ଭୁବନେଶ୍ୱର ୦୬ ଜୁଲାଇ, ୨୦୧୬: ଦେଶର ବିଭିନ୍ନ ଟେଲିଭିଜନ ଚ୍ୟାନେଲ୍‌‍ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ସିଧାପ୍ରସାରଣ ହେଉଥିବା ବେଳେ ଚଳିତ ବର୍ଷ ୱେବ୍‍ ଚ୍ୟାନେଲ୍‌ ମାଧ୍ୟମରେ ଏହାର ପ୍ରସାରଣ ଏକ ନୂଆ ଧାରା ସୃଷ୍ଟି କରିଛି। ରାଜ୍ୟର ପ୍ରଥମ ୱେବ୍‌ ଚ୍ୟାନେଲ୍‌ ଓଡ଼ିଶାଲାଇଭ୍‌ରେ ଶ୍ରୀଗୁଣ୍ଡିଚା ସିଧାପ୍ରସାରଣ ବେଳେ ଭାରତୀୟ ଓ ବିଦେଶୀ ଦର୍ଶକମାନଙ୍କ ମଧ୍ୟରେ ବିଶେଷ ଆଗ୍ରହ ଦେଖିବାକୁ ମିଳିଛି।

ଓଡ଼ିଶାଲାଇଭ୍‌ ପକ୍ଷରୁ ବୁଧବାର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପୁରୀରୁ ଶ୍ରୀଗୁଣ୍ଡିଚା ଯାତ୍ରାର ଲାଇଭ୍‌ ଷ୍ଟ୍ରିମିଂ କରାଯାଇଥିଲା। ଏଥିରେ ଦୁଇ ଲକ୍ଷରୁ ଅଧିକ ସଂଖ୍ୟାରେ ଦର୍ଶକ ଯୋଡି ହୋ‌ଇଥିବା ରେକର୍ଡ କରାଯାଇଛି। ସେହିପରି ନଅ ଘଣ୍ଟାରୁ ଅଧିକ ସମୟଧରି ହୋ‌ଇଥିବା ଏହି ସିଧାପ୍ରସାରଣ ମାଧ୍ୟମରେ ଦର୍ଶକମାନେ ମୋଟ୍‍ ଦଶ ଲକ୍ଷ ଅଶି ହଜାର ମିନିଟ୍‌ରୁ ଅଧିକ ସମୟ ଧରି ଏହି ୱେବ୍‌‌ ଚ୍ୟାନେଲ୍‌ ମାଧ୍ୟମରେ ପବିତ୍ର ରଥଯାତ୍ରା ଦର୍ଶନ କରିଥିବା ଓଡ଼ିଶାଲାଇଭ୍‌ର ପ୍ରତିଷ୍ଠାତା ଓ ସମ୍ପାଦକ ନୀଳାମ୍ବର ରଥ ସୂଚନା ଦେଇଛନ୍ତି।

ରଥଯାତ୍ରାର ସିଧାପ୍ରସାରଣକୁ ୱେବ୍‌ ମାଧ୍ୟମରେ ଲୋକପ୍ରିୟ କରିବା ପାଇଁ ଓଡ଼ିଶାଲାଇଭ୍‌ ପକ୍ଷରୁ ୟୁଟ୍ୟୁବ୍‌ରେ ଏକ ଲାଇଭ୍‍ ଇଭେଣ୍ଟ କରାଯାଇଥିଲା। ଗୋଟିଏ ପୋର୍ଟାଲ୍‌ରେ ଏକ ସମୟରେ ୪ ହଜାରରୁ ଅଧିକ ଦର୍ଶକ ଯୋଡି ହେବା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଓ ଏହା ଦେଶବିଦେଶରେ ଓଡ଼ିଶାର ପରିଚୟକୁ ଅଧିକ ଦୃଢ କରିବା ସହ ଡିଜିଟାଲ୍‍ ଭାରତର ସ୍ୱପ୍ନକୁ ସାକାର କରିବା କ୍ଷେତ୍ରରେ ଏକ ନୂଆ ସମ୍ଭାବନା ଆଣିଦେଇଛି ବୋଲି ଓଡ଼ିଶାଲାଇଭ୍‌ର ସମ୍ପାଦକ କହିଛନ୍ତି।

ଚଳିତବର୍ଷ ଓଡ଼ିଶାଲାଇଭ୍‌ ପକ୍ଷରୁ ଆରମ୍ଭ କରାଯାଇଥିବା ରଥଯାତ୍ରାର ଏହି ଲାଇଭ୍‌ ଷ୍ଟ୍ରିମିଂ ଆଗାମୀ ବାହୁଡା, ସୁନାବେଶ, ଅଧରନୀତି ଓ ନୀଳାଦ୍ରି ବିଜେ ବେଳେ ଜାରି ରହିବ।

Leave a Reply

Your email address will not be published. Required fields are marked *

*