ଭୁବନେଶ୍ୱର, ୧୧/୦୭/୨୦୧୬(ଓଡ଼ିଶାଲାଇଭ୍‌, ବ୍ୟୁରୋ): ଇଂରାଜୀ ଉପନ୍ୟାସ କ୍ଷେତ୍ରରେ ଓଡିଶାର ସତ୍ୟାର୍ଥ ନାୟକ ଏବେ ଦେଶର ଜଣେ ଚର୍ଚ୍ଚିତ ଯୁବ ଲେଖକ| କଟକରେ ଜନ୍ମଗ୍ରହଣ କରିଥିବା ସତ୍ୟାର୍ଥ କିନ୍ତୁ ଦେଶର ବିଭିନ୍ନ ସ୍ଥାନରେ ରହି ପଢାପଢି କରିଛନ୍ତି| ପିଲା ଦିନୁ ଇଂରାଜୀ ବହି, ଇଂରାଜୀ କବିତା, ଛୋଟ ଛୋଟ ଗପ ପଢିବାରେ ଥିଲା ତାଙ୍କର ରୁଚି| ତାଙ୍କ ଅଜା ବୈଷ୍ଣବ ଚରଣ ମହାନ୍ତି ପିଲାଟି ବେଳୁ ତାଙ୍କୁ ଲେଖାଲେଖି କରିବାରେ ଅଧିକ ପ୍ରେରଣା ଦେଇଆସୁଥିଲେ| ତାଙ୍କ ଦ୍ୱାରା ଲିଖିତ “ଦି ଏମ୍ପରର୍‍ସ ରିଡିଲ୍ସ” ପାଇଛି ଅନେକ ସଫଳତା| ଇଂରାଜୀ ସାହିତ୍ୟରେ ସ୍ନାତକୋତ୍ତର ସେ ସେଣ୍ଟ ଷ୍ଟିଫେନ୍ସନରୁ ହାସଲ କରିଛନ୍ତି|

ତାଙ୍କ ରଚିତ ପ୍ରଥମ ଉପନ୍ୟାସ “ଦି ଏମ୍ପରର୍‍ସ ରିଡିଲ୍ସ” ୨୦୧୪ ମସିହାରେ ସର୍ବଧିକ ଅଧିକ ବିକ୍ରି ହୋ‍ଇଥି୍ବା ଥ୍ରିଲର୍‍ ଉପନ୍ୟାସ| ସମ୍ରାଟ ଅଶୋକ ଏବଂ ଅଶୋକଙ୍କ ଏକ ଗୁପ୍ତ ଯୋଜନା ଉପରେ ଆଧାରିତ ହୋ‍ଇଛି ଏହି ପୁସ୍ତକ| ଯେହେତୁ ତାଙ୍କୁ ଥ୍ରିଲର୍‍ ଉପନ୍ୟାସ ଭଲଲାଗେ, ତେଣୁ ସେ ରଚନା କରିଥିଲେ ଏହି ଉପନ୍ୟାସ | ଯଦିଓ କିଛି ବର୍ଷ ପୂର୍ବରୁ ଦ୍ରୌପଦୀଙ୍କ ଉପରେ ଏକ ପୁସ୍ତକ ରଚନା କରିବା ପାଇଁ ଯୋଜନା କରିଥିଲେ, କିନ୍ତୁ ଏହାକୁ ସମ୍ପୂର୍ଣ୍ଣ କରିପାରିନଥିଲେ, କାରଣ ଦ୍ରୌପଦୀଙ୍କ ଉପରେ ଅନେକ ବହି ଭାରତରେ ରଚନା କରାଯାଇଛି |

ତାଙ୍କର ପ୍ରଥମ ଲେଖା “ଲଭ୍‍” ଗଳ୍ପଟି ବ୍ରିଟିଶ୍‍ କାଉନ୍ସିଲ୍‌‍ରେ ପ୍ରକାଶିତ ହୋ‍ଇଥିଲା, ଯାହାପାଇଁ ସେ ପୁରସ୍କୃତ ମଧ୍ୟ ହୋ‍ଇଥିଲେ| ସାମ୍ବାଦିକତା ତାଙ୍କର ପେସା ଥିଲା, ତେଣୁ ସେ ନୂଆଦିଲ୍ଲୀସ୍ଥିତ ସିଏନ୍‌ଏନ୍‍-ଆଇବିଏନ୍‌ର ଜଣେ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିଲେ| ସ୍ୱାସ୍ଥ୍ୟ ସମ୍ପର୍କିତ ରିପୋର୍ଟିଂ ପାଇଁ ୨୦୦୮ ମସିହାରେ ତାଙ୍କୁ “ସାର୍କ୍‍ ହିଲ୍‍” ସମ୍ମାନ ମିଳିଥିଲା| ପରେ ସେ ଲେଖାଲେଖି ପାଇଁ ସମ୍ପୂର୍ଣ୍ଣ ସମୟ ଦେବା ପାଇଁ ଚାକିରୀରୁ ଅବସର ଗ୍ରହଣ କରିଥିଲେ| ପାଠକମାନଙ୍କୁ ଭଲ ଭଲ ବହି ଭେଟିଦେବା ହେଉଛି ତାଙ୍କ ଜୀବନର ଲକ୍ଷ୍ୟ|

ତାଙ୍କ ଉପନ୍ୟାସକୁ ନେଇ ଅନେକ ପ୍ରଯୋଜକ ସିନେମା କରିବେ ବୋଲି ଇଛା ପ୍ରକାଶ କରୁଛନ୍ତି| ଯଦିଓ ଇଂରାଜୀ ସାହିତ୍ୟ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ଅଛି,ଲେଖା ମାଧ୍ୟମରେ ଓଡିଶାବାସୀଙ୍କ ପ୍ରତି କିଛି କରିବେ ବୋଲି ତାଙ୍କର ଲକ୍ଷ୍ୟ ଅଛି| ତାଙ୍କ ବିଚାରରେ ଯୁବକ ହେଉଛନ୍ତି ଦେଶର ଭବିଷ୍ୟତ| ଯୁବକମାନଙ୍କ ଦ୍ୱାରା ସବୁକିଛି ସମ୍ଭବ ଏବଂ ଆନ୍ତର୍ଜାତୀୟ ସ୍ତରରେ ଭାରତ ଏବଂ ଓଡିଶାର ନାଁକୁ ଲେଖା ମାଧ୍ୟମରେ ଅଧିକରୁ ଅଧିକ ପହଞ୍ଚାଯାଇପାରିବ ବୋଲି ସେ ଭାବନ୍ତି|

ରିପୋର୍ଟ- ସତ୍ୟବ୍ରତ ପାଢୀ

Leave a Reply

Your email address will not be published. Required fields are marked *

*