ଼ିଶାଲାଇଭ୍

rath.nilambar@gmail.com

Leave a Reply

Your email address will not be published. Required fields are marked *

*