wish card_00111ଭୁବନେଶ୍ୱର, ୩।୯।୨୦୧୬ (ଓଡ଼ିଶାଲାଇଭ୍‌ ବ୍ୟୁରୋ): ୩୭ତମ ଶାରଳା ପୁରସ୍କାର ପାଇଁ ନାମ ଘୋଷଣା କରାଯାଇଛି। ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ସାହିତ୍ୟିକ ଡକ୍ଟର ହୃଷୀକେଶ ମଲ୍ଲିକ ଏହି ପୁରସ୍କାର ପାଇବେ। ୨୦୧୫ରେ ପ୍ରକାଶିକ ’ଜେଜେ ଦେଖିନଥିବା ଭାରତ’ କବିତା ପୁସ୍ତକ ପାଇଁ  ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।

ଡକ୍ଟର ମଲ୍ଲିକ ଏଯାବତ୍‌ ୧୦ଟି କବିତା ଗ୍ରନ୍ଥ ରଚନା କରିବା ସହ ୨୦ଟି ପୁସ୍ତକ ରଚନା କରିସାରିଲେଣି। ଡକ୍ଟର ମଲ୍ଲିକଙ୍କ ଦ୍ୱାରା ରଚିତ ପଥମ କବିତା ପୁସ୍ତକ ’ଧାନ ସାଉଁଟା ଝିଅ’ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲା। ଶାରଳା ପୁରସ୍କାର ବାବଦରେ ତାଙ୍କୁ ୫ ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ।

ସେହିପରି ଏବର୍ଷ ପାଇଁ ଇଲା ପଣ୍ଡା ସଙ୍ଗୀତ ସମ୍ମାନ ପାଇଁ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା ଓ ଇଲା ପଣ୍ଡା ଚିତ୍ରକଳା ସମ୍ମାନ ପାଇଁ ଚିତ୍ରଶିଳ୍ପୀ ସ୍ୱର୍ଗତ ଡକ୍ଟର ଦିନନାଥ ପାଠୀଙ୍କୁ ମନୋନୀତ କରାଯାଇଛି। ପୁରସ୍କାର ସ୍ୱରୂପ ଉଭୟଙ୍କୁ ୧.୫ ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ।

୧୯୭୯ ମସିହାରୁ ପ୍ରତିବର୍ଷ ଶାରଳା ପୁରସ୍କାର ପ୍ରଦାନ କରାଯାଇଆସୁଛି। ବରିଷ୍ଠ ଶିଳ୍ପପତି ଡକ୍ଟର ବଂଶୀଧର ପଣ୍ଡା ଓ ସ୍ୱର୍ଗତ ଇଲା ପଣ୍ଡାଙ୍କ ଦ୍ୱାରା ପ୍ରତିଷ୍ଠିତ ଶାରଳା ପୁରସ୍କାର ଇମ୍ଫା ଗ୍ରୁପ୍‌ ଦ୍ୱାରା ପରିଚିତ ଇଣ୍ଡିଆନ୍‌ ମେଟାଲ୍ସ ଆଣ୍ଡ ପବ୍ଲିକ୍‌ ଚାରିଟେବୁଲ୍‌‍ ଟ୍ରଷ୍ଟ (ଇମ୍ପାକ୍ଟ) ଆୟୋଜନ କରିଆସୁଛି।

୨୦୧୬ ବର୍ଷ ପାଇଁ ଶାରଳା ପୁରସ୍କାର ଆସନ୍ତା ଅକ୍ଟୋବର ୨୬ ତାରିଖରେ ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର ଉତ୍ସବରେ ପ୍ରଦାନ କରାଯିବ। ଏହି ଉତ୍ସବରେ ଦେଶର ପ୍ରତିଷ୍ଠିତ ଲେଖକ ଚନ୍ଦ୍ରଶେଖର କାମ୍ବର ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *

*