ଭୁବନେଶ୍ୱର, ୨୯୨୦୧୭ (ଓଡ଼ିଶାଲାଇଭ୍ ବ୍ୟୁରୋ): ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଖୋର୍ଦ୍ଧାଠାରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ କହିଛନ୍ତି ଯେ ବୀର ପାଇକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ତଥା ମହାନ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଶାର ବରପୁତ୍ର ତଥା ପ୍ରଥମ ସ୍ୱାଧୀନତା ସଂଗ୍ରାମର ମହାନାୟକ ବକ୍ସି ଜଗବନ୍ଧୁଙ୍କ ନାମରେ ଓଡ଼ିଶାକୁ ଏକ ଏକ୍ସପ୍ରେସ ଟ୍ରେନ୍ ଚଳାଇବା ପାଇଁ କେନ୍ଦ୍ର ନିକଟରେ ସେ ଦାବି କରିଛନ୍ତି।

ଚଳିତ ବର୍ଷ ସ୍ୱତନ୍ତ୍ର ଉତ୍କଳ ଦିବସର ୮୦ ବର୍ଷ ପାଳନ ହେବ। ଏହି ଅବସରରେ ବକ୍ସି ଜଗବନ୍ଧୁଙ୍କ ନାମରେ ରାଜ୍ୟ ସରକାର ଉଭୟେ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ପାଇଁ ବସୁଧା ନାମକ ଏକ ନୂତନ ପାନୀୟ ଜଳ ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନା ପାଇଁ ରାଜ୍ୟ ସରକାର ୧୦୦୦ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ  ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ଯେ ପାଇକମାନଙ୍କର ସ୍ମୃତି ଉଦ୍ଦେଶ୍ୟରେ ରାଜ୍ୟ ସରକାର ବହୁତ କିଛି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି ଏବଂ ଏହି ଉତ୍ସବକୁ କିପରି ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଯାଇପାରିବ ସେଥିପ୍ରତି ସରକାର ସବୁବେଳେ ପ୍ରୟାସ କରୁଛନ୍ତି। ଆଗାମୀ ଦିନରେ ପାଇକ ବିଦ୍ରୋହ ସମ୍ପର୍କରେ ଦିଲ୍ଲୀରେ ଏକ ଆଲୋଚନାଚକ୍ର ଆୟୋଜନ କରାଯିବାର ଲକ୍ଷ୍ୟ ରଖାଯାଇଛି।

ଯୁବଶକ୍ତିଙ୍କୁ କିପରି ପାଇକ ବିଦ୍ରୋହ ପ୍ରେରଣା ଦେଇପାରିବ ଏବଂ ଖୋର୍ଦ୍ଧାର ଗରିମାମୟ ଇତିହାସକୁ କିପରି ଯୁବପିଢ଼ିଙ୍କ ପାଖରେ ପହଞ୍ଚା ଯାଇପାରିବ ସେ ପ୍ରତି ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ଅରୁଣ କୁମାର ସାହୁ ଗୁରୁତ୍ୱାରୋପ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରସନ୍ନ ପାଟ୍ଟସାଣୀ, ଭୁବନେଶ୍ୱର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜୟ ମହାନ୍ତି, ଜିଲ୍ଲାପାଳ ନିରଞ୍ଜନ ସାହୁ, ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

*