ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦଳର ବହୁ ହେବି ୱେଟ୍ନେତା, କଳିଙ୍ଗ ବିଜୟ ଲକ୍ଷ୍ୟରେ ମୋଦି

ଭୁବନେଶ୍ୱର, ୧୩୨୦୧୭ (ଓଡ଼ିଶାଲାଇଭ୍‍ ବ୍ୟୁରୋ): ଆସନ୍ତା ୧୫ ଓ ୧୬ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ରାଷ୍ଟ୍ରୀୟ ସଭାପତି ଶ୍ରୀ ଅମିତ୍‌ ଶାହା, ବରିଷ୍ଠ ନେତା ଲାଲ୍‌କୃଷ୍ଣ ଆଡ୍‌ଭାନୀ, ବିଜେପି ଶାସିତ ୧୩ଟି ରାଜ୍ୟର ମୁଖ୍ୟମନ୍ତ୍ରୀ, ୩ ଜଣ ଉପ-ମୁଖ୍ୟମନ୍ତ୍ରୀ, ୪୦ ଜଣ କେନ୍ଦ୍ରମନ୍ତ୍ରୀ ପ୍ରମୁଖ ଏହି ବୈଠକରେ ଯୋଗ ଦେବେ।

ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକକୁ ନେଇ ରାଜ୍ୟର ବିଜେପି ପାର୍ଟି ଅଫିସରେ ବହୁ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଏହି କାର୍ଯ୍ୟକ୍ରମକୁ କିପରି ସଫଳ କରାଯାଇପାରିବ ସେଥିପାଇଁ ଚାଲିଛି ବହୁ ପ୍ରସ୍ତୁତି। ଏ ନେଇ ଦଳର ବହୁ ନେତା ଓ କର୍ମୀ ଦିନରାତି ଏକ୍ କରି କାର୍ଯ୍ୟ କରୁଛନ୍ତି। କାର୍ଯ୍ୟକାରିଣୀ ବୈଠକ ପାଇଁ ଦଳ ପକ୍ଷରୁ ପ୍ରଚାର ରଥ ମାନ ବାହାରି ଟୁଇନ୍‌ ସିଟିରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ନିମନ୍ତେ ବହୁ ସ୍ଲୋଗାନ୍‌ ମାନ ଲେଖାଯାଇଛି। ଯେପରିକି ‘ଇତିହାସ ଅତଳ ଗର୍ଭରୁ କାଢି ପାଇକ ବିଦ୍ରୋହକୁ ମିଳିଲା ସମ୍ମାନ’, ‘ଗରୀବଙ୍କ କଲ୍ୟାଣ ପାଇଁ ମୋଦି କରିଛନ୍ତି ଓଡ଼ିଶାକୁ ପ୍ରୟୋଗଶାଳା’। ଆଗାମୀ ୨୦୧୯ ନିର୍ବାଚନରେ କିପରି ଭାବରେ ଓଡ଼ିଶାରେ ବିଜେପି ସରକାର ଗଢ଼ିବ ସେ ନେଇ ଏହି କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱରରେ ଆୟୋଜନ ହେବାକୁ ଯାଉଛି ବୋଲି ବହୁ ବୁଦ୍ଧିଜୀବି ମତ ଉପସ୍ଥାପନ କରିଛନ୍ତି।

ପୂର୍ବରୁ ବିଜେପି ୩ ଥର ଓଡ଼ିଶାରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ କରିଥିଲେ ମଧ୍ୟ କେଉଁଥିରେ ସଫଳ ହୋଇପାରି ନାହିଁ। ବିଜେପି ପ୍ରଥମ ଥର ଲାଗି ୧୯୮୨ ମସିହାରେ ଭୁବନେଶ୍ୱରର କସ୍ତୁରବା ନାରୀମହଲରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ କରିଥିଲା କିନ୍ତୁ ପରେ ପରେ ୧୯୮୫ ମସିହା ନିର୍ବାଚନରେ ବିଜେପିକୁ ଆଶାନୁରୂପ ସଫଳତା ମିଳିପାରିନଥିଲା। ୧୯୯୨ ମସିହାରେ ବିଜେପି ଦ୍ୱିତୀୟ ଥର ଲାଗି ହୋଟେଲ୍‌ ସ୍ୱସ୍ତିରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ କରିଥିଲା କିନ୍ତୁ ୧୯୯୫ ମସିହା ନିର୍ବାଚନରେ ଦଳର ସମସ୍ତ ରଣନୀତି ଭୁଲ୍‌ ପ୍ରମାଣିତ ହୋଇଥିଲା। ୧୯୯୭ ମସିହାରେ ଭୁବନେଶ୍ୱରରେ ତୃତୀୟ ଥର ଲାଗି ହୋଟେଲ୍‌ କଳିଙ୍ଗ ଅଶୋକାରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ତେଣୁ କିଛିକାଂଶରେ ୨୦୦୦ ମସିହା ନିର୍ବାଚନରେ ବିଜେପି ବିଜେଡି ସହ ମେଣ୍ଟକରି ନିର୍ବାଚନ ବୈତରଣୀ ପାର ହୋଇଥିଲା। କାରଣ ସେତେବେଳେ ରାଜ୍ୟରେ କଂଗ୍ରେସ୍‌ର ହାୱା ଜୋର୍‌ ଥିବାରୁ ବିଜେପି ବିଜେଡି ସହ ମେଣ୍ଟ କରିବାକୁ ବାଧ୍ୟ ହୋଇଥିଲା।

ଏ ବର୍ଷ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ଆସାନୁରୂପକ ସଫଳତା ମିଳିଥିବାରୁ ନେତା ଏବଂ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ତେଣୁ ୨୦ ବର୍ଷ ପରେ ବିଜେପି ୪ର୍ଥ ଥର ପାଇଁ ଭୁବନେଶ୍ୱରର ଜନତାମଇଦାନରେ ଅନୁଷ୍ଠିତ ହେବାକୁ ଯାଉଛି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ କିନ୍ତୁ ଏଥିରେ ବିଜେପି ସଫଳ ହେବ କି ବିଫଳ ହେବ ତାହା ଆଗାମୀ ନିର୍ବାଚନରେ ଜଣାପଡ଼ିବ।

ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ୍‌ ପାତ୍ର କହିଛନ୍ତି ଯେ ୨୦୧୯ରେ ପଦ୍ମ ଫୁଟିବ ଓଡ଼ିଶାବାସୀଙ୍କ ବିକାଶର ନବକଳେବର ହେବ। ଆସନ୍ତା ୧୫ ଓ ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକାରିଣୀ ବୈଠକରେ ଓଡ଼ିଶା ସହ ପୂର୍ବ ଭାରତୀୟ ରାଜ୍ୟଗୁଡ଼ିକର ବିକାଶ ସମ୍ପର୍କରେ ଚର୍ଚ୍ଚା ହେବ ଏବଂ ୧ ନମ୍ବର ରାଜ୍ୟରେ ପରିଣତ କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯିବ। ଏଥିପାଇଁ ରାଷ୍ଟ୍ରୀୟ ସଭାପତି ଅମିତ୍‌ ଶାହା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ପାଇଁ ଓଡ଼ିଶାକୁ ଚୟନ କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତ ଯେ ଚଳିତ ମାସ ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଓଡ଼ିଶା ବିଶେଷଭାବରେ ଉପକୃତ ହେବ ଏଥିରେ ବିଶେଷକରି ୨୦୧୯ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯିବ ଏବଂ ଏହି ବୈଠକରୁ ଯେଉଁ ନିର୍ଯ୍ୟାଶ ବାହାରିବ ସେହି ଅନୁସାରେ ଦଳର ସମସ୍ତ କର୍ମକର୍ତ୍ତା କାର୍ଯ୍ୟ କରିବେ। ୩୬ ହଜାର ବୁଥ୍‌ରେ ବିଜେପିକୁ ଶକ୍ତିଶାଳୀ କରିବା ପାଇଁ ଏବଂ ତୃଣମୂଳ ସ୍ତରରେ ଦଳକୁ ସୁଦୃଢ଼ିକରଣ ଭଳି ପ୍ରସଙ୍ଗ ଉପରେ ଆଲୋଚନା କରାଯିବ।

Category:

News, Politics

Tags:

, ,

Leave a Reply

Your email address will not be published. Required fields are marked *

*