ଭୁବନେଶ୍ୱର, ୧୯।୧୨।୨୦୧୬ (ଓଡ଼ିଶାଲାଇଭ୍ ବ୍ୟୁରୋ): ୨୭ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ‘ମୋହନ ସୁନ୍ଦର ଦେବଗୋସ୍ୱାମୀ ସମ୍ମାନ’ ରେ ସମ୍ମାନିତ ହୋଇଛନ୍ତି ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ କୁମାର ପରିଜା। ୨୦୧୫ ବର୍ଷ ପାଇଁ ଶ୍ରେଷ୍ଠ ଚଳଚ୍ଚିତ୍ର ‘କେହି ନୁହେଁ କାହାର’ ଭଳି ଉଚ୍ଚକୋଟିର ଚଳଚ୍ଚିତ୍ର ନିର୍ମାଣ କରି ସେ ବେଶ୍ ପ୍ରଶଂସିତ ହୋଇଥିଲେ।

ଶ୍ରୀ ପରିଜା ଏକ ଦଶନ୍ଧିରୁ ଅଧିକ ସମୟ ଧରି ଚଳଚ୍ଚିତ୍ର ମାଧ୍ୟମରେ ନିଜର ପ୍ରୟାସ ଜାରି ରଖିଛନ୍ତି। ସେ ଓଡ଼ିଶାର କଳା, ସଂସ୍କୃତି, ସାହିତ୍ୟ ଓ ପରମ୍ପରାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ପ୍ରୟାସରତ।

ପୁରସ୍କାର ସମାରୋହ ଅବସରରେ ‘ଓଡ଼ିଶାଲାଇଭ୍’କୁ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ଚଳଚ୍ଚିତ୍ର ତିଆରି କରିବା ବେଳେ ମୁଁ ଲାଭକ୍ଷତିର ହିସାବ ନ ରଖି ରାଜ୍ୟର କଳା ଓ ସଂସ୍କୃତିକୁ ପ୍ରାଧାନ୍ୟ ଦେଇଥାଏ। ମୁଁ ବିଭିନ୍ନ ଆଡୁ ପୁରସ୍କାର ପାଇଛି ହେଲେ ଆଜିର ଏହି ପୁରସ୍କାର ମୋତେ ଆଗାମୀ ଦିନରେ କିଛି ନୂଆ ଧରଣର ଚଳଚ୍ଚିତ୍ର ତିଆରି କରିବା ପାଇଁ ଉତ୍ସାହ ଯୋଗାଇବ ଏବଂ ସେ କହିଛନ୍ତି ଯେ ନବବର୍ଷ ଅବସରରେ ସେ ଦର୍ଶକଙ୍କୁ ପୁଣି ନୂଆ ଚଳଚ୍ଚିତ୍ର ଭେଟି ଦେବେ। ଯାହା ଦର୍ଶକଙ୍କ ମନକୁ ବେଶ୍ ଛୁଇଁବ।

ଏହି ଅବସରରେ ସେ ଓଡ଼ିଶାର ଅଗଣିତ  ସିନେପ୍ରେମୀ, ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଏବଂ ଜୁରୀ ସଦସ୍ୟଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଏ ବର୍ଷ ମଧ୍ୟ ତାଙ୍କ ଚଳଚ୍ଚିତ୍ର ‘କେହି ନୁହେଁ କାହାର’ ପାଇଁ ଚଳଚ୍ଚିତ୍ରର ଶ୍ରେଷ୍ଠ ଗୀତିକାର ବାପୁ ଗୋସ୍ୱାମୀ, ଶ୍ରେଷ୍ଠ ଚିତ୍ରନାଟ୍ୟ ପାଇଁ ସୁଶାନ୍ତ ମଣି, ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ପ୍ରିୟଙ୍କା ପଟ୍ଟନାୟକ, ଶ୍ରେଷ୍ଠ ଶଦ୍ଦ ଗ୍ରହଣକାରୀ ବାସୁଦେବ ସେଠୀ, ଶ୍ରେଷ୍ଠ ବେଶପୋଷାକ ପାଇଁ ନିର୍ମଳ ଦାସ, ଶ୍ରେଷ୍ଠ ରୂପ ସଜ୍ଜାକାରୀ ସମରେଶ ପାଲ୍ ମଧ୍ୟ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ସଂସ୍କୃତି ବିଭାଗ ତରଫରୁ ପୁରସ୍କୃତ ହୋଇଛନ୍ତି।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ କୁମାର ପଣ୍ଡା, ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ଅରୁଣ କୁମାର ସାହୁ, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜୟ ମହାନ୍ତି, ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ, ସଂସ୍କୃତି ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ପଟ୍ଟନାୟକ ଏବଂ ବହୁ ସିନେ କଳାକାର, ସିନେପ୍ରେମୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

*