mahanadi-card_nଭୁବନେଶ୍ୱର, ୧୭/୦୯/୨୦୧୬(ଓଡ଼ିଶାଲାଇଭ୍ ବ୍ୟୁରୋ): ନୂଆଦିଲ୍ଲୀର ଶ୍ରମଶକ୍ତି ଭବନରେ ଆଜି ଓଡ଼ିଶା-ଛତିଶଗଡ଼ ମଧ୍ୟରେ ମହାନଦୀ ଜଳକୁ ନେଇ ଉପୁଜୁଥିବା ବିବାଦ ସମ୍ପର୍କରେ ଏକ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉଭୟ ରାଜ୍ୟ ନିଜ ନିଜ ଜିଦ୍‌ରେ ଅଟଳ ଥିବା ବେଳେ ଏହି ସମ୍ପର୍କରେ କୌଣସି ସହମତି ପ୍ରକାଶ ପାଇପାରିନାହିଁ। ଏହି ବୈଠକରେ ମହାନଦୀ ଓଡ଼ିଶାର ଲାଇଫ୍‌ ଲାଇନ୍‌ ବୋଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଆଲୋଚନା ଚକ୍ରରେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀ ମଧ୍ୟସ୍ଥତା କରିଥିଲେ।

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ କହିଛନ୍ତି ଯେ ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ନିର୍ମାଣ କରୁଥିବା କୌଣସି ପ୍ରକଳ୍ପ ବନ୍ଦ କରାଯିବ ନାହିଁ। ପ୍ରକଳ୍ପ କାର୍ଯ୍ୟ ଯେପରି ପୂର୍ବଭଳି ଚାଲୁଥିଲା ଠିକ୍ ସେହିପରି ଚାଲିବ ବୋଲି ସେ ସୂଚନା ଦେଇଛନ୍ତି।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଆମେ ମହାନଦୀକୁ ନେଇ ଦୃଢ଼ ଯୁକ୍ତି ଉପସ୍ଥାପନା କଲୁ। ଓଡ଼ିଶାରେ ୬୫ ପ୍ରତିଶତରୁ ଊର୍ଦ୍ଧ୍ୱ ଲୋକ ମହାନଦୀ ଉପରେ ନିର୍ଭର କରୁଛନ୍ତି। ଆମର ଦାବିଗୁଡ଼ିକୁ ଛତିଶଗଡ଼ ସରକାର ଗ୍ରହଣ କରୁନାହାନ୍ତି। ତେଣୁ ଆମ୍ଭେ ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍‌ର ଏକ ବୈଠକ ଡାକିବୁ ଏବଂ ଏ ବୈଠକରେ ଏ ପ୍ରସଙ୍ଗରେ ଆଲୋଚନା କରାଯାଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଏହି ବୈଠକରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଜଳ ସମ୍ପଦ ବିଭାଗର ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା, ଶିଳ୍ପ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଆଦି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

*