ଦିଲିପ କୁମାର ବିଷୋୟୀ

ଓଡ଼ିଆ ଅସ୍ମିତାର, ଓଡ଼ିଆ ସ୍ୱାଭିମାନର ପ୍ରବୀଣ ପ୍ରବକ୍ତା ବିଜୁ ପଟ୍ଟନାୟକ, ଯାହାଙ୍କ ନାମ ଏ ଜାତି ଆଜି ବି ସ୍ମରଣ କରିଥାଏ ଶତ ଶ୍ରଦ୍ଧାରେ।

ସ୍ୱାଧୀନତା ପୂର୍ବ ଓଡ଼ିଶାର ଅର୍ଥନୀତିରେ ବେରୋଜଗାରୀ ଥିଲା ଏ ଭୂଖଣ୍ଡର ଦାରିଦ୍ର୍ୟର କାରଣ। କୃଷି କ୍ଷେତ୍ରରେ ବିଶେଷ ସମ୍ଭାବନା ନଥିଲା। ରୋଜଗାର ଅଭାବରୁ ଏ ରାଇଜର ଯୁଆନ ପୁଅ ଦାଦନ ପାଇଁ ଭିଟାମାଟି ଛାଡି ଚାଲି ଯାଉଥିଲେ। ଏହି କଥା ବିଚଳିତ କରିଥିଲା ବିଜୁବାବୁଙ୍କୁ।

ଶିଳ୍ପାୟନ ଏକମାତ୍ର ପନ୍ଥା ଥିଲା ଏ ପରିସ୍ଥିତିରୁ ରାଜ୍ୟକୁ ଉଦ୍ଧାର କରିବା ପାଇଁ। ଏଣୁ ବିଜୁ ପଟ୍ଟନାୟକ ଚିନ୍ତା କରିଥିଲେ ଏକ ଶିଳ୍ପ ସମୃଦ୍ଧ ଓଡ଼ିଶାର।

ହେଲେ ଅଭାବ ଅନଟନରେ ଜୀବନ କାଟୁଥିବା ଏ ରାଜ୍ୟରେ ଉଦ୍ୟୋଗୀଙ୍କର ଥିଲା ଘୋର ଅଭାବ। ଏହି କଥା ଉପଲବ୍ଧି କରି ନିଜେ ଆରମ୍ଭ କରିଥିଲେ ଓଡ଼ିଶା ମାଟିରେ ଶିଳ୍ପାୟନର ଆଦ୍ୟପର୍ବ, ଆଉ ସାଜିଥିଲେ ନବ ଓଡ଼ିଶାର ନିର୍ମାତା। ଆଧୁନିକ ଓଡ଼ିଶାର ବିଶ୍ୱକର୍ମା।

ତାଙ୍କରି ପ୍ରତ୍ୟକ୍ଷ ପ୍ରଚେଷ୍ଟାରେ ଆରମ୍ଭ ହୋଇଥିଲା ଏକାଧିକ କାରଖାନା। ପଚାଶ ଦଶକରେ ସେ ସ୍ଥାପନ କରିଥିଲେ କଳିଙ୍ଗ ଟ୍ୟୁବ୍ସ, କଳିଙ୍ଗ ସୈାନକ୍ସା – ରେଫ୍ରିଜରେଟର୍ ଓ କଳିଙ୍ଗ ଇଣ୍ଡଷ୍ଟ୍ରିଜ୍ ନାମରେ ତିନିଟି କାରଖାନା।

ସ୍ୱାଧୀନତ୍ତୋର ଭାରତବର୍ଷ ଯେତେବେଳେ ଚିନ୍ତା ବି କରି ପାରିନଥିଲା ଫ୍ରିଜ୍ଟିଏ ପ୍ରସ୍ତୁତ କରିବାକୁ, ସେତେବେଳେ ବିଜୁବାବୁ ଓଡ଼ିଶାରେ ସ୍ଥାପନ କରିଥିଲେ ଫ୍ରିଜ୍ ତିଆରି କରୁଥିବା କାରଖାନା। କଳିଙ୍ଗ ଟ୍ୟୁବସ୍ ଦେଶର ଏକ ପ୍ରମୁଖ ପାଇପ୍ ପ୍ରସ୍ତୁତକାରୀ ସଂସ୍ଥା ହୋଇପାରିଥିଲା। କଳିଙ୍ଗ ଇଣ୍ଡଷ୍ଟ୍ରିଜ୍ର ଫେବ୍ରିକେସନ, ରାଜ୍ୟର ଶିଳ୍ପାୟନ ଓ ଭିତ୍ତିଭୂମି ନିର୍ମାଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଆରମ୍ଭ କରିଥିଲେ କଳିଙ୍ଗ ଆଇରନ୍ ୱାର୍କ୍ସ ଓ କଳିଙ୍ଗ ରିଫ୍ରାକ୍ଟିଜ୍ ।

ବ୍ରିଟିଶ୍ ରୟାଲ ବାୟୁସେନାର ଦୁଃସାହସିକ ପାଇଲଟ୍ ବିଜୁ ପଟ୍ଟନାୟକ ଦିନେ ଆରମ୍ଭ କରିଥିଲେ ଓଡ଼ିଶାରେ କଳିଙ୍ଗ ଏୟାର୍ ଲାଇନସ୍। କଳିଙ୍ଗ ଏୟାର ଲାଇନସ୍ ଥିଲା ଭାରତର ପ୍ରଥମ ଘରୋଇ ପଣ୍ୟବାହୀ ପରିବହନ ବିମାନ ସେବା ସଂସ୍ଥା।

ଏହି ସମୟରେ ସେ କଳିଙ୍ଗ ନାମରେ ଏକ ଖବରକାଗଜ ମଧ୍ୟ ଆରମ୍ଭ କରିଥିଲେ। ଏହି ଖବରକାଗଜ ହିଁ ଓଡ଼ିଶାରେ ବ୍ୟବସାୟିକ ସମ୍ବାଦପତ୍ର ପ୍ରକାଶନର ଭିତ୍ତିଭୂମି ତିଆରି କରିଥିଲା।

ରାଜନୀତିରେ ସକ୍ରିୟ ହେବାପରେ ସେ ଆରମ୍ଭ କରିଥିଲେ ଶିଳ୍ପାୟନର ଦ୍ୱିତୀୟ ପର୍ବ। କେନ୍ଦ୍ର ସରକାର ୧୯୫୮ ଜାନୁୟାରୀ ମାସରେ ପାରାଦୀପ ଅଞ୍ଚଳରେ ଏକ କ୍ଷୁଦ୍ର ବନ୍ଦର ନିର୍ମାଣ ପାଇଁ ଅନୁମତି ଦେଇଥିଲେ ଏବଂ ତତ୍କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଏହି ବନ୍ଦରର ଶିଳାନ୍ୟାସ କରିଥିଲେ। କିନ୍ତୁ ବନ୍ଦର ନିର୍ମାଣ ହୋଇ ପାରିନଥିଲା। ବନ୍ଦରର ବ୍ୟବସାୟିକ ସଫଳତାରେ ସନ୍ଦେହ ଥିବାରୁ କେନ୍ଦ୍ର ସରକାର ସହଯୋଗ ନ କରିବାରୁ ଏହି ପରିସ୍ଥିତି ଦେଖା ଦେଇଥିଲା। ତେବେ ବିଜୁବାବୁ ମୁଖ୍ୟମନ୍ତ୍ରୀ ହେବା କ୍ଷଣି ରାଜ୍ୟ ପାଣ୍ଠିରୁ ୧୬ କୋଟି ୨୦ ଲକ୍ଷ ଟଙ୍କା ବ୍ୟବସ୍ଥାକରି ଏହି ବନ୍ଦର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଦେଶରତ୍ତତକ୍ରାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ ୧୯୬୨ ମସିହା ଜାନୁୟାରୀ ୩ ତାରିଖରେ ବୃହତ ପାରାଦୀପ ବନ୍ଦର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ବିଜୁବାବୁଙ୍କ ପ୍ରଚେଷ୍ଟାରେ ତାଙ୍କର ମୁଖ୍ୟମନ୍ତ୍ରୀତ୍ୱ କାଳରେ ତାଳଚେର ତାପଜ ବିଦ୍ୟୁତ୍ କେନ୍ଦ୍ର, ବାଲିମେଳା ଜଳ ବିଦ୍ୟୁତ ପ୍ରକଳ୍ପ ସ୍ଥାପନ ହୋଇଥିଲା। ସେହି ସମୟରେ ସୁନାବେଡାଠାରେ ମିଗ୍ ବିମାନ ଇଞ୍ଜିନ୍ ତିଆରି କାରଖାନା ପ୍ରତିଷ୍ଠା ହୋଇଥିଲା।

ବିଜୁବାବୁଙ୍କ ଉଦ୍ୟମରେ ରାଉରକେଲା ରିଜିଓନାଲ ଇଂଜିନିୟରିଂ କଲେଜ (ବର୍ତ୍ତମାନର ନ୍ୟାସନଲ୍ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି, ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ସୈନିକ ସ୍କୁଲ ଏବଂ ଓଡ଼ିଶା ଏଭିଏସନ ସେଣ୍ଟର ପ୍ରତିଷ୍ଠା ହୋଇ ପାରିଥିଲା।

କେବଳ ବୈଷୟିକ ଶିକ୍ଷାର ପ୍ରସାର ନୁହଁ, ବିଜ୍ଞାନ ଶିକ୍ଷା କ୍ଷେତ୍ରରେ ଉଚ୍ଚ ଜ୍ଞାନ ହାସଲକୁ ଉତ୍ସାହିତ କରିବାକୁ ୧୯୫୧ରେ ସେ ଆରମ୍ଭ କରିଥିଲେ କଳିଙ୍ଗ ପୁରସ୍କାର। କଳିଙ୍ଗ ଫାଉଣ୍ଡେସନ୍ ପକ୍ଷରୁ ଏହି ପୁରସ୍କାର ବିଜ୍ଞାନ କ୍ଷେତ୍ରରେ ଉଚ୍ଚତର ଗବେଷଣା ପାଇଁ ବିଶ୍ୱର ପ୍ରତିଷ୍ଠିତ ବୈଜ୍ଞାନିକମାନଙ୍କୁ ପ୍ରତିବର୍ଷ ଦିଆଯାଉଛି। ବର୍ତ୍ତମାନ ଏହି ପୁରସ୍କାର ୟୁନେସ୍କୋ ପକ୍ଷରୁ ପ୍ରଦାନ କରାଯାଉଛି।

ପରବର୍ତ୍ତୀ କାଳରେ ବିଜୁବାବୁ କେନ୍ଦ୍ରରେ ମନ୍ତ୍ରୀ ହେବାବେଳେ ରାଜ୍ୟରେ ରାଷ୍ଟ୍ରାୟତ ନ୍ୟାସନାଲ ଆଲୁମିନିୟମ୍ କମ୍ପାନି (ନାଲକୋ)ର ଆଲୁମିନା ଓ ଆଲୁମିନିୟମ କାରଖାନା କୋରାପୁଟର ଦାମନଯୋଡ଼ି ଓ ଅନୁଗୁଳଠାରେ ପ୍ରତିଷ୍ଠା ହୋଇଥିଲା।

ବାସ୍ତବରେ ବିଜୁ ବାବୁ ଆଧୁନିକ ଓଡ଼ିଶାର ମୂଳଦୁଆ ପକାଇଥିଲେ। ଓଡ଼ିଶାର ଶିଳ୍ପାୟନର ଭବିଷ୍ୟତ ରାସ୍ତା ନିର୍ଣ୍ଣୟ କରିଥିଲେ। ଆଜି ଓଡ଼ିଶା, ଭାରତରେ ଏବଂ ବିଶ୍ୱରେ ପୁଞ୍ଜିପତିମାନଙ୍କର ଗନ୍ତବ୍ୟସ୍ଥଳରେ ପରିଣତ ହୋଇଛି। ରାଜ୍ୟ ଲଗାତାର ଭାବେ ଦେଶର ଏକ ପ୍ରମୁଖ ଘରୋଇ ପୁଞ୍ଜି ନିବେଶର ପେଣ୍ଠସ୍ଥଳୀ ହୋଇପାରିଛି। ଓଡ଼ିଶା ଆଲୁମିନିୟମ ଓ ଇସ୍ପାତ ଶିଳ୍ପର ହବ୍ ହୋଇଛି। ଆଗାମୀ ଦିନରେ ଦକ୍ଷିଣ ଏସିଆର ମ୍ୟାନୁଫାକ୍ଚରିଂ ହବ ହେବାର ସମ୍ଭାବନା ସୃଷ୍ଟି କରିଛି।

ନିଶ୍ଚିତ ଭାବରେ ବିଜୁବାବୁ ତାଙ୍କର ଅବର୍ତ୍ତମାନରେ ବି ସାଜିଛନ୍ତି ଏକ ଅନ୍ତହୀନ ପ୍ରେରଣାର ପ୍ରକାଣ୍ଡ ବର୍ତିକା।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ)


Leave a Reply

Your email address will not be published. Required fields are marked *

*