ବିଜେଡିର ପାରମ୍ପରିକ ଭୋଟକୁ ହାତେଇବା ପରେ ବିଜେପି ଯେଉଁ ଅଭୁତପୂର୍ବ ସଫଳତା ହାସଲ କରିଛି ତା’ପଛରେ ନିର୍ବାଚନର ପ୍ରଚାର ଅଭିଯାନ ମଧ୍ୟ ବେଶ କାମ କରିଥିବା ପରି ମନେହୁଏ । ବିଜେପିର ରାଜ୍ୟ ଶାଖା ପକ୍ଷରୁ ସୋସିଆଲ ମିଡିଆରେ ପ୍ରଚାର ପୂରା ଛାଇ ଯାଇଥିଲା। ବିଭିନ୍ନ ପ୍ରସଙ୍ଗକୁ ନେଇ ଖବର, ଲେଖା, ଫଟୋ, ଭିଡିଓ କ୍ଲିପ୍ ଏତେ ମାତ୍ରାରେ ଛଡ଼ାଯାଇଥିଲା ଯେ ତାହା ଅନ୍ୟ ଦୁଇଟି ଦଳକୁ ପୂରା ପଛରେ ପକାଇ ଦେଇଥିଲା ।

ଭୁବନେଶ୍ୱର, ୨୧୨୦୧୭ (ଓଡ଼ିଶାଲାଇଭ୍‌ ବ୍ୟୁରୋ): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବେଳେ ବିଭିନ୍ନ ଦଳ ପକ୍ଷରୁ ଭୋଟରମାନଙ୍କୁ ହାତେଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରାଯାଇଥିବା ବେଳେ ଏହି ନିର୍ବାଚନ ବୈତରଣୀ ପାର୍ ହେବା ପାଇଁ ଏଥର ଦଳମାନେ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରିବା ଦେଖିବାକୁ ମିଳିଥିଲା । ନିପଟ-ମଫସଲରୁ ଆରମ୍ଭକରି ଜିଲ୍ଲା ସଦର ମହକୁମା ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ଭୋଟରଙ୍କ ମନ କିଣିବା ପାଇଁ ପ୍ରମୁଖ ୩ଟି ଦଳ – ବିଜେଡି, ବିଜେପି ଓ କଂଗ୍ରେସ – କୌଣସି ଉଦ୍ୟମକୁ ହାତଛଡା କରିନଥିଲେ। ତେବେ ପଞ୍ଚମ ବା ଶେଷ ପର୍ଯ୍ୟାୟ ନିର୍ବାଚନ ବେଳେ ବିଜେପିର ପ୍ରଚାର ଆଗୁଆ ଓ ଦମ୍‌ଦାର ଥିଲା । ବିଶେଷକରି ମୋଦି ଷ୍ଟାଇଲ୍‌ରେ ସୋସିଆଲ ମିଡିଆକୁ ଓଡ଼ିଶାରେ ବିଜେପି ଏଥର ନିର୍ବାଚନରେ ଏତେ ମାତ୍ରାରେ ବ୍ୟବହାର କରିଥିଲା ଯେ, ତା’ର ଫଳ ଏବେ ଦେଖିବାକୁ ମିଳୁଛି ।

ବିଜେଡିର ପାରମ୍ପରିକ ଭୋଟକୁ ହାତେଇବା ପରେ ବିଜେପି ଯେଉଁ ଅଭୁତପୂର୍ବ ସଫଳତା ହାସଲ କରିଛି ତା’ପଛରେ ନିର୍ବାଚନର ପ୍ରଚାର ଅଭିଯାନ ମଧ୍ୟ ବେଶ କାମ କରିଥିବା ପରି ମନେହୁଏ । ବିଜେପିର ରାଜ୍ୟ ଶାଖା ପକ୍ଷରୁ ସୋସିଆଲ ମିଡିଆରେ ପ୍ରଚାର ପୂରା ଛାଇ ଯାଇଥିଲା। ବିଭିନ୍ନ ପ୍ରସଙ୍ଗକୁ ନେଇ ଖବର, ଲେଖା, ଫଟୋ, ଭିଡିଓ କ୍ଲିପ୍ ଏତେ ମାତ୍ରାରେ ଛଡ଼ାଯାଇଥିଲା ଯେ ତାହା ଅନ୍ୟ ଦୁଇଟି ଦଳକୁ ପୂରା ପଛରେ ପକାଇ ଦେଇଥିଲା ।

ଗାଁ ଗହଳର ଖରାପ ରାସ୍ତାଠାରୁ ଆରମ୍ଭକରି ପାନୀୟ ଜଳ ଅଭାବ ଓ ଚିଟ୍‌ଫଣ୍ଡ ସ୍କାମ୍ ପର୍ଯ୍ୟନ୍ତ ସରକାରଙ୍କ ବିଭିନ୍ନ ବିଫଳତାକୁ ଗୋଟିଏ ପଟେ ବଖାଣିଥିବା ବେଳେ ମୋଦି ସରକାରଙ୍କ ସଫଳତାକୁ ଦଳ ଭୋଟରମାନଙ୍କ ପାଖରେ ପହଞ୍ଚାଇବାରେ ସଫଳ ହୋଇପାରିଛି । ପାଞ୍ଚଟି ପର୍ଯ୍ୟାୟ ନିର୍ବାଚନରେ ଗୋଟିଏ ପରେ ଗୋଟିଏ ପରେ ପ୍ରତ୍ୟେକ ପର୍ଯ୍ୟାୟରେ ଅଧିକରୁ ଅଧିକ ସଫଳତା ଦଳକୁ ଆଜି ଯେଉଁ ନୂଆ ସ୍ତରକୁ ଆଣିପାରିଛି, ତା’ ପଛରେ ଏହି ଡିଜିଟାଲ୍‌ ମିଡିଆର ଏକ ବଡ ଶ୍ରେୟ ରହିଛି ବୋଲି ରାଜନୀତି ସମୀକ୍ଷକମାନେ ବିଚାର କରୁଛନ୍ତି।

ସୋସିଆଲ ମିଡିଆ ମାଧ୍ୟମରେ ଦଳ ସପକ୍ଷରେ ଜନମତ ସୃଷ୍ଟି ପାଇଁ ବିଜେପିର ଯେଉଁ ୪ ଜଣିଆ ଟିମ୍ ରାତିଦିନ କାମ କରୁଥିଲେ ତାହା ଅନ୍ୟ ଦଳମାନଙ୍କଠାରୁ ପୂରାପୂରି ଅଲଗା ଥିଲା । କର୍ମୀମାନଙ୍କ ସହିତ ହ୍ୱାଟସ୍‌ଆପ୍‌ରୁ ଆରମ୍ଭକରି ଫେସ୍‌ବୁକ୍ ଜରିଆରେ ଯୋଗାଯୋଗ କରିବା ତଥା ସ୍ଥାନୀୟ ପରିସ୍ଥିତିକୁ ବୁଝିବାରେ ଏହା ବିଶେଷ କାମ ଦେଇଥିଲା । ବିଜେପିର ‘ପୋଷ୍ଟର ବୟ’ କୁହାଯାଉଥିବା ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ବେଳେ ୩୦ଟି ଜିଲ୍ଲା ଭିତରୁ ୨୪ଟି ଜିଲ୍ଲାରେ ୪୪ଟି ରାଲିରେ ଯୋଗଦେଇଥିଲେ । ନିଜେ ମଧ୍ୟ ସେ ଗଣମାଧ୍ୟମରେ ନବୀନ ସରକାରର ବିଫଳତା ବିରୋଧରେ ତୁହାକୁ ତୁହା ମତ ଦେଉଥିବା ନଜରରେ ପଡ଼ିଥିଲା ।

ଦଳର ଛାମୁଆ ନେତା ଓ ମୁଖପାତ୍ରମାନେ ମଧ୍ୟ ଚଳିତ ନିର୍ବାଚନ ବେଳେ ସୋସିଆଲ୍‍ ମିଡିଆକୁ ଜବରଦସ୍ତ ବ୍ୟବହାର କରିବା ଦେଖିବାକୁ ମିଳିଛି। ଧର୍ମେନ୍ଦ୍ରଙ୍କ ଘନଘନ ଟ୍ୱିଟର ମାଡ଼ ଭଳି ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ମୁଖପାତ୍ର ସଜ୍ଜନ ଶର୍ମା ପ୍ରମୁଖଙ୍କ ଟ୍ୱିଟର ମେସେଜ୍‍ ସୋସିଆଲ୍‌ ମିଡିଆ ସହ ପରିଚିତ ମହଲରେ ପହଞ୍ଚିବାରେ ସକ୍ଷମ ହୋ‍ଇଥିଲା। ସେହିଭଳି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ପଛରେ ପଡ଼ିନଥିଲେ । ସୋସିଆଲ ମିଡିଆରେ ବିଜେପିର ଏହି ପ୍ରବେଶ ପ୍ରଥମ ଥର ପାଇଁ ଦଳକୁ ସଫଳତା ଆଣିବା ସହିତ ଅନେକ ଜିଲ୍ଲା ପରିଷଦ ଜୋନ୍‌ରେ ଜିତିବା ସମ୍ଭବ ହୋଇଥିଲା ।

ଅନ୍ୟ ପକ୍ଷରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚାୟତ ନିର୍ବାଚନରେ ବିଶେଷ ଯୋଗଦାନ କରିନଥିଲେ, ବରଂ ଫିଲ୍ମ ଷ୍ଟାର ଓ ମନ୍ତ୍ରୀମାନେ ନିର୍ବାଚନ ପ୍ରଚାରକୁ ଚଳାଇ ରଖିଥିଲେ । ପଞ୍ଚାୟତ ନିର୍ବାଚନରେ ପ୍ରଚାର ଅଭିଯାନରେ ସବୁଠାରୁ ପଛରେ ପଡ଼ିଯାଇଥିଲା କଂଗ୍ରେସ ଦଳ । ପାରମ୍ପରିକ ଢ଼ାଞ୍ଚାରେ ପ୍ରଚାର କରିବା  ବ୍ୟତୀତ ଦଳ ସେଭଳି କିଛି ଚମକାଇବା ଭଳି କଥା ଆଖିରେ ପଡ଼ିନଥିଲା । ଏପରିକି ସୋସିଆଲ ମିଡିଆରେ କଂଗ୍ରେସର ଉପସ୍ଥିତି ମଧ୍ୟ ନଥିଲା । ଖାଲି ସେତିକି ନୁହେଁ ଦଳର କୌଣସି କେନ୍ଦ୍ରୀୟ ନେତା ପ୍ରଚାରକୁ ଆସିନଥିଲେ ।

Leave a Reply

Your email address will not be published. Required fields are marked *

*