-ସତ୍ୟବ୍ରତ ପାଢୀ

ଭୁବନେଶ୍ୱର, ୨୪୨୦୧୭ (ଓଡିଶାଲାଇଭ୍ବ୍ୟୁରୋ):ଭଦ୍ରକର ବରପଦା ଇଞ୍ଜିନିୟରିଂ କଲେଜର ଦୁଇ ଛାତ୍ର ରାଜକୁମାର ଉପାଧ୍ୟୟ ଏବଂ ପ୍ରକାଶ ଚନ୍ଦ୍ର ଘଡେଇ ମିଳିତ ଭାବରେ ତିଆରି କରିଛନ୍ତି ସୋଲାର ସ୍କୁଟି। ସେମାନେ ନିଜେ ନିଜେ ତାଙ୍କର ଜ୍ଞାନ କୌଶଳରେ ନିର୍ମାଣ କରିଛନ୍ତି ଏହି ସ୍କୁଟି, ମେକାନିକାଲ୍ ବିଭାଗର ଶେଷ ବର୍ଷର ଏହି ଦୁଇ ଛାତ୍ର ସୌରଶକ୍ତିକୁ କିପରି ଭାବରେ ବିନିଯୋଗ କରି ଦୁଇ ଚକିଆ ଯାନ କାର୍ଯ୍ୟକ୍ଷମ ହୋଇପାରିବ ସେ ବିଷୟରେ ଗବେଷଣା କରି ଆସୁଥିଲେ।

ଏହି ସ୍କୁଟି ପାଇଁ ପ୍ରାରମ୍ଭିକ ଭାବରେ ଉଭୟଙ୍କୁ ୯୦ ହଜାରେ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି। ସବୁଠୁ ବଡ଼ କଥା ହେଉଛି ଏହି ସୌରଚାଳିତ ସ୍କୁଟି ବିନା ପେଟ୍ରୋଲରେ ଚଳାଚଳ କରିପାରିବ। ପରୀକ୍ଷାମୂଳକ ଭାବରେ ତିଆରି କରାଯାଇଥିବା ଏହି ସ୍କୁଟିଟି ନିଶ୍ଚୟ ଲାଭଦାୟକ ହୋଇପାରିବ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି କାରଣ ପେଟ୍ରୋଲ ବାବଦକୁ କୌଣସି ଖର୍ଚ୍ଚ ହେବ ନାହିଁ ଏହା ସହିତ ବାୟୁ ପ୍ରଦୂଷଣକୁ ମଧ୍ୟ କିଛିକାଂଶରେ ରୋକାଯାଇପାରିବ। ଏହି ଗାଡ଼ିଟି ଘଣ୍ଟାକୁ ପ୍ରାୟ ୩୦ କିଲୋମିଟର ବେଗରେ ଚାଲିପାରୁଛି। ଭବିଷ୍ୟତରେ ଏହି ସ୍କୁଟିର ଗତିକୁ କିପରି ବୃଦ୍ଧି କରାଯାଇ ପାରିବ ସେ ପ୍ରତି ଦୁଇ ଛାତ୍ର ଏବେବି ଗବେଷଣା ରତ। ସମ୍ପ୍ରତ୍ତି ସୌରଶକ୍ତିକୁ ବ୍ୟବହାର କରି ବହୁତ କିଛି କାର୍ଯ୍ୟ କରାଯାଇପାରୁଛି ହେଲେ ସୌରଶକ୍ତି ବଳରେ ‘ଇକୋ-ଫ୍ରେଣ୍ଡଲି ସ୍କୁଟି’ ନିର୍ମାଣ କରିବା କଥା ଚିନ୍ତାକରି ଏହାକୁ ବାସ୍ତବ ରୂପ ଦେବା କ୍ଷେତ୍ରରେ ଏମାନଙ୍କ ପଦକ୍ଷେପ ଅତ୍ୟନ୍ତ ସ୍ୱାଗତଯୋଗ୍ୟ।

ଏହି ସୋଲାର ସ୍କୁଟି ନିର୍ମାଣ ନିମନ୍ତେ ଛାତ୍ର ଦ୍ୱୟଙ୍କୁ ୧୫ ଦିନ ସମୟ ଲାଗିଥିଲା। ସମ୍ପୂର୍ଣ୍ଣ ଯନ୍ତ୍ରାଂଶରେ ସଂଯୋଗୀକରଣ ଫଳରେ ଏହି ସ୍କୁଟିଟି ଚାଲିବା ପାଇଁ ଷ୍ଟାର୍ଟ କରାଯାଇଥିଲା ଏବଂ ପ୍ରଥମ ଥରରେ ଗାଡ଼ିଟି ଗଡ଼ିବାକୁ ଆରମ୍ଭ କରିଥିଲା। ସବୁ ସ୍କୁଟି ପରି ଏହି ସ୍କୁଟିଟିରେ ୨ ଜଣ  ଭଲ ଭାବରେ ବସି ପାରିବେ। ଥରେ ଏହି ଗାଡ଼ି ଚାର୍ଜ ହେଲେ ୧୧୦ କିଲୋମିଟର ପର୍ଯ୍ୟନ୍ତ ବିନା ଦ୍ୱିଧାରେ ଯାତାୟତ କରିପାରିବ। ଏହା ସହିତ ବିଦ୍ୟୁତ୍‌ଶକ୍ତି ମାଧ୍ୟମରେ ମଧ୍ୟ ଏହି ସ୍କୁଟିଟିକୁ ଚାର୍ଜ କରି ବ୍ୟବହାର କରାଯାଇପାରିବ।

ଦୁଇ ଛାତ୍ର ରାଜକୁମାର ଏବଂ ପ୍ରକାଶଙ୍କ ଘର ଭଦ୍ରକରେ, ଆଗାମୀ ଦିନରେ ଏହି ସ୍କୁଟିକୁ ନୂଆ ରୂପରେ ନିର୍ମାଣ କରାଯାଇପାରିଲେ ଏବଂ ପଛରେ ଲାଗିଥିବା ସୋଲାର ମେସିନ୍‌କୁ ଫ୍ଲେକ୍ସିବୁଲ୍‌ କରାଯାଇପାରିଲେ ବ୍ୟବସାୟ ଦୃଷ୍ଟି କୋଣରୁ ଏହି ସ୍କୁଟିକୁ ସମସ୍ତେ ପସନ୍ଦ କରିବେ ବୋଲି ସେମାନେ ଆଶାବାଦୀ ଅଛନ୍ତି। ଉଭୟ ଭବିଷ୍ୟତରେ ସୌରଶକ୍ତି ଚାଳିତ କାର୍‌ ନିର୍ମାଣ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି।

Leave a Reply

Your email address will not be published. Required fields are marked *

*