ଭୁବନେଶ୍ୱର, ୧୬୨୦୧୭ (ଓଡ଼ିଶାଲାଇଭ୍‍ ବ୍ୟୁରୋ) : ଦୁଇଦିନ ଧରି ଚାଲିଥିବା ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ଆଜି ଅନ୍ତିମ ଦିବସରେ ପ୍ରଧାନମନ୍ତ୍ରୀ ଜନଧନ, ବନଧନ ଓ ଜଳଧନ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ଯୋଜନାରେ ୪୮ କୋଟି ଲୋକ ଆକାଉଂଟ ଖୋଲିଛନ୍ତି । ଏହା ଭିତରେ ଜନଧନ ଯୋଜନାର ଅର୍ଥରାଶି ୬୬ ହଜାର କୋଟିରେ  ପହଂଚିଛି । ଫଳରେ  ବିଭିନ୍ନ କାର୍ଯ୍ୟ ପାଇଁ ଗରିବଙ୍କ ଅର୍ଥ ବାଟମାରଣା ନ ହୋଇ ସିଧାସଳଖ ସେମାନଙ୍କ ଜମାଖାତା ବା ବ୍ୟାଙ୍କ ଆକାଉଂଟକୁ ଆସିଛି । ଏହାଯୋଗୁଁ ଦେଶରେ ଭଷ୍ଟାଚାର କମିଛି। ପ୍ରଧାନମନ୍ତ୍ରୀଙ୍କ ଏହି ବିବୃତ୍ତିକୁ ଆଜି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ଅନ୍ତିମ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି କେନ୍ଦ୍ର ସଡ଼କ ଓ ଜାତୀୟ ରାଜପଥ ତଥା ଜାହାଜ ଚଳାଚଳ ମନ୍ତ୍ରୀ ନିତିନ୍ ଜେ. ଗଡ଼କରୀ ।

ଗଡ଼କରୀ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣକୁ ଦୋହରାଇ କହିଛନ୍ତି ଯେ ବନାଂଚଳର ସୁରକ୍ଷା ଦ୍ୱାରା ପରିବେଶର ସୁରକ୍ଷା ହେବା ସହିତ ବାୟୁମଣ୍ଡଳରେ ଉତ୍ତାପ ଜନିତ ସମସ୍ୟା, ବୃଷ୍ଟିରେ ଅନିୟମିତତା ଆଦି ଦୂର ହେବ।

ଗଡ଼କରୀ କହିଛନ୍ତି ଯେ ବର୍ଷ ବର୍ଷ ଧରି ଦୁର୍ଗମ ତଥା ଜନାକୀର୍ଣ୍ଣ ଅଂଚଳର ଲୋକେ ପାନୀୟ ଜଳ ଅଭାବରେ ଯେଉଁଭଳି ଘୋର ଜଳ ସଙ୍କଟ ଓ ଜଳକଷ୍ଟ ଭୋଗ କରୁଥିଲେ, ଆଜି ସେ ଚିତ୍ର ସୁଧୁରିବାରେ ଲାଗିଛି । ପାନୀୟ ଜଳ ଯୋଜନାରେ ଉଭୟ ଗ୍ରାମାଂଚଳ ଓ ସହରାଂଚଳରେ ଥିବା ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି । ଆଗାମୀ ୨୦୨୨ ସୁଦ୍ଧା ଦେଶରେ ଆଉ ଜଳ ସଙ୍କଟ ରହିବ ନାହିଁ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଭାରତୀୟ ଜନତା ପାର୍ଟି ଭାରତବର୍ଷର ସମ୍ପୂର୍ଣ୍ଣ ବିକାଶ ପାଇଁ ଅବିରତ କାର୍ଯ୍ୟ କରିବ । ଏଭଳି ତ୍ୱରାନ୍ୱିତ ଗତିରେ ଆହୁରି ଆଗକୁ ଯିବାର ଅଛି ବୋଲି ପ୍ରଧାନମନ୍ତ୍ରୀ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ।

ଗଡ଼କରୀ ଆହୁରି ମଧ୍ୟ କହିଛନ୍ତି, ଭାରତୀୟ ଜନତା ପାର୍ଟିର ମୂଳ ଲକ୍ଷ୍ୟ ଦେଶବାସୀଙ୍କର ଅନ୍ତ୍ୟୋଦୟ । ଅନ୍ତ୍ୟୋଦୟ ବିଜେପିର ସାମାଜିକ ଓ ଆର୍ଥିକ ଚିନ୍ତନର ବିଷୟ । ସମାଜରେ  ଯେଉଁ ଶୋଷିତ ଓ ପୀଡିତ ରହିଛନ୍ତି, ସେମାନଙ୍କୁ ଯେବେ ରହିବା ପାଇଁ ଘର, ଖାଇବା ପାଇଁ ଖାଦ୍ୟ, ପିନ୍ଧିବା ପାଇଁ କପଡ଼ା  ମିଳିଯିବ; ସେ ଦିନ ଆମର ଲକ୍ଷ୍ୟ ପୂରଣ ହେବ ବୋଲି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ କହିଛନ୍ତି । ସେହି ବିଚାରକୁ ନେଇ ଆମେ କାର୍ଯ୍ୟ କରିବାକୁ ପଡ଼ଇବ ବୋଲି ପ୍ରଧାନମନ୍ତ୍ରୀ ଦଳର କାର୍ଯ୍ୟକର୍ତାମାନଙ୍କୁ ଆହ୍ୱାନ ଦେଇଛନ୍ତି ।

ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମ୍ପୂର୍ଣ୍ଣ ଭାରତ ବର୍ଷରେ ଭାରତୀୟ ଜନତା ପାର୍ଟି ଶକ୍ତିଶାଳୀ ହୋଇଛି । ଦଳର ଅଧ୍ୟକ୍ଷ ମାନନୀୟ ଅମିତ୍ ଶାହାଙ୍କ ଦୂରଦୃଷ୍ଟି ସମ୍ପନ୍ନ ରଣନୀତି ଯୋଗୁଁ ଆଜି ଭାରତୀୟ ଜନତା ପାର୍ଟି ଦେଶର ଏକ ନମ୍ବର ଦଳରେ ପରିଣତ ହୋଇଛି। ଶ୍ରୀ ଶାହାଙ୍କୁ ଏଥିପାଇଁ ମୋଦିଜୀ ଅଭିନନ୍ଦନ ଜଣାଇଛନ୍ତି । ବିଶ୍ୱର ବୃହତ୍ ରାଜନୈତିକ ଦଳର ରଷ୍ଟ୍ରୀୟ କାର୍ଯ୍ୟକାରିଣୀ ପାଇଁ ଓଡ଼ିଶାର କାର୍ଯ୍ୟକର୍ତା କଠିନ ପରିଶ୍ରମ କରି ବେଶ୍ ସୁସ୍ଥ, ଶୃଙ୍ଖଳିତ ଓ ସୁନ୍ଦର ବ୍ୟବସ୍ଥା କରିଥିବାରୁ ଆୟୋଜକଙ୍କୁ ମୋଦିଜୀ ଧନ୍ୟବାଦ ଜଣାଇଛନ୍ତି ବୋଲି କହିଛନ୍ତି ଶ୍ରୀ ଗଡ଼କରୀ ।

ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ଏହି ଅନ୍ତିମ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଷ୍ଟ୍ରୀୟ ମିଡିଆ ପ୍ରଭାରୀ ଅନୀଲ ବଲୁନୀ, ରାଷ୍ଟ୍ରୀୟ ପ୍ରବକ୍ତା ଜିଭିଏଲ ନରସିଂହରାଓ ଓ ସମ୍ବିତ୍ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

*