ନୀଳାମ୍ବର ରଥ

ଗରିବ ଏବଂ ପଛୁଆ ବର୍ଗର ରୋଗୀଙ୍କ ଚିକିତ୍ସା ପାଇଁ ସରକାର ସହାୟତା ଦେବା ସହିତ କର୍ପୋରେଟ୍‌ ହସ୍ପିଟାଲ୍‌ମାନେ ରିହାତି ଦରରେ ଚିକିତ୍ସା ବାବଦରେ ଚିନ୍ତା କରିବା ଦରକାର। ସେହିପରି ରାଜ୍ୟରେ ସାଇକ୍ଲୋଟ୍ରନ୍‍ ଭଳି ରେଡିଓ ଫାର୍ମାସ୍ୟୁଟିକାଲ୍‍ ଔଷଧର ପ୍ରସ୍ତୁତି କରାଯାଇପାରିଲେ ଶହ ଶହ କ୍ୟାନ୍‌ସର୍‌ ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ଯଥେଷ୍ଟ କମିଯାଇପାରିବ।

ଓଡ଼ିଶାରେ କର୍କଟ ରୋଗୀଙ୍କ ସଂଖ୍ୟା ବଢୁଛି। ସେମାନଙ୍କ ମଧ୍ୟରେ ତମାଖୁଜନିତ କ୍ୟାନ୍‌ସର୍‌ ରୋଗୀଙ୍କ ସଂଖ୍ୟା ସର୍ବାଧିକ। ମୁଖ୍ୟତଃ ପାନ ଓ ଗୁଟ୍‌ଖା ଆଦି ସେବନ ତଥା ଧୂମପାନ କାରଣରୁ ସୃଷ୍ଟି ହେଉଥିବା ଏହି ରୋଗ ରାଜ୍ୟର ଏକ ବଡ଼ ସ୍ୱାସ୍ଥ୍ୟ ସମସ୍ୟା ବୋଲି କହିଲେ ଭୁଲ୍‍ ହେବ ନାହିଁ।

“ଆମ ପାଖକୁ ଯେତିକି କ୍ୟାନ୍‌ସର୍‌ ରୋଗୀ ଆସୁଛନ୍ତି, ସେମାନଙ୍କ ମଧ୍ୟରୁ ପ୍ରାୟ ୪୫ ଭାଗ ତମାଖୁଜନିତ କର୍କଟରେ ଆକ୍ରାନ୍ତ ହୋ‍ଇଥା’ନ୍ତି। ତା’ ପଛରେ ମୂଳ କାରଣ ହେଉଛି ବିଭିନ୍ନ ପ୍ରକାରର ତମାଖୁ ଜାତୀୟ ଦ୍ରବ୍ୟ ସେବନ। ଆଜିର ଯୁବପିଢି ଯେଭଳି ଭାବେ ଗୁଟ୍‌ଖା ଜାତୀୟ ବିଷ ପଛରେ ପଡ଼ିଛନ୍ତି, ସେମାନଙ୍କ ମଧ୍ୟରୁ ଅନେକ ଭବିଷ୍ୟତରେ ଏହି ରୋଗର ଶିକାର ହୋ‍ଇପାରନ୍ତି,” କହିଛନ୍ତି ଜଣାଶୁଣା କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ସଞ୍ଜିବ କୁମାର ମିଶ୍ର। ତେଣୁ ଆମର ଭବିଷ୍ୟତ ବଂଶଧରଙ୍କୁ ମରଣ ମୁହଁରୁ ବଞ୍ଚାଇବାକୁ ହେଲେ ଆମକୁ ଆଜିର ଯୁବପିଢିଙ୍କୁ ଏ ବିଷୟରେ ସଚେତନ କରାଇବାକୁ ହେବ।

“ଆମେ ଯେଉଁ ୪୫ ପ୍ରତିଶତ ତମାଖୁଜନିତ କର୍କଟ ରୋଗୀଙ୍କ କଥା ଆଲୋଚନା କରୁଛନ୍ତି, ସେମାନଙ୍କ ମଧ୍ୟରେ ଅଛନ୍ତି ପ୍ରାୟ ୨୫ ପ୍ରତିଶତ ମୁଖଗହ୍ୱର କର୍କଟ ରୋଗୀ। ଅର୍ଥାତ୍‍ ତମାଖୁଜନିତ କର୍କଟ କ୍ଷେତ୍ରରେ ପାଖାପାଖି ଅଧା ରୋଗୀ ମୁଖଗହ୍ୱର କର୍କଟ ସମସ୍ୟା ଭୋଗୁଛନ୍ତି,” ଅଧିକ ସୂଚନା ଦେଇଛନ୍ତି ଡାକ୍ତର ମିଶ୍ର।

ବର୍ତ୍ତମାନ ଦେଖାଯାଇଛି ଯେ ଯେତିକି କର୍କଟ ରୋଗୀ ମୁଖଗହ୍ୱର କର୍କଟରେ ଆକ୍ରାନ୍ତ ହେଉଛନ୍ତି, ସେମାନଙ୍କ ମଧ୍ୟରେ ୩୫ରୁ ୪୫ ବର୍ଷ ବୟସ୍କ ଲୋକଙ୍କ ସଂଖ୍ୟା ଅଧିକ। ସେହିପରି ଏହି ବର୍ଗରେ ପୁରୁଷଙ୍କ ସଂଖ୍ୟା ମହିଳାଙ୍କଠାରୁ ଅଧିକ। ୨୦୦୦ ମସିହା ପରବର୍ତ୍ତୀ ସମୟରେ ଆମ ଦେଶରେ ବିଭିନ୍ନ ପ୍ରକାରର ଗୁଟ୍‌ଖା ବ୍ରାଣ୍ଡର ପ୍ରବେଶ ଏବଂ ଏହାର ବହୁଳ ପ୍ରଚାର ଓ ବ୍ୟବହାର ଆଜି କର୍କଟ ରୋଗୀଙ୍କ ସଂଖ୍ୟାର ଅନ୍ୟତମ କାରଣ ବୋଲି କହିଲେ ଭୁଲ୍‍ ହେବ ନାହିଁ। ତେଣୁ ଆଜିର ସ୍କୁଲ୍‍ ଓ କଲେଜ୍‍ର ଛାତ୍ରଛାତ୍ରୀମାନେ ଯଦି ବିଭିନ୍ନ ପ୍ରକାର ଆକର୍ଷଣୀୟ ମନେ ହେଉଥିବା ଗୁଟ୍‌ଖା ମାୟାରୁ ନିଜକୁ ଦୂରରେ ନ ରଖନ୍ତି ସେମାନଙ୍କ ଭବିଷ୍ୟତ ନିଶ୍ଚିତ ଭାବରେ ସାଂଘାତିକ।

ଦେଶରେ କ୍ୟାନ୍‌ସର୍‌ ଚିକିତ୍ସା ପାଇଁ ପ୍ରସିଦ୍ଧ ମୁମ୍ବାଇସ୍ଥିତ ଟାଟା ମେମୋରିଆଲ୍‍ ହସ୍ପିଟାଲ୍ ଓ ଭୁବନେଶ୍ୱରସ୍ଥିତ ହେମଲତା ହସ୍ପିଟାଲ୍‌ରେ ଦୀର୍ଘ ବର୍ଷ ଧରି କାମ କରିବା ପରେ ଏବେ ଡାକ୍ତର ସଞ୍ଜିବ କୁମାର ମିଶ୍ର ଭୁବନେଶ୍ୱର ନିଳାଦ୍ରି ବିହାରସ୍ଥିତ ଉତ୍କଳ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ମେଡିକାଲ୍‍ ସାଇନ୍ସେସ୍‍ ଏବଂ କଟକ ତେଲେଙ୍ଗାପେଣ୍ଠସ୍ଥିତ ପଣ୍ଡା-ଏଚ୍‍ସିଜି କ୍ୟାନ୍‌ସର୍‌ ହସ୍ପିଟାଲ୍‌ରେ  ରୋଗୀଙ୍କ ଚିକିତ୍ସା କରୁଛନ୍ତି। ନିଜ ଅନୁଭୂତିକୁ ଆଧାର କରି ଡାକ୍ତର ମିଶ୍ର କହିଛନ୍ତି ଯେ ଅବଶ୍ୟ ୬୦ ବର୍ଷ ପରେ ଅନେକ ରୋଗୀ ଓରାଲ୍‌ କ୍ୟାନ୍‌‌ସର୍‍ ଦ୍ୱାରା ପ୍ରଭାବିତ ହେଉଛନ୍ତି। କିନ୍ତୁ ସେମାନଙ୍କ ସଂଖ୍ୟା କମ୍‍। ୩୫ରୁ ୪୫ ବର୍ଷ ବୟସ ମଧ୍ୟରେ ଆସୁଥିବା ରୋଗୀଙ୍କ ଅପେକ୍ଷା ବୟସ୍କ ରୋଗୀଙ୍କ କ୍ଷେତ୍ରରେ ଚିକିତ୍ସାରେ ଭଲ ଫଳ ମିଳୁଛି ବୋଲି ସେ ସୂଚନା ଦେଇଛନ୍ତି। “ମୁଖ୍ୟତଃ ଏହି ମଧ୍ୟ ବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ପାନ ଓ ଗୁଟ୍‌ଖା ବ୍ୟବହାର କରୁଥିବା ବ୍ୟକ୍ତି କର୍କଟର ଶିକାର ହେଉଥିବାରୁ ସେମାନଙ୍କ ଉପରେ ଚିକିତ୍ସାର ପ୍ରଭାବ ଯେତିକି ରହିବା କଥା, ତାହା ରହୁନାହିଁ,” ଓଡ଼ିଶାଲାଇଭ୍‌ର ସମ୍ପାଦକଙ୍କ ସହ ଏ ପ୍ରସଙ୍ଗରେ କଥାବାର୍ତ୍ତାଅ ବେଳେ ଏକଥା କହିଛନ୍ତି ଡାକ୍ତର ମିଶ୍ର।

ଦାନ୍ତ ସମସ୍ୟାରୁ ପାଟିରେ ଘା’ ହୋ‌ଇ ଦୀର୍ଘ ଦିନ ଧରି ତାହା ନ ଶୁଖିବା ମଧ୍ୟ ଏକ ଭଲ ଲକ୍ଷଣ ନୁହେଁ। ତମାଖୁଜନିତ ଓରାଲ୍‌ କ୍ୟାନ୍‌ସର୍‌ ଭଳି ଏ କ୍ଷେତ୍ରରେ ମଧ୍ୟ କ୍ୟାନ୍‌ସର୍‌ ରୋଗ ଦେଖାଦେଉଛି। ଏମାନଙ୍କ ସଂଖ୍ୟା କିଛି କମ୍‍ ନୁହେଁ ବୋଲି ସୂଚନା ଦେବା ସହ ଡାକ୍ତର ସଞ୍ଜିବ ମିଶ୍ର କହିଛନ୍ତି ଯେ ଆମ ଭିତରେ ଦାନ୍ତ ଓ ପାଟିର ଯତ୍ନ ବାବଦରେ ସଚେତନତା, ବିଶେଷକରି ଠିକଣା ସମୟରେ ଦନ୍ତ ପରୀକ୍ଷା ଓ ଚିକିତ୍ସା କରାଗଲେ ଅନେକ ଲୋକ ଭବିଷ୍ୟତରେ ଏଭଳି ରୋଗରୁ ବର୍ତ୍ତିଯାଇପାରିବେ।

ପୁରୁଷଙ୍କ ଭଳି ମହିଳାଙ୍କ କ୍ଷେତ୍ରରେ କ୍ୟାନ୍‌ସର୍‌ ରୋଗୀଙ୍କ ସଂଖ୍ୟା କିଛି କମ୍‍ ନୁହେଁ। ତେବେ ଅତୀତରେ ଓଡ଼ିଶାରେ ମହିଳାଙ୍କ କ୍ଷେତ୍ରରେ ଜରାୟୁ-ମୁଖ କର୍କଟ ସଂଖ୍ୟା ସର୍ବାଧିକ ଥିବା ବେଳେ ଏବେ ସ୍ତନ କର୍କଟ ସଂଖ୍ୟା ଅଧିକ ରିପୋର୍ଟ ହେଉଛି। “ଦିନେ ଏଚ୍‌ପିଭି (ହ୍ୟୁମାନ୍‌ ପାପିଲୋମା ଭାଇରସ୍‍) ଥିଲା ଜରାୟୁ-ମୁଖ କର୍କଟର ମୁଖ୍ୟ କାରଣ। କିନ୍ତୁ ଆଧୁନିକ ଜୀବନଧାରା ଭିତରେ ବ୍ୟକ୍ତିଗତ ପରିଛନ୍ନତାରେ ଉନ୍ନତି ତଥା ଏ ବାବଦରେ ସଚେତନତା ଯୋଗୁଁ ଏହି କର୍କଟ ରୋଗୀଙ୍କ ସଂଖ୍ୟା କମି ପାରିଛି। କିନ୍ତୁ ଅନ୍ୟ ପକ୍ଷରେ ସେହି ଆଧୁନିକ ଜୀବନ ଧାରା ଓ ଆମର ଖାଦ୍ୟାଭ୍ୟାସ ଯୋଗୁଁ ଏବେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ମହିଳାମାନେ ଏ ବାବଦରେ ସଚେତନ ହେଲେ ଆଗାମୀ ପିଢିକୁ ଆମେ ଏହି ଘାତକ ବେମାରିରୁ ହୁଏତ ରକ୍ଷା କରିପାରିବା,” ସୂଚନା ଦେଇଛନ୍ତି ଡାକ୍ତର ମିଶ୍ର।

ସ୍ତନ କର୍କଟ ରୋଗୀଙ୍କ ମଧ୍ୟରେ ଚାଳିଶି ବର୍ଷ ବୟସ ପରେ ପ୍ରଭାବିତ ହେଉଥିବା ଅନେକ ରୋଗୀ ଅଛନ୍ତି। ତେବେ ୨୫ରୁ ୩୫ ବର୍ଷ ମଧ୍ୟରେ ଅନେକ ମହିଳା ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କର କ୍ୟାନ୍‌ସର୍‌ ପଛର କାରଣ ବଂଶାନୁକ୍ରମିକ ହୋ‍ଇପାରେ। ତେବେ କାରଣ ଯାହା ବି ହେଉ ପଛକେ ଏ କ୍ଷେତ୍ରରେ ମହିଳାମାନଙ୍କ ସଚେତନତା ଏବଂ ଆବଶ୍ୟକସ୍ଥଳେ ତୁରନ୍ତ ଚିକିତ୍ସା ଆରମ୍ଭ କରାଗଲେ ଅନେକ କ୍ଷେତ୍ରରେ ଜୀବନ ରକ୍ଷା କରାଯାଇପାରିବ।

ମୁଖଗହ୍ୱର କର୍କଟ ଏବଂ ଜରାୟୁ-ମୁଖ ବା ସ୍ତନ କର୍କଟ ଭଳି ଫୁସ୍‌ଫୁସ୍‍ଜନିତ କର୍କଟ କ୍ଷେତ୍ରରେ ମଧ୍ୟ ଆଗୁଆ ଜାଣିବା ସହଜ। ବିଶେଷକରି ଦୀର୍ଘ ଦିନ ଧରି କାଶ ଲାଗି ରହୁଥିଲେ ତା’ର ହେଳା ନକରି ଡାକ୍ତରଙ୍କ ପରାମର୍ଶ କରିବା ଦରକାର। କେତେକ କ୍ଷେତ୍ରରେ ଆମେ ଏଭଳି ଲକ୍ଷଣକୁ ଯକ୍ଷ୍ମା ବୋଲି ଆଶଙ୍କା କରିଥାଉ। କିନ୍ତୁ ଉଚିତ୍‌ ଚିକିତ୍ସା କରାଗଲେ ତା’ ପଛର କାରଣ ଯକ୍ଷ୍ମା ନା କର୍କଟ ରୋଗ ତାହା ଜଣାପଡ଼ିଥାଏ।

ମୁଖଗହ୍ୱର କର୍କଟ ଏବଂ ଜରାୟୁ-ମୁଖ ବା ସ୍ତନ କର୍କଟ ଭଳି ଫୁସ୍‌ଫୁସ୍‍ଜନିତ କର୍କଟ କ୍ଷେତ୍ରରେ ମଧ୍ୟ ଆଗୁଆ ଜାଣିବା ସହଜ। ବିଶେଷକରି ଦୀର୍ଘ ଦିନ ଧରି କାଶ ଲାଗି ରହୁଥିଲେ ତା’ର ହେଳା ନକରି ଡାକ୍ତରଙ୍କ ପରାମର୍ଶ କରିବା ଦରକାର। କେତେକ କ୍ଷେତ୍ରରେ ଆମେ ଏଭଳି ଲକ୍ଷଣକୁ ଯକ୍ଷ୍ମା ବୋଲି ଆଶଙ୍କା କରିଥାଉ। କିନ୍ତୁ ଉଚିତ୍‌ ଚିକିତ୍ସା କରାଗଲେ ତା’ ପଛର କାରଣ ଯକ୍ଷ୍ମା ନା କର୍କଟ ରୋଗ ତାହା ଜଣାପଡ଼ିଥାଏ।

ଦିନେ ଓଡ଼ିଶାରେ କର୍କଟ ରୋଗର ଚିକିତ୍ସା ପାଇଁ ଯଥେଷ୍ଟ ସୁବିଧା ନଥିଲା। କିନ୍ତୁ ଆଜି ସେ କ୍ଷେତ୍ରରେ ଉନ୍ନତି ଆସିଛି। ସରକାରୀ କ୍ଷେତ୍ରରେ କଟକସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନ୍‌ସର୍‌ ପ୍ରତିଷ୍ଠାନ ପରେ ଭୁବନେଶ୍ୱରର ହେମଲତା ହସ୍ପିଟାଲ୍‌ ଓ କଟକସ୍ଥିତ ପଣ୍ଡା-ଏଚ୍‌ସିଜି ଭଳି ସ୍ୱତନ୍ତ୍ର ଚିକିତ୍ସାକେନ୍ଦ୍ର ରହିଛି। ତା’ଛଡ଼ା ଅନ୍ୟ ପ୍ରମୁଖ ଘରୋ‌ଇ ହସ୍ପିଟାଲ୍‌ରେ କ୍ୟାନ୍‌ସର୍‌ ରୋଗୀଙ୍କ ଚିକିତ୍ସା କରାଯାଉଛି। କ୍ୟାନ୍‌ସର୍‌ ରୋଗର ନିଦାନ ଓ  ଚିକିତ୍ସା ପାଇଁ ଆବଶ୍ୟକ ଡାକ୍ତରୀ ଯନ୍ତ୍ରାଂଶ ମଧ୍ୟ ଓଡ଼ିଶାରେ ଆଜି ଉପଲବ୍ଧ। ପଣ୍ଡା-ଏଚ୍‌ସିଜି ହସ୍ପିଟାଲ୍‍ ଏବଂ ଉତ୍କଳ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ମେଡିକାଲ୍‍ ସାଇନ୍ସେସ୍‍ – ଏହି ଦୁଇଟି ଡାକ୍ତରଖାନାରେ ପେଟ୍‍ ସ୍କାନ୍‌ ମେସିନ୍‌ ରହିଛି। ସେହିପରି ରେଡିଓ ଥେରାପି କ୍ଷେତ୍ରରେ ଅତି ଜରୁରୀ ମେସିନ୍‌ ଭିତରେ ଲିନିଅର୍‍ ଆକ୍ସିଲିରେଟର ରାଜ୍ୟର ତିନୋଟି ଚିକିତ୍ସା କେନ୍ଦ୍ରରେ ମହଜୁଦ୍‍ ଅଛି। “ଓଡ଼ିଶା ଆଜି ଟେକ୍ନୋଲଜି ବ୍ୟବହାର କ୍ଷେତ୍ରରେ ପଛରେ ପଡ଼ିନାହିଁ। କିନ୍ତୁ ଆଜି ହୁଏତ କ୍ୟାନ୍‌ସର୍‌ ଚିକିତ୍ସା ପାଇଁ ଅଭାବ ରହିଛି ଯଥେଷ୍ଟ ସଂଖ୍ୟକ ଦକ୍ଷ ଓ ତାଲିମ୍‌ପ୍ରାପ୍ତ ଡାକ୍ତର ଏବଂ ଟେକ୍ନିସିଆନ୍‌ଙ୍କର,” କହିଛନ୍ତି କ୍ୟାନ୍‌ସର୍‌ ବିଶେଷଜ୍ଞ ଡାକ୍ତର ସଞ୍ଜିବ କୁମାର ମିଶ୍ର।

ଭୁବନେଶ୍ୱରରେ ଥିବା ସ୍ପର୍ଶ ହସ୍ପିଟାଲ୍‌କୁ କ୍ୟାନ୍‍ସର୍‌ ଚିକିତ୍ସା ପାଇଁ ଅନେକ ରୋଗୀ ଆସୁଛନ୍ତି। ସେହିପରି ପ୍ରାଥମିକ ଅବସ୍ଥାରେ କଳିଙ୍ଗ ହସ୍ପିଟାଲ୍‍ ଏବଂ ଅନ୍ୟ କର୍ପୋରେଟ୍‍ ଡାକ୍ତରଖାନାରେ ମଧ୍ୟ ଏହି ରୋଗୀମାନଙ୍କର ମଧ୍ୟ ଚିକିତ୍ସା ପାଇଁ ସୁବିଧା ରହିଛି। ତେବେ କ୍ୟାନ୍‌ସର୍‌ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଏବଂ ଅଭିଜ୍ଞ ଡାକ୍ତର ଓ ଟେକ୍ନିସିଆନ୍‌ଙ୍କ ଆବଶ୍ୟକତା ଥିବାରୁ କଟକସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନ୍‌ସର୍‌ ଇନ୍‌ଷ୍ଟିଟ୍ୟୁଟ୍‌କୁ ସବୁଠାରୁ ଅଧିକ ରୋଗୀ ବିଭିନ୍ନ ଅବସ୍ଥାରେ ଚିକିତ୍ସା ପାଇଁ ଆସୁଛନ୍ତି।

ବାସ୍ତବିକ ଓଡ଼ିଶାରେ ଆଜି ଅତ୍ୟାଧୁନିକ ଚିକିତ୍ସାକେନ୍ଦ୍ର ସଂଖ୍ୟା ବଢିଛି। କିନ୍ତୁ କ୍ୟାନ୍‌ସର୍‌ ରୋଗ ଚିକିତ୍ସା ପାଇଁ ଯେଉଁ ସଂଖ୍ୟାରେ ରୋଗୀ ଆସୁଛନ୍ତି ସେମାନଙ୍କୁ ଚିକିତ୍ସା ଦେବା ପାଇଁ ଯଥେଷ୍ଟ ଦକ୍ଷ ମାନବସମ୍ବଳ ନାହାନ୍ତି। ଏହା ଆଜି ଉଭୟ ସରକାର ଓ ଚିକିତ୍ସା କ୍ଷେତ୍ରରେ ନିୟୋଜିତ ପେସାଦାର ଓ କର୍ପୋରେଟ୍‍ ଡାକ୍ତରଖାନାର ପ୍ରମୋଟରମାନଙ୍କ ପାଇଁ ଏକ ବଡ଼ ପ୍ରଶ୍ନ। ଆଉ ଏକ ନିରାଟ ସତକଥା ହେଉଛି ଆଜି ଯାହା ପାଖରେ ପ‌ଇସା ଅଛି, ସେ ରାଜ୍ୟରେ ଥିବା ହସ୍ପିଟାଲ୍‌ ଉପରେ ନିର୍ଭର ନକରି ବମ୍ବେ, ଦିଲ୍ଲୀ ଚାଲିଯାଉଛି। ଅନ୍ୟ ପକ୍ଷରେ ଯେଉଁମାନଙ୍କ ପାଖରେ କ୍ୟାନ୍‌ସର୍‌ ଭଳି ରୋଗର ଚିକିତ୍ସା ପାଇଁ ଅର୍ଥର ସମସ୍ୟା ରହିଛି, ସେମାନଙ୍କ ପାଇଁ ଓଡ଼ିଶାରେ ଥିବା ହସ୍ପିଟାଲ୍‌ଗୁଡ଼ିକ ଯେଉଁ ଚିକିତ୍ସା ଯୋଗାଇ ଦେଉଛନ୍ତି, ତାହା ସେମାନଙ୍କୁ ମହଙ୍ଗା ମନେହେଉଛି। ଗରିବ ଏବଂ ବିପିଏଲ୍‌ ଲୋକଙ୍କ ପାଇଁ ସରକାରୀ ପାଣ୍ଥିରୁ ସାହାଯ୍ୟର ବ୍ୟବସ୍ଥା ରହିଥିଲେ ମଧ୍ୟ ସଚେତନତାର ଅଭାବ, ଯୋଗାଯୋଗର ଅଭାବ ଏବଂ ସରକାରୀ ନାଲିଫିତା କାରଣରୁ ଅନେକ ରୋଗୀ ଚିକିତ୍ସା ପାଇଁ ଅର୍ଥଯୋଗାଡ଼ କରିନପାରି ହ‌ଇରାଣ ହେଉଛନ୍ତି।

“କ୍ୟାନ୍‌ସର୍‌ ଚିକିତ୍ସା ନିଶ୍ଚିତଭାବେ ଖର୍ଚ୍ଚବହୁଳ। କିନ୍ତୁ ଓଡ଼ିଶା ବାହାର ସହ ତୁଳନା କଲେ ଆମର ଖର୍ଚ୍ଚ ଅଧିକ ନୁହେଁ,” କହିଛନ୍ତି ଡାକ୍ତର ମିଶ୍ର। ତେବେ ଗରିବ ଏବଂ ପଛୁଆ ବର୍ଗର ରୋଗୀଙ୍କ ଚିକିତ୍ସା ପାଇଁ ସରକାର ସହାୟତା ଦେବା ସହିତ କର୍ପୋରେଟ୍‌ ହସ୍ପିଟାଲ୍‌ମାନେ ରିହାତି ଦରରେ ଚିକିତ୍ସା ବାବଦରେ ଚିନ୍ତା କରିବା ଦରକାର। ସେହିପରି ରାଜ୍ୟରେ ସାଇକ୍ଲୋଟ୍ରନ୍‍ ଭଳି ରେଡିଓ ଫାର୍ମାସ୍ୟୁଟିକାଲ୍‍ ଔଷଧର ପ୍ରସ୍ତୁତି କରାଯାଇପାରିଲେ ଶହ ଶହ କ୍ୟାନ୍‌ସର୍‌ ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ଯଥେଷ୍ଟ କମିଯାଇପାରିବ।

ଗତ କିଛି ବର୍ଷ ମଧ୍ୟରେ ଭୁବନେଶ୍ୱରରେ ଘରୋ‌ଇ କ୍ଷେତ୍ରରେ ଆପୋଲୋ, ଆମ୍ରି ଏବଂ କେୟାର୍‌ ଭଳି ଅତ୍ୟାଧୁନିକ ଡାକ୍ତରଖାନା ପ୍ରତିଷ୍ଠା ହୋ‌ଇଛି। ସେହିପରି ସରକାରୀ ସ୍ତରରେ ଥିବା ତିନୋଟି ମେଡିକାଲ୍‌ କଲେଜ୍‍ ଏବଂ ହସ୍ପିଟାଲ୍‌ ବାହାରେ କିମ୍ସ୍‍ ଓ ସମ୍‌ ପରି ଘରୋ‌ଇ ମେଡିକାଲ୍‌ କଲେଜ ଓ ହସ୍ପିଟାଲ୍‌ ପ୍ରତିଷ୍ଠା ହୋ‍ଇ ସ୍ୱାସ୍ଥ୍ୟ ସେବାକୁ ଏକ ନୂଆ ରୂପ ଦେଇଛି। ତେବେ ଏସବୁ ମଲ୍ଟିସ୍ପେସିଆଲିଟି ହସ୍ପିଟାଲ୍‌ ଛଡ଼ା ଆଜି ରାଜ୍ୟରେ ଆଉ ଏକ ଅତ୍ୟାଧୁନିକ ତଥା ସ୍ୱତନ୍ତ୍ର କ୍ୟାନ୍‌ସର୍‌ ହସ୍ପିଟାଲ୍‌ର ଆବଶ୍ୟକତା ରହିଛି। କିନ୍ତୁ ଏ କ୍ଷେତ୍ରରେ ଯେଉଁ ଅର୍ଥ ବିନିଯୋଗ ହେବ ତାହା ବାହାରିପାରିବ କି ନାହିଁ ସେହି କ୍ଷେତ୍ରରେ ନିଶ୍ଚିତ ହୋ‍ଇପାରୁନଥିବାରୁ ହୁଏତ ଜାତୀୟ ସ୍ତରର କର୍ପୋରେଟ୍‌ ହସ୍ପିଟାଲ୍‌ମାନେ ସାହସ କରିପାରୁନାହାନ୍ତି।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ଓଡ଼ିଶାଲାଇଭ୍‌ର ସମ୍ପାଦକ। ଇମେଲ୍‍ : rath.nilambar@gmail.com)

Leave a Reply

Your email address will not be published. Required fields are marked *

*