ଭୁବନେଶ୍ୱର, ୧୭ ମାର୍ଚ୍ଚ ୨୦୧୭ (ଓଡ଼ିଶାଲାଇଭ୍‍ ବ୍ୟୁରୋ): ସିଏସ୍ଆଇଆର – ଆଇଆଇଏମ୍‌ଟି ଭୁବନେଶ୍ୱରର ପୂର୍ବ ନିର୍ଦ୍ଦେଶକ ପ୍ରଫେସର ବରଦା କାନ୍ତ ମିଶ୍ର ଆଇଆଇଆଇଟି ଗୋଆର ପ୍ରଥମ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରଫେସର ମିଶ୍ର ଆଇଆଇଟି କାନପୁରରେ ମଧ୍ୟ ଶିକ୍ଷକତା କରିଛନ୍ତି ।

ଆଇଆଇଟି କାନପୁର ଓ ସିଏସ୍ଆଇଆର – ଆଇଆଇଏମ୍‌ଟି ଭୁବନେଶ୍ୱରର ଅଭିଜ୍ଞତାକୁ ଉପଯୋଗ କରି ଆଇଆଇଟି ଗୋଆକୁ ଏକ ଆନ୍ତର୍ଜାତିକ ସ୍ତରର ଅନୁଷ୍ଠାନ ଭାବେ ଗଢ଼ି ତୋଳିବା ପାଇଁ ମୁଁ ଯଥାସାଧ୍ୟ ଉଦ୍ୟମ କରିବି। ଜାତୀୟ ତଥା ଆନ୍ତର୍ଜାତିକ ଆହ୍ୱାନକୁ କିଭଳି ନୀତି ଓ ଗବେଷଣାର ସହଯୋଗରେ ସାମ୍ନା କରାଯାଇପାରିବ ସେଥିପ୍ରତି ଧ୍ୟାନ ଦେବି।” ଏ କଥା କହିଛନ୍ତି ପ୍ରଫେସର ବରଦାକାନ୍ତ ମିଶ୍ର ।

ସେ ଆହୁରି କହିଛନ୍ତି ଯେ, ଉଭୟ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଗବେଷଣା କ୍ଷେତ୍ରରେ ଯେଉଁ ସବୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତା’ର ସମାଧାନ ପାଇଁ ସେ ନିରନ୍ତର କାର୍ଯ୍ୟ କରିବେ । ଶିଳ୍ପ ଓ ଗବେଷଣା ଅନୁଷ୍ଠାନ ମଧ୍ୟରେ ସମନ୍ୱୟ ରକ୍ଷା କରି ଗବେଷଣାଲବ୍ଧ ଫଳକୁ ଜନହିତରେ ବ୍ୟବହାର କରିବା ଓ ଯୁବପିଢିର ଉର୍ବର ଚିନ୍ତାଧାରାକୁ କାର୍ଯ୍ୟରେ ଲଗାଇବା ପାଇଁ ଉଦ୍ୟମ ଜାରି ରଖିବା ତାଙ୍କର ଏକ ପ୍ରାଥମିକତା ହେବ ।

ଖଣିଜ ପଦାର୍ଥର ପ୍ରକ୍ରିୟାକରଣ ଓ ଧାତବ ପଦାର୍ଥର ବିନିଯୋଗ କ୍ଷେତ୍ରରେ ଦୀର୍ଘ ଅଭିଜ୍ଞତା ଥିବା ପ୍ରଫେସର ମିଶ୍ର ଏନ୍ଆଇଟି ରାଉରକେଲାରୁ ମେଟାଲର୍ଜିକଲ୍ ଇଂଜିନିୟରିଂରେ ବିଟେକ୍ ଡିଗ୍ରି ଲାଭ କରିଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାର ଉଟା ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି ଓ ପୋଷ୍ଟ ଡକ୍ଟରାଲ ପରେ ସେ କାନପୁର ଆଇଆଇଟିରେ ପ୍ରଫେସର ଭାବେ ଯୋଗ ଦେଇଥିଲେ । ସେ ୟୁକେର ଅସ୍ତୋନ୍ ବିଶ୍ୱବିଦ୍ୟାଳୟରେ ମଧ୍ୟ ଅଧ୍ୟାପନା କରିଛନ୍ତି। ତାଙ୍କର ଗବେଷଣାଲବ୍ଧ ଜ୍ଞାନକୁ ଭାରତର ବହୁ ଶିଳ୍ପ ସଂସ୍ଥା ଉପଯୋଗ କରିଛନ୍ତି । ସେ ଜାତୀୟ ଖଣିଜ ପୁରସ୍କାର ବ୍ୟତୀତ ଉଚ୍ଚ ଗବେଷଣା ପାଇଁ ଭସ୍‌ଭିକ୍ ପୁରସ୍କାର ମଧ୍ୟ ଲାଭ କରିଛନ୍ତି । ଗୋଆରେ ଖଣି ଖନନଜନିତ ପରିବେଶ ସମସ୍ୟା ସମ୍ପର୍କରେ ସୁପ୍ରିମ କୋର୍ଟର ବିଶେଷଜ୍ଞ କମିଟିର ସଦସ୍ୟ ମଧ୍ୟ ସେ ରହିଥିଲେ । ପ୍ରଫେସର ମିଶ୍ର ବର୍ତ୍ତମାନ ଭାରତୀୟ ଖଣି ଇଂଜିନିୟର ସଂଘର ସଭାପତି ପଦରେ ଅଛନ୍ତି ।

Leave a Reply

Your email address will not be published. Required fields are marked *

*