ଭୁବନେଶ୍ୱର ତା ୩୦।୧୨।୨୦୧୬ (ଓଡ଼ିଶାଲାଇଭ୍ ବ୍ୟୁରୋ): ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ଗବେଷଣା କେନ୍ଦ୍ର ଦ୍ୱାରା ୫ ଦିନ ଧରି ଆୟୋଜିତ ଆନ୍ତର୍ଜାତୀୟ ଓଡ଼ିଶା ନୃତ୍ୟ ଉତ୍ସବର ଆଜି ଥିଲା ଅନ୍ତିମ ଦିବସ ।
ଶେଷ ସଂଧ୍ୟାର ଅତିଥି ଥିଲେ ବିଶିଷ୍ଟ ସଙ୍ଗୀତଜ୍ଞ ପଣ୍ଡିତ ପ୍ରଫୁଲ୍ଲ କର, ସଂସ୍କୃତି ବିଭାଗର ଶାସନ ସଚିବ ଶ୍ରୀଯୁକ୍ତ ମନୋରଂଜନ ପାଣିଗ୍ରାହୀ, ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀଯୁକ୍ତ ଲଳିତ ଦାସ, ବରିଷ୍ଠ କଣ୍ଠଶିଳ୍ପୀ ଶ୍ରୀଯୁକ୍ତ ଚିତ୍ତ ଜେନା, ଇଣ୍ଡିୟାନ ଅଏଲ୍ କର୍ପରେସନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରେମ ଶଙ୍କର ଚାବେ, ସଂସ୍କୃତିବିତ୍ ଶ୍ରୀଯୁକ୍ତ କେଦାର ମିଶ୍ର, ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର, ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସଚିବ ଗୁରୁ ଅରୁଣା ମହାନ୍ତି ଏବଂ ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ଡ଼. ସଙ୍ଗୀତା ଗୋସାଇଁ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ଼. ମୃତ୍ୟୁଞ୍ଜୟ ରଥ ।
ଅପରାହ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଗଞ୍ଜାମରୁ ଆସିଥିବା କଳାବିକାଶ କେନ୍ଦ୍ରର ଶିଳ୍ପୀମାନଙ୍କ ଦ୍ୱାରା ଦଳଗତ ନୃତ୍ୟାଭିନୟ ଦୁର୍ଗା ତାଣ୍ଡବ – ଜୟ ଜୟ ଦୁର୍ଗତି ତାରିଣୀ ଯାହା ରାଗ-ପଟଦୀପ ଓ ତାଳ- ତ୍ରିପଟା ଉପରେ ପରିବେଷିତ ଥିଲା । ପରେ ପରେ ଆଦୃତ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଦଳଗତ ନୃତ୍ୟରେ ଅଭିନୟ ମହେଶାଷ୍ଟକମ୍ ଯାହା ରାଗ- ଭୈରବୀ ଉପରେ ପର୍ଯ୍ୟବେଷିତ ଥିଲା । ଏକକ ନୃତ୍ୟ ପର୍ଯ୍ୟାୟରେ ଭୁବନେଶ୍ୱରର ସୋନାକ୍ଷୀ ମିଶ୍ରଙ୍କ ଦ୍ୱାରା ଅଭିନୟ କେଡ଼େ ଛାନ୍ଦ ଜାଣେ ଲୋ ସକ୍ଷୀ ଯାହା ରାଗ-ମିଶ୍ରକାପିଂ ଓ ତାଳ-ଖେମଟା ଉପରେ ଆଧାରିତ ଥିଲା ।
ତା ପରେ ଚୀର ଶ୍ରୋତା ଖୁଣ୍ଟିଆଙ୍କ ଦ୍ୱାରା ଏକକ ନୃତ୍ୟରେ ପଲ୍ଲବୀ ରାଗ-କିରବାଣୀ ଓ ତାଳ-ଖେମଟା ଉପରେ ଆଧାରିତ ପରିବେଷଣ ଓ ପରେ ପରେ ସୁଦୁର ଆମେରିକାରୁ ଆସିଥିବା ମହାଶ୍ୱେତା ଗୟେନଙ୍କ ଦ୍ୱାରା ଅଭିନୟ ଦଶାବତାର, ତା ପରେ ଦୈତ୍ୟ ନୃତ୍ୟ ପର୍ଯ୍ୟାୟରେ ଭୁବନେଶ୍ୱରର ଭଗତ୍ ପ୍ରଧାନ ଓ ବିନୀତା ବଳିୟାର ସିଂଙ୍କ ଦ୍ୱାରା ଶିବ ପଞ୍ଚକ-ଦିବ୍ୟ କୁଣ୍ଡକ ହାର ମୂଜ୍ୱଳ ଯାହା ତାଳ ତ୍ରିପଟା ଉପରେ ପର୍ଯ୍ୟବେସିତ ଥିଲା, ଏକକ ନୃତ୍ୟରେ ଅରୁଣିମା ଆଚାର୍ଯ୍ୟଙ୍କ ଦ୍ୱାରା ଅଭିନୟ ବାଜୁଛି ସହ ବାଜୁଛି ସହୀ ବଜାରେ ତୋନାରେ ବ୍ରଜ ବଜାରେ ଯାହା ରାଗ-ଆଶାବରୀ ଓ ତାଳ-ଏକତାଳୀ ଏବଂ ଅପରାହ୍ନ କାର୍ଯ୍ୟକ୍ରମ ଶେଷରେ ଏକକ ନୃତ୍ୟରେ ଆମେରିକାର ଯାମିନୀ ଜେନାଙ୍କ ଦ୍ୱାରା ଅଭିନୟ ଜୟ ଭଗବତୀ ଦେବୀ ନମୋଃ ଯାହା ରାଗ -ମାଲକୋଷ ଓ ତାଳ-ଯତି ଉପରେ ପର୍ଯ୍ୟବେସିତ ଥିଲା ।
ସଂଧ୍ୟା ଅଧିବେଶନର ପ୍ରଥମ ପ୍ରସ୍ତୁତି ଥିଲା ଆମେରିକାରୁ ଆସିଥିବା ବିଷ୍ଣୁ ତଥବା ଦାସଙ୍କ ଦ୍ୱାରା ଏକକ ନୃତ୍ୟ, ପରେ ପରେ ଶ୍ରୀପୂର୍ଣ୍ଣ ମହାନ୍ତିଙ୍କ ଦ୍ୱାର ଏକକ ନୃତ୍ୟ ଏବଂ କଟକର ନମିତା ରାୟଙ୍କ ଦ୍ୱାରା ଏକକ ନୃତ୍ୟ ପରିବେଷଣ । ଦୈତ୍ୟ ନୃତ୍ୟ ପର୍ଯ୍ୟାୟରେ ଭୁବନେଶ୍ୱରର ମହେଶ୍ୱତା ଓ ମାଣିକର୍ଣ୍ଣିକାଙ୍କ ଦ୍ୱାରା ଅଭିନୟ ପରିବେଷଣ । ପରେ ପରେ ଏକକ ନୃତ୍ୟରେ ଦିଲ୍ଲୀରୁ ଆସିଥିବା ରୁଦ୍ର ପ୍ରସାଦ ସ୍ୱାଇଁ, ଭୁବନେଶ୍ୱରର ସାଗରୀକା ପରିଡ଼ା, ତ୍ରୀପୁରାର ଶ୍ରାବଣୀ ନନ୍ଦୀ, ଭୁବନେଶ୍ୱରର ତ୍ରୀଲୋଚନ ସାହୁ ଓ ଗାୟତ୍ରୀ ଖୁଣ୍ଟିଆଙ୍କ ପରିବେଷଣ ଏବଂ ଶେଷରେ ଦଳଗତ ନୃତ୍ୟ ପର୍ଯ୍ୟାୟରେ କଳିକତାର ପୁଷ୍ପିତା ମୁର୍ଖାଜୀ ଓ ସାଥୀଙ୍କ ଦ୍ୱାରା ଓଡ଼ିଶୀ ଅଭିନୟ ପରିବେଷଣ ବେଶ୍ ଉଚ୍ଚକୋଟୀର ଥିଲା ଯାହାକି ଦର୍ଶକମାନଙ୍କୁ ରବିନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ୫ ଦିନ ଧରି ଚାଲିଥିବା ଏହି ଆନ୍ତର୍ଜାତିକ ନୃତ୍ୟତ୍ସବକୁ ପ୍ରତିଦିନ ଭରପୂର ଦର୍ଶକ ଶେଷ ପର୍ଯ୍ୟନ୍ତ ରହି ଉପଭୋଗ କରୁଥିଲେ ।
More Photographs @OdishaLIVE Facebook