ଭୁବନେଶ୍ୱର, ୧୧୦୧୨୦୧୭ (ଓଡ଼ିଶାଲାଇଭ୍‌ ବ୍ୟୁରୋ): ଆସନ୍ତା ୧୩ ତାରିଖରୁ ରାଜ୍ୟରେ ପାଞ୍ଚଟି ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆରମ୍ଭ ହେବ । ସେଥିପାଇଁ ତିନୋଟି ପ୍ରମୁଖ ରାଜନୈତିକ ଦଳ ବିଜେଡି, କଂଗ୍ରେସ୍‌ ଓ ଭାଜପା ରଣନୀତି ପ୍ରସ୍ତୁତ କରିସାରିଛନ୍ତି। ଆଜି ପ୍ରକାଶ ପାଇଛି ବିଜେଡି ଏବଂ ବିଜେପିର ଷ୍ଟାର୍‍ କ୍ୟାମ୍ପେନର୍‌ଙ୍କର ତାଲିକା।

ବିଜେଡିର ମୁଖପାତ୍ର ଅମର ପ୍ରସାଦ ଶତପଥୀ କହିଛନ୍ତି ଯେ ବିଜେଡି ଦଳ ପକ୍ଷରୁ ଟିକେଟ ବଣ୍ଟନ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଦିନେ ଦୁଇଦିନ ମଧ୍ୟରେ ସମସ୍ତ ଟିକେଟ ବଣ୍ଟନ କାର୍ଯ୍ୟ ସମାପ୍ତ ହେବ ।

ବିଜେଡି ପକ୍ଷରୁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି। ଏଥିରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସମେତ ଡାକ୍ତର ଦାମୋଦର ରାଉତ, ଅନଙ୍ଗ ଉଦୟ ସିଂହଦେଓ, ଦେବୀ ପ୍ରସାଦ ମିଶ୍ର, ବିକ୍ରମ କେଶରୀ ଆରୁକ୍‌, ଡକ୍ଟର ଅରୁଣ କୁମାର ସାହୁ, ପ୍ରଣବ ପ୍ରକାଶ ଦାସ, ଶ୍ରୀ ଏନ୍‌ ଭାସ୍କର ରାଓ, ଡକ୍ଟର ପ୍ରଦୀପ ପାଣିଗ୍ରାହୀ, ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ପ୍ରଚାରକ ତାଲିକାରେ ଅଛନ୍ତି।

ବିଜୁ ଜନତା ଦଳର ଫିଲ୍ମ ଷ୍ଟାର୍‍ ଓ ସେଲିବ୍ରିଟି କ୍ୟାମ୍ପେନର୍‌ଙ୍କ ମଧ୍ୟରେ ଅଛନ୍ତି ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଆକାଶ ଦାସନାୟକ, ପ୍ରଶାନ୍ତ ନନ୍ଦ, ମୁନା ଖାଁ, ମିହିର ଦାସ, ତୃପ୍ତି ଦାସ, କୁନା ତ୍ରିପାଠୀ, ସାତ୍ତ୍ୱିକ ମିଶ୍ର ଏବଂ ଅରିନ୍ଦମ ରାୟ।

ସେହିପରି ବିଜେପିର ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି ଯେ ପଞ୍ଚାୟତ ନିର୍ବାଚନ ପାଇଁ ୮୦ ପ୍ରତିଶତ ଟିକେଟ ବଣ୍ଟନ ସରିଥିବା ବେଳେ ଆଉ ୨୦ ପ୍ରତିଶତ ଟିକେଟ ଖୁବ୍‌ ଶୀଘ୍ର ଦିଆଯିବ।

ବିଜେପି ପକ୍ଷରୁ ଆଜି ମଧ୍ୟ ୪୦ ଜଣିଆ ଷ୍ଟାର୍‌ କ୍ୟାମ୍ପେନର୍‌ ତାଲିକା ପ୍ରକାଶ ପାଇଛି। ବିଜେପି ଦଳର ଷ୍ଟାର ପ୍ରଚାରକଙ୍କ ଭିତରେ ରହିଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ଜାତୀୟ ସମ୍ପାଦକ ସୁରେଶ ପୁଜାରୀ, ରାଜ୍ୟ ବିଜେପିର ସଭାପତି ବସନ୍ତ ପଣ୍ଡା, କେ. ଭି ସିଂହଦେଓଙ୍କ ସମେତ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ସମୀର ଦେ, ମନମୋହନ ସାମଲ, ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ, ପୃଥ୍ୱୀରାଜ ହରିଚନ୍ଦନ, ଶ୍ରୀତମ ଦାସ ଏବଂ ପିଙ୍କି ପ୍ରଧାନ ପ୍ରମୁଖ।

Leave a Reply

Your email address will not be published. Required fields are marked *

*