ଭୁବନେଶ୍ୱର, ୧୬୨୦୧୭ (ଓଡ଼ିଶାଲାଇଭ୍‍ ବ୍ୟୁରୋ) : ନବେ ଦଶକରେ ମଣ୍ଡଳ କମିସନ ଏବଂ ପଚାଶ ଦଶକରେ କାବେଲକର କମିସନ ଦେଶର ଶିକ୍ଷା ଓ ସାମାଜିକ ଦୃଷ୍ଟିକୋଣରୁ ପଛୁଆ ଥିବା ଲୋକଙ୍କ ବାବଦରେ ଗୁରତ୍ୱ ଦେଇଥିଲେ । ୧୯୯୩ରେ ଏହି ପଛୁଆବର୍ଗଙ୍କ ପାଇଁ ଆୟୋଗ ଗଠିତ ହୋଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ଓବିସି ଆୟୋଗକୁ ସାମ୍ବିଧାନିକ ସ୍ୱୀକୃତି ମିଳିନାହିଁ ।  ୩୦ ବର୍ଷ ବିତିଯାଇଥିଲେ ମଧ୍ୟ ପଛୁଆବର୍ଗଙ୍କ ପାଇଁ କରାଯାଇଥିବା ସଂରକ୍ଷଣ ବ୍ୟବସ୍ଥାର କୌଣସି ସୁଫଳ ମିଳିନାହିଁ ଦେଶର ପଛୁଆବର୍ଗ ମଧ୍ୟରେ ଅବସ୍ଥାନ କରୁଥିବା ଲୋକମାନଙ୍କୁ । ମୁସଲିମ୍ ହେଉ କି ଗରୀବ ଅଥବା ଓବିସି; ଏମିତି କିଛି ନାଁ ନେଇ କଂଗ୍ରେସ ଦଳ ଏ ଦେଶର ଲୋକମାନଙ୍କୁ କେବଳ ଭୋଟ୍ ମାଗୁଥିଲା, ହେଲେ ସେମାନଙ୍କୁ ନ୍ୟାୟ ଦେବା ପାଇଁ କୌଣସି ପଦକ୍ଷେପ ନେଲା ନାହିଁ । ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ କଂଗ୍ରେସର ରାଜନୀତି କେବଳ ଲୋକବାଣ ରାଜନୀତି ଥିଲା ବୋଲି ଆରୋପ କରିଛନ୍ତି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ପ୍ରକାଶ ଜାଭେଦକର ।

ଓବିସି ବିଲ୍ ପାରିତ ନ ହେବାର କାରଣ ଦର୍ଶାଇ ଜାଭେଦକର କହିଛନ୍ତି ପୂରା କାହାଣୀ । ଗତକାଲି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ସାଂସଦ ନାରାୟଣ ଯାଦବ ଓବିସି ବିଲ୍ ସମ୍ପର୍କରେ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ  । ଯାଦବଙ୍କ ଏହି ପ୍ରସ୍ତବକୁ ସମର୍ଥନ କରିଥିଲେ ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୋଦି ସରକାରଙ୍କ ସମୟରେ ଦେଶର ପଛୁଆବର୍ଗ(ଓବିସି) ଲୋକମାନଙ୍କ ପାଇଁ ଏକ  ଐତିହାସିକ ନିର୍ଣ୍ଣୟ ନିଆଯାଇଛି । ଏସ୍‍ସି ଓ ଏସ୍‌ଟିଙ୍କ ପରି ସ୍ୱତନ୍ତ୍ର ଭାବେ ଓବିସି ଆୟୋଗ ତିଆରି ଷ୍ଟାଟସ୍ ପ୍ରସ୍ତୁତ ହୋଇଛି । ଓବିସିକୁ ସାମ୍ବାଧାନିକ ମାନ୍ୟତା ପ୍ରଦାନ ପାଇଁ ମନ୍ତ୍ରୀମଣ୍ଡଳରେ ଆଲୋଚନା ହେବା ପରେ ଲୋକସଭାରେ ୩୪୬ ଜଣ ସଦସ୍ୟଙ୍କ ଦ୍ୱାରା ଏହା ପାରିତ ହୋଇଛି । ହେଲେ ଦୁର୍ଭାଗ୍ୟର କଥା ରାଜ୍ୟସଭାରେ କଂଗ୍ରେସ ଏବଂ ଅନ୍ୟ କିଛି ବିରୋଧୀ ଦଳର ଜନ ପ୍ରତିନିଧିମାନେ ଏହାକୁ ବିରୋଧ କରି କହିଥିଲେ ଯେ ଓବିସି ବିଷୟରେ ଆହୁରି ଚର୍ଚ୍ଚା ଓ ଆଲୋଚନାର ଆବଶ୍ୟକତା ଅଛି । କଂଗ୍ରେସ ଶାସନରେ ଥିବାବେଳେ ଓବିସିଙ୍କୁ ନ୍ୟାୟ ଦେଲା ନାହିଁ, ଏବେ ବି ଓବିସି ବର୍ଗରେ ଥିବା ଗାଁ, ଗରୀବ, କୃଷକ ଓ ଦିନ ମଜୁରିଆ ମାନଙ୍କୁ ନ୍ୟାୟ ଦେବାରେ ବିଳମ୍ବ କରୁଛି । ଗରୀବଙ୍କ ପ୍ରତି କେନ୍ଦ୍ରରେ ଥିବା ବିଜେପି ସରକାର ସମର୍ଥନ କରିବ ବୋଲି ସଂକଳ୍ପ ନେଇଛି ।

ଗତକାଲି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଯେଉଁ ପ୍ରସ୍ତାବ ପାରିତ ହୋଇଛି, ତାହା ରାଜନୈତିକ ପ୍ରସ୍ତାବ ଥିଲା ବୋଲି କହିଛନ୍ତି ଜାଭେଦକର। ଏଥିରେ ୫ଟି ରାଜନୈତିକ ମୁଦ୍ଧା ଥିଲା । ମହାରାଷ୍ଟ୍ରରେ ୨୫ ଜିଲ୍ଲା ପରିଷଦ ୨୫୮ ନଗର ପାଳିକା, ୧୦ଟି ନଗର ନିଗମ। ଏଥିରେ ବିଜେପିକୁ ମିଳିଥିବା ଜନାଦେଶରୁ ପ୍ରମାଣିତ ହେଲା; ବିଜେପି ସବୁଠୁ ବେଶି ଭୋଟ୍ ପାଇଥିବା ଦଳ ଏବଂ ସବୁଠୁ ବେଶି ଆସନ ଅକ୍ତିଆର କରିଥିବା ଦଳ, ଅର୍ଥାତ୍ ଦେଶର ବିଜେପି ସବୁଠୁ ବଡ଼ ଦଳ । ସେହିପରି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର ଆଦି ରାଜ୍ୟରେ ହଠାତ୍ ୨ ପ୍ରତିଶତରୁ ୩୬ ପ୍ରତିଶତ ଭୋଟ୍‌କୁ ବୃଦ୍ଧି ପାଇଲା । ଅନ୍ୟପକ୍ଷରେ ଓଡ଼ିଶାରେ ହୋଇଥିବା ପଂଚାୟତ ନିର୍ବାଚନରୁ ୧୦ରୁ ୧୨%ରୁ ୩୬ ପ୍ରତିଶତରେ ପହଂଚିଛି।

ପ୍ରକାଶ ଜାଭେଦକର ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଆଂଟିକରପ୍ସନ, କଳାଧନ ଏବଂ ବିମୁଦ୍ରୀକରଣ; ପ୍ରତିଟି ସଫଳ ପଦକ୍ଷେପକୁ ଦେଶବାସୀ ବୁଝି ପାରିଛନ୍ତି । ସେଥିପାଇଁ ସେମାନେ ମୋଦିଜୀଙ୍କ ନେତୃତ୍ୱାଧୀନ ଦଳ ବିଜେପିକୁ ସମର୍ଥନ ଦେଇଛନ୍ତି । ଯଦି ଉଦାହରଣ ନେବେ ଜନଧନ ଯୋଜନାରେ ୨୮ କୋଟି, ଆଧାର ଯୋଜନାରେ ୧୨ କୋଟି ଏବଂ ୧୦୮ କୋଟି ଲୋକଙ୍କ ପାଖରେ ପହଂଚିଛି ମୋବାଇଲ ଫୋନ୍ । ଏସବୁ ଯୋଜନାରୁ ଲୋକାମାନଙ୍କୁ ସିଧାସଳଖ ଲାଭ ମିଳୁଛି। ହିତାଧିକାରୀଙ୍କ ଖାତାରେ ୪୨ ପ୍ରତିଶତ ଟଙ୍କା ଜମା ହେଉଛି । ଦେଶର ୬୩, ୦୦୦ କୋଟି ଟଙ୍କା ହିତାଧିକାରୀଙ୍କ ଖାତାକୁ ସିଧା ଯାଉଛି । ସେମାନଙ୍କ ଧନ କେହି ହେଲେ ନେଇ ପାରିବେ ନାହିଁ । ସେହିପରି ମୁଦ୍ରା ଯୋଜନାରେ ସାଢେ଼ ୬ କୋଟି ହିତାଧିକାରୀଙ୍କୁ ବିନା ଗ୍ୟାରେଂଟିରେ ଗରୀବମାନଙ୍କୁ ମିଳୁଛି ୨ ଲକ୍ଷ ୬୦ହଜାର କୋଟି ଟଙ୍କା ।

ଉଜାଲା ଯୋଜନା ପ୍ରସଙ୍ଗରେ ଜାଭେଦକର କହିଛନ୍ତି ଯେ ଦେଶରେ ୨୬ କୋଟି ପରିବାର ଅଛନ୍ତି । ୧୯୪୭ରୁ ଏପର୍ଯ୍ୟନ୍ତ ୧୪ କୋଟି ପରିବାରରେ ଏହି ସଂଯୋଗୀକରଣ ପହଂଚିଥିଲା । ହେଲେ ବିଜେପି ସରକାରଙ୍କ ମାତ୍ର ୩ ବର୍ଷର ଶାସନ ଭିତରେ ଦେଶର ୬ କୋଟି ପରିବାରକୁ ଏଲପିଜି ସଂଯୋଗ ମିଳିଛି । ଏମାନଙ୍କ ମଧ୍ୟରୁ ୨ କୋଟି ପରିବାରକୁ ଉଜାଲା ସଂଯୋଗ ମାଗଣାରେ ମିଳୁଛି । ଦେଶର ୧୮ ହଜାର ଗାଁରେ ବିଜୁଳି ନ ଥିଲା । ୬୭ ବର୍ଷର ସ୍ୱାଧୀନତା ଏବଂ ୬୦ ବର୍ଷର ଶାସନ ପରେ ବି କଂଗ୍ରେସ କହୁଥିଲା ଏସବୁ ଦୁର୍ଗମ ଅଂଚଳକୁ ବିଦ୍ୟୁତ୍ ସଂଯୋଗ ପାଇଁ ୧୦ ବର୍ଷ ସମୟ ଲାଗିବ । କିନ୍ତୁ ମୋଦିଜୀଙ୍କ ୩ ବର୍ଷର ଶାସନ ଭିତରେ ମୋଟ ୧୩ ହଜାର ଗାଁରେ ବିଜୁଳି ପହଂଚି ସାରିଛି । ୩୫୦ ଟଙ୍କାରେ ମିଳୁଥିବା ଏଲଇଡି ବଲ୍‌ବ ଏବେ ମାତ୍ର ୮୦ ଟଙ୍କାରେ ଉପଲବ୍ଧ ହେଉଛି ।

ଜାଭେଦକର କୃଷକମାନଙ୍କ ସମ୍ପର୍କରେ ଫୋକସ୍ କରି କହିଛନ୍ତି, ଦେଶର କୃଷକମାନଙ୍କୁ ୫ଟି ଲାଭ ମିଳିଛି । ସେଗୁଡ଼ିକ ହେଲା ସଏଲ ଇ କାଡର଼୍, ଋଣ ପାଇଁ କ୍ରେଡିଟ୍ କାଡର଼୍, ପ୍ରଧାନମନ୍ତ୍ରୀ ସିଚାଇ ଯୋଜନା, କ୍ରପ ଇନସ୍ୟୁରାନ୍ସ ବା ଫସଲବୀମା ଏବଂ ଅଭାବୀ ବିକ୍ରୀ ଉପରେ ଲଗାମ ।

ସେହିପରି ବହୁଚର୍ଚ୍ଚିତ ଜିଏସ୍‌ଟି ପ୍ରସଙ୍ଗ ଉଠାଇ ସେ କହିଛନ୍ତି, ଜିଏସ୍‌ଟି ଏକ କ୍ରାନ୍ତିକାରୀ ପଦକ୍ଷେପ । ସବୁ ରାଜ୍ୟଙ୍କୁ ସାଥୀରେ ନେଇ କେନ୍ଦ୍ର ସରକାର ପ୍ରତ୍ୟେକ ଜିନିଷ ଉପରେ ଟିକସ୍ ଧାର୍ଯ୍ୟ କରିବେ । ଜିଏସ୍‌ଟି ଦ୍ୱାରା ଲୋକଙ୍କ ଖର୍ଚ୍ଚ କମିବ, ରୋଜଗାର ବଢ଼ାଇବ ଏବଂ ପ୍ରକାରାନ୍ତରରେ ନିଯୁକ୍ତି ମିଳିବ । ଅନ୍ୟପକ୍ଷରେ ଡିଜିଟାଲ ସିଷ୍ଟମ୍‌ରେ ହିତାଧିକାରୀଙ୍କୁ କ୍ୟାସ୍ ସୋସାଇଟିରୁ ଲେସ୍ କ୍ୟାସ୍ ସୋସାଇଟିକୁ ଆଣିବା; ବେଶ୍ ସହଜ ହୋଇଛି ।

ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ଜନ୍ମତିଥିରେ ପ୍ରକାଶିତ ପତ୍ରିକା ସବୁ ଘରେ ପହଂଚିବ । ଏଥିରେ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଉଲ୍ଲେଖ ରହିଛି। ଲୋକଙ୍କ ଅବଗତି ନିମନ୍ତେ ଏହି ପତ୍ରିକାକୁ ଘରେ ଘରେ ପହଂଚାଯିବ । ଏହି କ୍ରମରେ ୩ଲକ୍ଷ ୫୦ ହଜାର ବିତରକ ସାମିଲ ହେବେ ।

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ଡଃ ସୁଧାଂଶୁ ତ୍ରିବେଦୀ ଓ ସମ୍ବିତ୍ ପାତ୍ର, ରାଷ୍ଟ୍ରୀୟ ସହ ମିଡିଆ ପ୍ରଭାରୀ ସଞ୍ଜୟ ମୟୁଖ ଏବଂ ରାଜ୍ୟ ପ୍ରବକ୍ତା ସଜ୍ଜନ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

*