କଟକ, ୨୩, ଡିସେମ୍ବର ୨୦୧୬ (ଓଡ଼ିଶାଲାଇଭ୍ ବ୍ୟୁରୋ): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜଣାଶୁଣା ଜନନେତା ସ୍ୱର୍ଗତ ବିଜୁ ପଟ୍ଟନାୟକ ଥିଲେ ଜଣେ ଦୁଃସାହସିକ ବୈମାନିକ। ତତ୍କାଳୀନ ବ୍ରିଟିଶ ସରକାରରେ ପାଇଲଟ୍ ଭାବେ କାମ କରୁଥିବା ବିଜୟାନନ୍ଦ ପଟ୍ଟନାୟକ ଓରଫ ବିଜୁବାବୁ ସେତେବେଳେ ବିଭିନ୍ନ ଘଟଣାରେ ଆକାଶ ମାର୍ଗରେ ତାଙ୍କର ଦକ୍ଷତା ଓ ଦୁଃସାହସିକତାର ପ୍ରମାଣ ଦେଇଥିଲେ। ବିଜୁବାବୁଙ୍କ ଜନ୍ମସ୍ଥାନ ଐତିହାସିକ ସହର କଟକରେ ତାଙ୍କର ଜନ୍ମ ଶତବାର୍ଷିକୀ ଅବସରରେ ଦୁଃସାହସିକ ବିମାନ ଉଡ଼ାଣ ପ୍ରଦର୍ଶନ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି  ଅର୍ପଣ କରାଯାଇଛି।

ଆଜି କଟକର କବି ବୈଷ୍ଣବ ପାଣି ପାର୍କ ନିକଟସ୍ଥ ଖାନନଗର ନଦୀ ପଠାରେ ଭାରତୀୟ ବାୟୁସେନା ଦ୍ୱାରା ଏହି ଦୁଃସାହସିକ ବିମାନ ଉଡ଼ାଣ କୌଶଳ ପ୍ରଦର୍ଶନ କରାଯାଇଥିଲା। ଏହି ଅଭୂତପୂର୍ବ ଉଡ଼ାଣ କୌଶଳ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକ ଜମା ହୋଇଥିଲେ। ଏହି ଅବସରରେ ରାଜ୍ୟପାଳ ଡକ୍ଟର ଏସ୍. ସି. ଜମିର, ରାଜ୍ୟପାଳଙ୍କ ପତ୍ନୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଏବଂ ଶାସକ ଦଳର ଅନେକ ବିଧାୟକ ଉପସ୍ଥିତ ଥିଲେ।

ବାୟୁସେନା ପକ୍ଷରୁ ଚାରୋଟି ହେଲିକପ୍ଟର ଏବଂ ଚାରୋଟି ଜେଟ୍ ବିମାନ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି ଆକାଶଗଙ୍ଗା ଓ ସୂର୍ଯ୍ୟକିରଣ ଗ୍ରୁପ୍ ତରଫରୁ ଦୀର୍ଘ ସମୟ ଧରି ଆକାଶମାର୍ଗରେ ବିଭିନ୍ନ ପ୍ରକାର ଦୁଃସାହସିକ ଉଡ଼ାଣ ପ୍ରଦର୍ଶନ ହୋଇଥିଲା।

ଚଳିତବର୍ଷ ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ରାଜ୍ୟ ସରକାର ଏବଂ ଦଳ ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆଜିର ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ କ୍ରୀଡ଼ା ଓ ଯୁବସେବା ବିଭାଗ। ଓଡ଼ିଆ ସ୍ୱାଭିମାନକୁ ଏକ ଅପ୍ରତିଦ୍ୱନ୍ଦ୍ୱୀ ଉଡ଼ାଣର ଗତିପଥରେ ଆଗେଇ ନେଇଥିବା ବୈମାନିକ ବିଜୁ ପଟ୍ଟନାୟକଙ୍କ ପ୍ରତି ଏହା ଥିଲା ଏକ ବିନମ୍ର ଶ୍ରଦ୍ଧାଞ୍ଜଳି ବୋଲି କୀଡ଼ା ଓ ଯୁବସେବା ମନ୍ତ୍ରୀ ସୁଦାମ ମାର୍ଣ୍ଡି ‘ଓଡ଼ିଶାଲାଇଭ୍‌’କୁ କହିଛନ୍ତି।

କଳିଙ୍ଗାଃ ସାହସିକାଃ। ବିଜୁବାବୁ ଥିଲେ ସେହି ବୀର କଳିଙ୍ଗ ଜାତିର ଜଣେ ବଳିଷ୍ଠ ଦାୟଦ। ତାଙ୍କ ଜନ୍ମସ୍ଥାନରେ ତାଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଦୁଃସାହସିକ ବିମାନ ଉଡ଼ାଣ ପ୍ରଦର୍ଶନ କେବଳ ତାଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ନୁହେଁ ବରଂ ଏହି ଐତିହାସିକ ପୁରୁଷଙ୍କୁ ସମକାଳୀନ ଜୀବନ ସହ ଯୋଡ଼ିବା ପାଇଁ ଏକ ଯଥାର୍ଥ ମାଧ୍ୟମ ବୋଲି ଶିଳ୍ପ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଏବଂ ବିଜୁ ଜନ୍ମ ଶତବାର୍ଷିକୀ ପାଳନ କମିଟିର ଅନ୍ୟତମ ପୁରୋଧା ଦେବୀ ମିଶ୍ର ‘ଓଡ଼ିଶାଲାଇଭ୍‌’କୁ କହିଛନ୍ତି।

Leave a Reply

Your email address will not be published. Required fields are marked *

*