ନୀଳାମ୍ବର ରଥ

“ବୀର ପ୍ରସବିନୀ କୋଟି ସୁତମାତା/ପାଇବ କି ଦରଶନ/ମୋ ଭଳି ନିର୍ଗୁଣ ଧନ ମାନହୀନ/ସନ୍ତାନ କଲେ ରୋଦନ”। କେବଳ ସନ୍ତାନ ରୋଦନ କଲେ ମା’ର ଦୁଃଖଦୁର୍ଦ୍ଦଶା ଦୂର ହୋ‍ଇଯିବ ନାହିଁ। ଯଦି ଆମେ ବୀର ପ୍ରସବିନୀ ମାଆର ସୁଖ ଚାହୁଁଥାଉ ତେବେ ଆମକୁ ସ୍ୱାର୍ଥମେଦ ଯଜ୍ଞରେ ନିଜ ସ୍ୱାର୍ଥକୁ ଆହୂତି ଦେଇ ଜାତିପ୍ରେମର ବହ୍ନିକୁ ଆହୁରି ପ୍ରଜ୍ଜ୍ୱଳିତ କରିବାକୁ ହେବ।

ଦିନେ ଏ ଥିଲା ପରାଧିନ ଭାରତର ଉତ୍କଳ ଭୂଖଣ୍ଡର ସନ୍ତାନମାନଙ୍କୁ ମଧୁସୂଦନ ଦାସଙ୍କ ଆହ୍ୱାନ। ମଧୁସୂଦନ ଦାସ, ଉତ୍କଳଗୌରବ, କୁଳବୃଦ୍ଧ ବା ମଧୁବାବୁ, ଏହି ଗୋଟିଏ ପ୍ରାଣ କୋଟି ପ୍ରାଣରେ ଯେଉଁ ଉତ୍କଳୀୟ ଚେତନା ସୃଷ୍ଟି କରିଥିଲା, ତାହା ଆଜି ବି ଆମକୁ ଆନ୍ଦୋଳିତ କରେ। ଆଜି ଯେତେବେଳେ ଆମ ସମାଜ ନୂଆ ଚିନ୍ତା, ଚେତନା ଏବଂ ନୂଆ ସମ୍ବେଦନା ଓ ଚେତନା ଭିତରେ ଗତି କରୁଛି, ପ୍ରଶ୍ନ ଉଠୁଛି ଆଜିଠୁ ୮୩ ବର୍ଷ ତଳେ ଆଖି ବୁଜିଥିବା ଉତ୍କଳ ବରପୁତ୍ରଙ୍କ ଜୀବନ ଓ କର୍ମ ଆଜିର ପିଢିକୁ କିଭଳିଭାବେ ପ୍ରଭାବିତ କରିବ। ବିଶେଷକରି ଆଜି ସ୍ମାର୍ଟଫୋନ୍‍ ଓ ମୋବାଇଲ୍‍ ଆପ୍‍ ଜଗତରେ ଡ଼ୁବି ଯାଇଥିବା ଯୁବଗୋଷ୍ଠୀଙ୍କ ପାଇଁ ମଧୁବାବୁ କିଭଳି ପ୍ରେରଣା ହେବେ।

ମୋ ବିଚାରରେ ମଧୁବାବୁଙ୍କ ଜୀବନ କଥା ଆଜି ବି ଆମ ସାମାଜିକ ଜୀବନ, ବ୍ୟକ୍ତି ଜୀବନ ଏପରିକି ରାଜନୀତି ଓ ପ୍ରଶାସନ ପାଇଁ ବେଶ୍‍ ପ୍ରାସଙ୍ଗିକ। ସାଧାରଣଭବେ ମଧୁସୂଦନ ଦାସଙ୍କ ନାଁ ଆସିଲେ ଆମେ କହୁ ଯେ ସ୍ୱତନ୍ତ୍ର ପ୍ରଦେଶ ଗଠନର ସେ ଥିଲେ ପ୍ରମୁଖ ବିନ୍ଧାଣୀ। ତାଙ୍କ  ନେତୃତ୍ୱରେ ଅନେକ ଓଡ଼ିଆ ବରପୁତ୍ରଙ୍କ ବଳିଦାନରେ ୧୯୩୬ ମସିହାରେ ଭାରତର ପ୍ରଥମ ଭାଷାଭିତ୍ତିକ ପ୍ରଦେଶ ଭାବେ ସ୍ୱୀକୃତ ପାଇଥିଲା ଓଡ଼ିଶା। ସେହିପରି ଓଡ଼ିଆ ଭାଷା ଆନ୍ଦୋଳନ କ୍ଷେତ୍ରରେ ମଧ୍ୟ ମଧୁବାବୁଙ୍କ ନାଁ ପ୍ରାତଃସ୍ମରଣୀୟ। କିନ୍ତୁ ଏ ଦୁଇଟି ବିଷୟ ବାହାରେ ମଧୁବାବୁଙ୍କର ଯେ ଏଭଳି କିଛି ଅବଦାନ ରହିଛି ଓ ତାହା ଆମ ଯୁବପିଢି ପାଇଁ ପ୍ରେରଣାର ବିଷୟ ହୋ‍ଇପାରେ, ସେ ବାବଦରେ ବିଶେଷ ଆଲୋଚନା ହେଉନାହିଁ।

ଆଜି ସାରା ଦେଶରେ ସ୍କିଲ୍‍ ଡେଭେଲୋପ୍‍‌ମେଣ୍ଟ ବା ଦକ୍ଷତା ବିକାଶ ପ୍ରଶାସନର ଏକ ବଡ଼ ନାରା ହୋ‍ଇଛି। ଓଡ଼ିଶା ସରକାର ଆଉ ପାଦେ ଆଗକୁ ଯାଇ ରାଜ୍ୟରେ ଯୁବପିଢି ମଧ୍ୟରେ ଦକ୍ଷତା ବିକାଶ ଓ ନିଯୁକ୍ତି ସମ୍ଭାବନାକୁ ଅଧିକ ସକ୍ରିୟ କରିବା ପାଇଁ ଗଠନ କରିଛନ୍ତି ’ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ’। ଯଦି ଆମେ ଗୋଟିଏ ଶତାବ୍ଦୀ ଫେରିଯିବା ତାହାଲେ ଇତିହାସରେ ଆମେ ଦେଖିପାରିବା ଯେ ତତ୍କାଳୀନ ଓଡ଼ିଶାର ହସ୍ତଶିଳ୍ପୀମାନଙ୍କୁ ସଂଗଠିତ କରିବା ଓ ତାଲିମ୍‍ ମାଧ୍ୟମରେ ସେମାନଙ୍କ ଦକ୍ଷତାର ବିକାଶ କରି ଏବଂ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ବଜାର ସୃଷ୍ଟି କରି କିଭଳି ସେମାନଙ୍କ ଆର୍ଥିକ ବିକାଶ କରାଯାଇପାରିବ, ସେ ବାବଦରେ ମଧୁବାବୁ କେତେ ଚିନ୍ତା କରୁଥିଲେ। ଆମେ ହୁଏତ ଜାଣିନଥିବା ଯେ ମଧୁବାବୁ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଉତ୍କଳ ଟ୍ୟାନେରି ପରିସର ଭିତରେ ଏକ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ କରିଥିଲେ। (ମହାତ୍ମାଗାନ୍ଧି ୨୩ ସେପ୍ଟେମ୍ବର ୧୯୨୮ ମସିହାରେ ପ୍ରକାଶିତ ’ନବଜୀବନ’ ପତ୍ରିକାରେ ଏ ବିଷୟରେ ପ୍ରଶଂସା କରିଛନ୍ତି।)

୧୯୦୨ ମସିହା ଏପ୍ରିଲ୍‍ ମାସରେ ବେଙ୍ଗଲ ଲେଜିସ୍ଲେଟିଭ୍‍ କାଉନ୍ସିଲ୍‌ରେ ଦକ୍ଷତା ବିକାଶ ଉପରେ ଉପସ୍ଥାପନ କରି କହିଥିଲେ,”Education should aim at improving the condition of artisans and the agricultural classes. To attain this aim, the hand and the head should be trained together”। ମଧୁବାବୁ ଜାଣିଥିଲେ ଯେ ଓଡ଼ିଶାରେ ହସ୍ତକଳାର ଯେଉଁ ବିବିଧତା ଓ କାରିଗରୀ ଦକ୍ଷତା ରହିଛି ତାକୁ ଏକ ବଡ଼ ଶିଳ୍ପରେ ପରିବର୍ତ୍ତନ କରାଯାଇପାରିବ ଏବଂ ତାହା ଦ୍ୱାରା ହଜାର ହଜାର ପରିବାରର ଆର୍ଥିକ ସ୍ଥିତିରେ ଉନ୍ନତି ଆସିପାରିବ। ଏହାଥିଲା ରାଜ୍ୟରେ ଶିଳ୍ପ ପରିବେଶ ସହ ବ୍ୟାପକ ଆର୍ଥିକ ବିକାଶ ଲାଗି ମଧୁବାବୁଙ୍କ ସୁଦୂରପ୍ରସାରୀ ପରିକଳ୍ପନାର ଏକ ବାସ୍ତବ ଚିତ୍ର।

ମଧୁବାବୁ ଥିଲେ ସର୍ବଭାରତୀୟ ସ୍ତରରେ ସେ ସମୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ସେ ସମୟରେ ଆଗେଇ ଆସିଥିବା ହାତଗଣତି କେତେ ଜଣଙ୍କ ମଧ୍ୟରେ ଜଣେ। ୧୮୯୭ ମସିହାରେ ଓଡ଼ିଶାର ହସ୍ତଶିଳ୍ପ କାରିଗରୀକୁ ପ୍ରୋତ୍ସାହନ ଦେବାକୁ ଯାଇ ସେ ପ୍ରତିଷ୍ଠା କରିଥିଲେ ’ଓଡ଼ିଶା ଆର୍ଟଓୟାର୍‍’। ଏହି ଶିଳ୍ପ ମାଧ୍ୟମରେ ଓଡ଼ିଶାର ସୂକ୍ଷ୍ମ ସୁନା ଓ ରୂପାର ତାରକସି ଗଢିଉଠିଥିଲା। ସେହିପରି ୧୯୦୫ ମସିହାରେ ମଧୁବାବୁ ପ୍ରତିଷ୍ଠା କରିଥିଲେ ’ଉତ୍କଳ ଟ୍ୟାନେରି’। ସ୍ୱଦେଶୀ ଜ୍ଞାନକୌଶଳର ପ୍ରୟୋଗ କରି ଆଧୁନିକ ଜୋତା ତିଆରି କିଭଳି କରାଯାଇପାରେ ତାହା ସେ ପ୍ରମାଣ କରି ଦେଖାଇପାରିଥିଲେ।

ଓଡ଼ିଶାର ହସ୍ତକଳା ସାମଗ୍ରୀକୁ କାଠ ବାକ୍ସରେ ଧରି ସୁଦୂର ଇଂଲଣ୍ଡ ଯାଇ ସେଠାରେ ପ୍ରଦର୍ଶନୀର ଆୟୋଜନ କରିଥିଲେ ମଧୁବାବୁ। ସେହିପରି ଚମଡ଼ା ଶିଳ୍ପର ବିକାଶ ଲାଗି ସୁଦୂର ଜର୍ମାନୀରୁ ଇଞ୍ଜିନିୟର ଡ଼କାଇ ମଧୁବାବୁ ଯେଭଳି ଭାବରେ ଚମଡ଼ା ଶିଳ୍ପର ନୂଆ ସମ୍ଭାବନା ସୃଷ୍ଟି କରିଥିଲେ, ତାହା ଆଜିର ଶିଳ୍ପପତିମାନଙ୍କ ପାଇଁ କମ୍‍ ପ୍ରେରଣାର ବିଷୟ ନୁହେଁ। ସେତେବେଳେ କଟକରେ ତିଆରି ଜୋତା ସୁଦୂର ୟୁରୋପ ଓ ଜାପାନ୍‌ରେ ପ୍ରସିଦ୍ଧି ଲାଭ କରିଥିଲା। ସେହିପରି ଉତ୍କଳ ଟ୍ୟାନେରିର ଜୋତା ପିନ୍ଧି ବ୍ରିଟିଶ୍‍ ଫୌଜ ପ୍ରଥମ ବିଶ୍ୱଯୁଦ୍ଧରେ ଓହ୍ଲାଇଥିଲେ। ଆଜି ଆମେ କଥା କଥାକେ ମୋବାଇଲ୍‍ ଟିପିରେ ବିଦେଶୀ ଜିନିଷ କିଣିବା ପାଇଁ ଯେଉଁ ଆଗ୍ରହ ଦେଖାଉଛୁ ଆମେ ଜାଣି ଖୁସି ହେବା ଦରକାର ଯେ ଦିନେ ଓଡ଼ିଶାରେ ତିଆରି ଜିନିଷ ବିଶ୍ୱ ବଜାରରେ ନାଁ କରିଥିଲା।

ଜାତିର ପିତା ମହାତ୍ମାଗାନ୍ଧି ୧୯୨୫ ମସିହାରେ କଟକ ଆସି ଉତ୍କଳ ଟ୍ୟାନେରି ବୁଲି ଦେଖିଥିଲେ। ମଧୁବାବୁଙ୍କ କାମ ତାଙ୍କୁ ଏତେ ପ୍ରଭାବିତ କରିଥିଲା ଯେ ସାବରମତି ଆଶ୍ରମରେ ଗାନ୍ଧି ପ୍ରତିଷ୍ଠା କରିବାକୁ ଚାହୁଁଥିବା ଟ୍ୟାନେରି ପାଇଁ ଦିଗ୍‌ଦର୍ଶନ ଦେବାକୁ ମଧୁବାବୁଙ୍କୁ ଅନୁରୋଧ କରିଥିଲେ।

ଉତ୍କଳ ଟ୍ୟାନେରି ମାଧ୍ୟମରେ ଏକ ବଡ଼ ସାମାଜିକ ସଂସ୍କାର କାର୍ଯ୍ୟ କରିପାରିଥିଲେ ମଧୁବାବୁ। ସେତେବେଳେ ସମାଜରେ ଉଚ୍ଚନିଚ୍ଚ ବା ଜାତିଭେଦ ଉତ୍କଟ ରୂପ ଧାରଣ କରିଥିଲା। ବିଶେଷକରି ସମାଜରେ ମେହେନ୍ତର ଏବଂ ମୋଚି ଜାତି ପ୍ରତି ଲୋକଙ୍କ ଏକ ପ୍ରକାରର ହୀନ ନଜର ରହିଥିଲା। ସେହି ଜାତିର ପ୍ରାୟ ଦୁଇ ଶହରୁ ଅଧିକ ମେହେନ୍ତର ଓ ଶହେରୁ ଅଧିକ ମୋଚିଙ୍କୁ ନିଯୁକ୍ତ ଦେଇ ଉତ୍କଳ ଟ୍ୟାନେରି ଭାରତରେ ଦଳିତ ଜାତିର ସମ୍ମାନ ଓ ଆର୍ଥିକ ବିକାଶ କ୍ଷେତ୍ରରେ ଏକ ବଡ଼ ଉଦାହରଣ ପାଲଟିଥିଲା। ଏ କଥାଟି ମହାତ୍ମାଗାନ୍ଧିଙ୍କୁ ବେଶ୍‍ ପ୍ରଭାବିତ କରିଥିଲା।

ଆଜି ଆମ ଦେଶରେ ଶିଳ୍ପ ବିକାଶ, ଦକ୍ଷତା ବିକାଶ, ହସ୍ତକଳାର ପ୍ରସାର ଆଦି ବିଷୟରେ ଯେଉଁସବୁ କଥା ଆମେ ଆଲୋଚନା କରୁଛୁ, ଆଜିଠୁ ଶହେ ବର୍ଷ ତଳେ ମଧୁବାବୁ ତାକୁ କାମରେ କରି ଦେଖାଇଥିଲେ। ସେହିପରି ଆଜି ଯେଉଁ ମେକ୍‌-ଇନ୍‌-ଇଣ୍ଡିଆ ଓ ମେକ୍‍-ଇନ୍‍-ଓଡ଼ିଶାର ସ୍ୱର ଘନ ଘନ ଶୁଣିବାକୁ ମିଳୁଛି ଆଜିଠାରୁ ଗୋଟିଏ ଶତାବ୍ଦୀରୁ ଅଧିକ ଦିନ ତଳେ ଏହି ସଙ୍କେତ ଦେଇଥିଲେ ଉତ୍କଳଗୌରବ ମଧୁସୂଦନ ଦାସ।

୧୬ ମାର୍ଚ୍ଚ ୧୯୨୮ରେ ସାବରମତୀ ଆଶ୍ରମରୁ ମହାତ୍ମାଗାନ୍ଧି ମଧୁବାବୁଙ୍କୁ ଯେଉଁ ଚିତ୍ର ଲେଖିଥିଲେ, ସେଥିରେ ସେ କହିଥିଲେ ଯେ ଆଶ୍ରମରେ ସେ ଯେଉଁ ଟ୍ୟାନେରି ପ୍ରତିଷ୍ଠା କରିବାକୁ ଯାଉଛନ୍ତି, ତାହା ପଛର ପ୍ରେରଣା ନିଜେ ମଧୁବାବୁ। ତେଣୁ କିଭଳି ଭାବରେ ଟ୍ୟାନେରିର ପରିଚାଳନା କରାଯିବ ଓ ଉନ୍ନତ ମାନର ଚମଡା ବାହାରିପାରିବ ଏ ବାବଦରେ ତାଙ୍କୁ ଅଧିକ ପରାମର୍ଶ ଦେବାକୁ ଗାନ୍ଧି ଏହି ଚିଠିରେ ମଧୁବାବୁଙ୍କୁ ଅନୁରୋଧ କରିଥିଲେ।

୩ ଜୁଲାଇ ୧୯୨୭ରେ ବାଙ୍ଗାଲୋରଠାରେ ଖଦି ପ୍ରଦର୍ଶନରେ ଭାଷଣ ଦେବା ଅବସରରେ ମଧୁବାବୁଙ୍କୁ ସ୍ମରଣ କରିଥିଲେ ମହାତ୍ମାଗାନ୍ଧି। ତାଙ୍କ କଥାର ମର୍ମ ଥିଲା: ମଧୁସୂଦନ ଦାସ କଟକର ଜଣେ ତେଜସ୍ୱୀ ଓକିଲ ଭାବେ ପରିଚିତ। ଏ ଦେଶର ଦାରିଦ୍ର୍ୟ ତାଙ୍କୁ ଏତେ ପ୍ରଭାବିତ କରିଥିଲା ଯେ ସେ ଅନୁଭବ କଲେ ଯେ ବଳଦ ଓ ଲଙ୍ଗଳ ଧରି କାର୍ଯ୍ୟ କରିବା ସହିତ ଯଦି ଆମେ କୌଣସି କ୍ଷୁଦ୍ର ଓ ହସ୍ତଶିଳ୍ପ କାମରେ ନିଜକୁ ନ ଯୋଡ଼ୁ ତାହେଲେ ଆମମାନଙ୍କର କାର୍ଯ୍ୟ ଗୋରୁମାନଙ୍କଠାରୁ ବିଶେଷ ଉନ୍ନତ ବୋଲି କୁହାଯାଇପାରିବ ନାହିଁ। ତେଣୁ ଦେଶରେ ପ୍ରଚଳିତ ସୂକ୍ଷ୍ମ ହସ୍ତକଳା ଓ କାରିଗରିକୁ କିଭଳି ଅଧିକରୁ ଅଧିକ ଲୋକ ଆୟତ୍ତ କରିବେ ଓ ତାକୁ କିଭଳି ଏକ ଶିଳ୍ପରେ ପରିଣତ କରାଯାଇପାରିବ, ସେ ବାବଦରେ ମଧୁସୂଦନ ଏକ ନୂଆ ଧାରା ସୃଷ୍ଟି କରିଛନ୍ତି।

ଓଡ଼ିଶା କାହିଁକି ଭାରତୀୟ ସମାଜ ପାଇଁ ମଧୁବାବୁଙ୍କ ଆଉ ଏକ ବଡ଼ ଅବଦାନ ହେଉଛି ’ସମବାୟ ଚିନ୍ତାଧାରା’ । ଏହି ପରିକଳ୍ପନା ପରବର୍ତ୍ତି ସମୟରେ ମହାତ୍ମାଗାନ୍ଧିଙ୍କୁ ପ୍ରଭାବିତ କରିଥିଲା। ଏହା ଏପରି ଏକ ଚିନ୍ତାଧାରା ଯାହାକି ଆଜି ବି ଆମ ଦେଶରେ ବିଭିନ୍ନ କ୍ଷେତ୍ରରେ ବହୁଳ ଭାବରେ ପ୍ରୟୋଗ ହେଉଛି।

ମଧୁବାବୁ କେବଳ ଜଣେ ଭାଷାପ୍ରାଣ ନଥିଲେ, କି ନଥିଲେ ଜଣେ ବିଚକ୍ଷଣ ବାରିଷ୍ଟର, ସେହିପରି ସେ କେବଳ ନଥିଲେ ଜଣେ ବିଦ୍ୱାନ ବ୍ୟବସ୍ଥାପକ ବା ଜଣେ ଦୂରଦୃଷ୍ଟିସମ୍ପନ୍ନ ମଣିଷ, ବାସ୍ତବରେ ମଧୁବାବୁ ଥିଲେ ଓଡ଼ିଆ ଜାତିପ୍ରାଣର ସ୍ପନ୍ଦନ, ଓ ଭାରତୀୟ ଜାତୀୟ ଜୀବନର ଅନ୍ୟତମ ମାର୍ଗଦର୍ଶକ। ମୋର ମନେହୁଏ ତାଙ୍କ ଜୀବନ, କର୍ମ ଓ ଆଦର୍ଶ ଆଜି ବି ବେଶ୍‌ ପ୍ରାସଙ୍ଗିକ ଓ ଆମର ପରବର୍ତ୍ତି ପିଢି ପାଇଁ ଏକ ବଡ଼ ପ୍ରେରଣା। କେବଳ ପ୍ରଶ୍ନ ହେଉଛି ଆମେ ଏହି ମଣିଷଟିର ଜୀବନ ଆଦର୍ଶକୁ କିଭଳି ଭାବରେ ନୂଆ ପିଢି ସାମନାରେ ଜୀବନ୍ତ ଭାବେ ଉପସ୍ଥାପନ କରିବା।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ଓଡ଼ିଶାଲାଇଭ୍‌ର ପ୍ରତିଷ୍ଠାତା ଓ ସମ୍ପାଦକ)

For more information and articles on the legend log on to: www.madhusudandas.org

Leave a Reply

Your email address will not be published. Required fields are marked *

*