-ନୀଳାମ୍ବର ରଥ

ଭୁବନେଶ୍ୱର, ୭ ଏପ୍ରିଲ୍‍ ୨୦୧୭:

ପଖାଳ ଖାଅ କି ପିଜା, କିଛି ଅର୍ଥତତ୍ତ୍ୱ ବୁଝିବା ଜରୁରୀ।

ଆଜିର ସମ୍ଭବତଃ ସବୁଠୁ ବଡ଼ ଖବର ହେଉଛି ଅର୍ଥତତ୍ତ୍ୱ ଚିଟ୍‍ଫଣ୍ଡ ଠକେଇ ମାମଲାର ରାୟ। ଏହି ମାମଲାରେ ଅର୍ଥତତ୍ତ୍ୱ ବା ଏଟି ଗ୍ରୁପ୍‍ର ମୂଳମେଢି ପ୍ରଦୀପ ସେଠୀଙ୍କୁ ସାତ ବର୍ଷ ଜେଲ୍‍ ଦଣ୍ଡ ଘୋଷଣା ହୋ‍ଇଛି। ତା’ ସାଙ୍ଗକୁ ୩୦ ହଜାର ଟଙ୍କାର ଜୋରିମାନା। ଜୋରିମାନା ଆଦାୟ ନ ହୋ‍ଇପାରିଲେ ତାଙ୍କୁ ଅଧିକ ୬ ମାସ ଜେଲ୍‍ ଦଣ୍ଡ ଭୋଗିବାକୁ ହେବ।

ପ୍ରଦୀପଙ୍କ ସହିତ ତାଙ୍କ ସାଥି ମନୋଜ ପଟ୍ଟନାୟକଙ୍କୁ ମଧ୍ୟ କୋର୍ଟ ଦୋଷୀ ସାବ୍ୟସ୍ତ କରି ଦଣ୍ଡବିଧାନ କରିଛନ୍ତି। ତାଙ୍କର ଜେଲ୍‍ ସମୟସୀମା ୪ ବର୍ଷ ଓ ୧୦ ହଜାର ଟଙ୍କା ଜୋରିମାନା।

ଅବଶ୍ୟ ତା’ ସହିତ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଜମାକାରୀଙ୍କ ଟଙ୍କା ବାବଦରେ ୨୫୦ କୋଟି ଟଙ୍କା ଜମା ଦେବାକୁ। ପ୍ରଦୀପ ସେଠୀଙ୍କ କମ୍ପାନୀ ତାହା ଜମା କରିନପାରିଲେ ସିବିଆଇ ଜବତ କରିଥିବା ତାଙ୍କ ସମ୍ପତ୍ତି ବିକ୍ରି କରି ସେଥିରୁ ପ‍ଇସା ଉଠାଇବ। ଏଥିରୁ କେତେ ପ‍ଇସା ଉଠିବ ସେକଥା ସିବିଆଇକୁ ଜଣା!

କେଡ଼େ ସହଜରେ କଥାଟି ତୁଟିଗଲା! ଶହ ଶହ ନିରୀହ ଜମାକାରୀଙ୍କ ସଞ୍ଚୟ, ସ୍ୱପ୍ନ ଓ ଜୀବନ ସହିତ ଖେଳ ଖେଳୁଥିବା ଲୋକ ପାଇଁ ଦଣ୍ଡବିଧାନ ହୋ‍ଇଗଲା। ଚିଟ୍‍ଫଣ୍ଡର ଆଉ ଯେଉଁ ସବୁ ସଂସ୍ଥାମାନେ ଭିତରେ ଓ ବାହାରେ ଅଛନ୍ତି ଆଗାମୀ ଦିନରେ ହୁଏତ ସେମାନଙ୍କ କିସ୍‍ସା ପଡ଼ିବ। ଏଭଳି ଦଣ୍ଡବିଧାନ ପରେ ଆଉ ବୋଧେ ଆମ ରାଜ୍ୟରେ ଏବଂ ଓଡ଼ିଶା ଭଳି ଏ ଦେଶର କୌଣସି ପ୍ରଦେଶରେ କେହି ଲୋକ ଗରିବଙ୍କ ପେଟକଟା ଧନ ପଙ୍ଗତ କରିବାକୁ ସାହସ କରିବେନି!

ସ୍ୱଳ୍ପ ସଞ୍ଚୟ ପାଇଁ ଆମ ଦେଶରେ ବହୁତ ବ୍ୟବସ୍ଥା ରହିଛି। ଡାକଘର ସ୍ୱଳ୍ପ ସଞ୍ଚୟ ଯୋଜନା, ସାଧାରଣ ଜମା ଖାତା, ବ୍ୟାଙ୍କ୍‍ ମାଧ୍ୟମରେ ଜମା ଖାତା ଖୋଲିବା ବା ସ୍ୱଳ୍ପମିଆଦି ସ୍ଥାୟୀ ଜମା, ଜମା ସାଙ୍ଗକୁ ବୀମା ବ୍ୟବସ୍ଥା – ଏଭଳି ଅନେକ। କିନ୍ତୁ ମୁଁ ଭାବିପାରେନି ଏତେ ସବୁ ସୁଯୋଗ ଥିବା ସତ୍ତ୍ୱେ ଗାଁ ଗହଳର ବା ସହରର ସାଧାରଣ ଏବଂ ଅସାଧାରଣ ଲୋକମାନେ କାହିଁକି ଓ କିଭଳି ପ୍ରଦୀପ ସେଠୀଙ୍କ ଅର୍ଥତତ୍ତ୍ୱ ଭଳି ସଂସ୍ଥାର ପାଲରେ ବା ଜାଲରେ ବା ଖାଲରେ ପଡ଼ନ୍ତି! ଅବଶ୍ୟ ଏକଥା ସତ ଯେ କୌଣସି ବ୍ୟକ୍ତି ଜାଣିଶୁଣି କୌଣସି ପାଲ, ଜାଲ ବା ଖାଲରେ ପଡ଼ିବାକୁ ଚାହେଁ ନାହିଁ। ସେଥିପାଇଁ ତ ମୁଁ ଆରମ୍ଭରୁ କହିଛି  ‘ପଖାଳ ଖାଅ କି ପିଜା, କିଛି ଅର୍ଥତତ୍ତ୍ୱ ବୁଝିବା ଜରୁରୀ’। ନ ଜାଣିଲେ ଯାହା ହେବ କଥା ହେବ।

ଜଣେ ସାମ୍ବାଦିକ ହିସାବରେ ସମାଜର ବିଭିନ୍ନ ଶ୍ରେଣୀ, ଗୋଷ୍ଠୀ ଓ ମାନସିକତାର ଲୋକଙ୍କ ସହ ମିଶିବାର ସୁଯୋଗ ଏହି ଲେଖକ ପାଇଛି। କିନ୍ତୁ ଏବେ ବି ମୁଁ ବିଶ୍ୱାସ କରିପାରେ ନାହିଁ ଯେ ଶହେ ଟଙ୍କାକୁ ଛଅ ମାସରେ କି ବର୍ଷକରେ ଦୁଇ ଶହ ଟଙ୍କା କରିଦେବେ କହି ଯେଉଁମାନେ ସ୍ୱପ୍ନ ବିକନ୍ତି, ସେମାନଙ୍କ ପାଖରେ ଲୋକେ କିଭଳି ବେକ ଦେଖାଇ ଦିଅନ୍ତି। ଅର୍ଥତତ୍ତ୍ୱ, ସିସୋର୍‍ଠାରୁ ଓସ୍କାର ପର୍ଯ୍ୟନ୍ତ କେତେ ସଂସ୍ଥା କେତେ ବର୍ଷ ଧରି ଓଡ଼ିଶା ଏବଂ ଭାରତର ବିଭିନ୍ନ ରାଜ୍ୟରେ କେତେ କୋଟି ଟଙ୍କାର ବେପାର କରି କେତେ ଲୋକଙ୍କୁ ଫସାଇଛନ୍ତି ତା’ର ବାସ୍ତବିକ୍‍ ହିସାବ କାହା ପାଖରେ ନାହିଁ। କିନ୍ତୁ ଦୁର୍ଭାଗ୍ୟର କଥା, ମୋର ମନେହୁଏ ଯେ ଏତେ ସବୁ ଘଟଣା ପରେ ଏବେବି ବିଭିନ୍ନ ସ୍ଥାନରେ ଏଭଳି ଚିଟ୍‍ଫଣ୍ଡ (ଠକଫଣ୍ଡ) ସଂସ୍ଥା ଚାଲିଛି ଓ ଲୋକମାନେ ତାଙ୍କ ଝାଳବୁହା ଧନ ବା ପେନ୍‍ସନ୍‍ ପ‍ଇସା ବା ଜମିବିକା ଟଙ୍କା କିମ୍ବା ଝିଅ ବାହାଘର ପାଇଁ ଦୀର୍ଘ ବର୍ଷରୁ ସଞ୍ଚୟ କରି ଆସୁଥିବା ପ‍ଇସାକୁ ଦିଗୁଣା କରିବା ଆଶାରେ ଏହି ଠକପୁରୁଷମାନଙ୍କ ଆକାଉଣ୍ଟରେ ଜମା କରି ଚାଲିଛନ୍ତି।

ଅର୍ଥତତ୍ତ୍ୱର ପ୍ରଦୀପ ସେଠୀ ହୁଅନ୍ତୁ କିମ୍ବା ସିସୋର୍‌ର ପ୍ରଶାନ୍ତ ଦାଶ, ସେମାନେ ସାଧାରଣ ଜମାକାରୀଙ୍କ ଅର୍ଥକୁ ଆଣି କେଉଁ କେଉଁ ରାସ୍ତାରେ ବିନିଯୋଗ କରୁଥିଲେ ଏବଂ ପ୍ରଦେଶ, ଦେଶ ଓ ବିଦେଶରେ କିଭଳି ଭାବରେ ଆଚରଣ ଓ ବିଚରଣ କରୁଥିଲେ ସେ ବିଷୟରେ ଅନେକ ତଥ୍ୟ ଓ ରୋଚକ କାହାଣୀ ଲୋକଙ୍କୁ ଜଣା ଅଛି। କିନ୍ତୁ ସାଧାରଣ ମଣିଷର ମନେ ରଖିବାର ଶକ୍ତି ସୀମିତ ହୋ‍ଇଥିବାରୁ ଆମେ ସେସବୁ କଥାକୁ ଭୁଲିଯାଇ ପୁଣି କାହାର ଆର୍ଥିକ ସାମ୍ରାଜ୍ୟ ବିକାଶ କ୍ଷେତ୍ରରେ ନିର୍ବୋଧ ଓ ପଣ୍ୟ ବସ୍ତୁ ପାଲଟିଯାଉଛୁ।

ଗୋରାମାନେ ଦିନେ ଭାରତକୁ ‘ସାପୁଆ କେଳାଙ୍କ ଦେଶ’ ବୋଲି କହିବାକୁ ପଛାଇ ନଥିଲେ। କିନ୍ତୁ ଆଜି ବି ଆମ ସମାଜର କିଛି ଲୋକ ସୁନାମୁଣ୍ଡା ଆବିଷ୍କାର କରିବା ଲୋଭରେ ନିଜ ଘର ଖୋଳିବା, ହନୁମାନ ପ‍ଇସା ଲୋଭରେ କାହା ପଛରେ ବୁଲିବା ଘଟଣା ଦେଖିଲେ ମନେହୁଏ ସେମାନେ ହୁଏତଃ କିଛି ଭୁଲ୍‍ କହିନଥିଲେ। ଏବେବି ଦଳେ ବେପାରୀ ଜମାକାରୀଙ୍କ ଅର୍ଥରେ ବୃକ୍ଷରୋପଣ କରି ବା ଛେଳି ଚାରଣ କରି ତାକୁ ସଞ୍ଚଯ ଓ ବିନିଯୋଗର ଏକ ବଡ଼ ମଡେଲ୍‍ ବୋଲି କହି ସ୍ୱପ୍ନ ବିକି ଚାଲିଛନ୍ତି। ଆଉ ଯେଉଁ ଲୋକମାନେ ସାମାନ୍ୟ ଅର୍ଥତତ୍ତ୍ୱ ନ ବୁଝି ବା କୌଣସି ଲୋକଙ୍କ ସହ ପରାମର୍ଶ ନକରି ସେହି ସ୍ୱପ୍ନର ଡ଼ଙ୍ଗାରେ ସବାର ହେଉଛନ୍ତି ସେମାନଙ୍କ ପିଠିରେ ଯେ କେହି ପଡ଼ିବେନି, ଏଥିରେ ସନ୍ଦେହ ନାହିଁ।

ଅର୍ଥତତ୍ତ୍ୱ ଚିଟ୍‍ଫଣ୍ଡ ଠକେଇ ମାମଲାରେ ପ୍ରଦୀପ ଓ ତାଙ୍କ ସହଯୋଗୀଙ୍କୁ ଦଣ୍ଡବିଧାନ ଘଟଣା କାହା ଉପରେ କଣ ପ୍ରଭାବ ପକାଇଛି ବା ପକାଇବ, ତାହା ଭିନ୍ନ କଥା। କିନ୍ତୁ ଯଦି ଏଭଳି ଘଟଣା ପରେ ଆମ ଲୋକେ ଏହି ଠକ ସଂସ୍ଥାଙ୍କଠାରୁ ମୁହଁ ମୋଡ଼ିବେ, ତାହେଲେ ଏ ଜାତିର କିଛିଟା ପୂଣ୍ୟ ହେବ ବୋଲି ମୁଁ ବିଚାର କରିବି।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ଓଡ଼ିଶାଲାଇଭ୍‌ ୱେବ୍‍ ଚ୍ୟାନେଲ୍‍ର ପ୍ରତିଷ୍ଠାତା ସମ୍ପାଦକ)

Leave a Reply

Your email address will not be published. Required fields are marked *

*