ଭୁବନେଶ୍ୱର, ୦୨ ଏପ୍ରିଲ୍ ୨୦୧୭ (ଓଡ଼ିଶାଲାଇଭ୍‌ ବ୍ୟୁରୋ): ସଙ୍ଗୀତଭିତ୍ତିକ ଅନ୍ତର୍ଜାତୀୟ ରିଏଲିଟି ସୋ ‘ଦିଲ୍ ହୈ ହିନ୍ଦୁସ୍ତାନୀ’ରେ ଓଡ଼ିଆ ଝିଅ ବର୍ଣ୍ଣାଳୀ ହୋତାଙ୍କ କମାଲ୍ ଦେଖିବାକୁ ମିଳିଛି। ଉତ୍କଳ ଦିବସରେ ସେ ସଙ୍ଗୀତପ୍ରେମୀଙ୍କୁ ଭେଟି ଦେଇଛନ୍ତି ତାଙ୍କ କ୍ୟାରିଅରର ଏକ ବଡ଼ ସଫଳତା। ଗ୍ରାଣ୍ଡ୍ ଫିନାଲେରେ ସେ ପ୍ରତିନିଧିତ୍ୱ କରୁଥିବା ମୁମ୍ବାଇର ‘ୟୁଫୋନୀ ବ୍ୟାଣ୍ଡ୍’ ପ୍ରଥମ ରନର୍ସ-ଅପ୍ ରୂପେ ବିବେଚିତ ହୋଇଛି।

ବର୍ଣ୍ଣାଳୀଙ୍କ ସ୍ୱତନ୍ତ୍ର ଗାୟନ ଶୈଳୀ ଦେଶବିଦେଶର ଶ୍ରୋତାଙ୍କୁ ବିମୋହିତ କରିଥିଲା। ‘ଷ୍ଟାର୍ ପ୍ଲସ୍‌’ରେ ପ୍ରସାରିତ ଏହି ରିଏଲିଟି ସୋରେ ‘ଓମାନ’ର ଗାୟକ ହାଇଥାମ୍ ମହମ୍ମଦ ରଫି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ରନର୍ସଅପ୍ ରହିଛନ୍ତି ସିମ୍‌ରନ୍‌ ରାଜ୍।

ବର୍ଣ୍ଣାଳୀ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ୱାଦର ସଙ୍ଗୀତ ଯେପରିକି ‘ସସୁରାଲ୍ ଗେନ୍ଦା ଫୁଲ୍‌…’, ‘ନଈ କେ ମାରିଲି ତୀର…’, ‘କେତେ ରଙ୍ଗ ଦେଖାଉତୁ ଦିଅର ପୁଅ…’ ଭଳି ଲୋକଗୀତ ପରିବେଷଣ କରି ବିଭିନ୍ନ ଅଧ୍ୟାୟରେ ବିଚାରକମଣ୍ଡଳୀଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲେ। ସବୁଠୁ ବଡ଼ କଥା ହେଲା ବର୍ଣ୍ଣାଳୀ ମୁମ୍ବାଇର ‘ୟୁଫୋନୀ ବ୍ୟାଣ୍ଡ’ର ଏକମାତ୍ର ଝିଅ ଭାବେ ଗୀତ ଗାଉଥିଲେ। ଏହା ପୂର୍ବରୁ ୨୦୧୧ ମସିହାରେ ବର୍ଣ୍ଣାଳୀ ‘ଜିଟିଭି’ ପକ୍ଷରୁ ଆୟୋଜିତ ‘ସାରେଗାମାପା ଲିଟିଲ୍ ଚାମ୍ପସ’ରେ ଅଂଶଗ୍ରହଣ କରିଥିଲେ। କିନ୍ତୁ ସେ ସମୟରେ ସେ କୌଣସି ସଫଳତା ପାଇପାରିନଥିଲେ।

ଆଜି ବର୍ଣ୍ଣାଳୀ ଭୁବନେଶ୍ୱରରେ ପହଞ୍ଚିଲା ପରେ ବିଜୁ ପଟ୍ଟନାୟକ ବିମାନବନ୍ଦରଠାରେ ତାଙ୍କୁ ବିଭିନ୍ନ ସଂଗଠନ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ବର୍ଣ୍ଣାଳୀଙ୍କୁ ସ୍ୱାଗତ କରିବା ପାଇଁ ତାଙ୍କ ସମ୍ପର୍କୀୟ, ସାଙ୍ଗସାଥୀ ଏବଂ ତାଙ୍କ ଫ୍ୟାନମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା।

ଏହି ସଫଳତା ପରେ ‘ଓଡ଼ିଶାଲାଇଭ୍‌’କୁ ସାକ୍ଷାତକାର ଦେଇ ବର୍ଣ୍ଣାଳୀ କହିଛନ୍ତି ଯେ, ‘‘ମୁଁ ବହୁତ ଖୁସି । ଆମ ଟିମ୍ ପ୍ରଥମ ହୋଇପାରିଥାନ୍ତା। ଏହା ଇଣ୍ଟରନ୍ୟାସନାଲ୍ ରିଏଲିଟି ସୋ ଥିଲା। ଏଥିରେ ଯିଏ ପ୍ରଥମ ହୋଇଛନ୍ତି ସେ ହେଉଛନ୍ତି ‘ଓମାନ’ର କଣ୍ଠଶିଳ୍ପୀ । ସେ ଦେଶର ସରକାର ତାଙ୍କୁ ବହୁ ସାହାଯ୍ୟ ସହଯୋଗ କରିଛନ୍ତି ଯାହାଫଳରେ ତାଙ୍କ ଦେଶର ଅନେକ ଲୋକ ତାଙ୍କୁ ଜାଣିପାରିଥିଲେ ଏବଂ ତାଙ୍କୁ ଭୋଟିଂ କ୍ଷେତ୍ରରେ ବେଶ୍ ଫାଇଦା ମିଳିଥିଲା। ଆମ ପ୍ରଦର୍ଶନ ନେଇ ଆମେ ବହୁତ ଖୁସି। ଆଗକୁ ସଂଗୀତକୁ ନେଇ ଅନେକ କିଛି କରିବାର ଯୋଜନା ରହିଛି। ମୁଁ ଓଡ଼ିଶାର ନାଁକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ସବୁବେଳେ କାର୍ଯ୍ୟ କରିବି।’’

ସେ ଆହୁରି କହିଛନ୍ତି ଯେ, ତାଙ୍କ ବାପମାଆ ତାଙ୍କର ସଙ୍ଗୀତ ସାଧନା ପାଇଁ ସବୁବେଳେ ତାଙ୍କୁ ସହଯୋଗ କରିଆସିଛନ୍ତି। ସେହିପରି ‘ଦିଲ୍ ହୈ ହିନ୍ଦୁସ୍ତାନୀର ଏହି ସଫଳତା ପାଇଁ ସେ ଶ୍ରୀଜଗନ୍ନାଥଙ୍କ ଏବଂ ଗୁରୁ ଶାନ୍ତିଲତା ବାରିକ ଓ ବସନ୍ତ ପାତ୍ରଙ୍କ ଆଶୀର୍ବାଦ ତଥା ଓଡ଼ିଶାବାସୀଙ୍କ ଭଲପାଇବା ଓ ଶୁଭେଚ୍ଛାକୁ ଶ୍ରେୟ ଦେଇଛନ୍ତି। ତାହା ସହିତ ତାଙ୍କର ପ୍ରଶଂସକମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *

*