ଭୁବନେଶ୍ୱର, ୧୪/୦୭/୨୦୧୬ (ଓଡ଼ିଶାଲାଇଭ୍‌ ବ୍ୟୁରୋ): ବିଜୁ ଜନ୍ମ ଶତବାର୍ଷିକୀ ସ୍ମାରକୀ ଗଣଦୌଡ଼ ଜୁଲାଇ ୧୯ରୁ ଆରମ୍ଭ ହେବା ପାଇଁ ସ୍ଥିର ହୋଇଛି। ଏହା ୨୦୧୬ ଅଗଷ୍ଟ ୦୯ ‘କ୍ରାନ୍ତି ଦିବସ’ ପର୍ଯ୍ୟନ୍ତ ଚାଲୁ ରହିବ। ଏହି ଅବସରରେ ରାଜ୍ୟର ବିଭିନ୍ନ ଅଞ୍ଚଳର ସ୍ୱାଧିନତା ସଂଗ୍ରାମୀ ତଥା ମହାନ କ୍ରାନ୍ତିକାରୀଙ୍କ ଜନ୍ମଭୂମି, କର୍ମଭୂମି ଓ ସହିଦ ପୀଠରେ ଗଣଦୌଡ଼ ଆୟୋଜନ ପାଇଁ ବିଜୁ ଜନ୍ମ ଶତବାର୍ଷିକୀର ୫ ଗୋଟି କମିଟି ମିଳିତ ଭାବରେ ନିଷ୍ପତ୍ତି ନେଇଛନ୍ତି।

ଜୁଲାଇ ୧୯ରେ ପୁରୀର ଚାଖିଖୁଣ୍ଟିଆଙ୍କ ଜନ୍ମପୀଠରୁ ବିଜୁ ସ୍ମାରକୀ ଜ୍ୟୋତିର ଶୁଭାରମ୍ଭ ହୋଇ ଗାନ୍ଧିଘାଟଠାରେ ସନ୍ନିବେଶିତ ହେବ। ପରେ ସେଠାରୁ ଗଣଦୌଡ଼ ଆରମ୍ଭ ହୋଇ ମେଡିକାଲ୍ ଛକ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିବ। ପରବର୍ତ୍ତୀ ସମୟରେ ରଘୁଦିବାକରଙ୍କ ଜନ୍ମପୀଠ (ନୟାଗଡ଼), ଧରଣୀଧର ଭୂଆଁଙ୍କ (କେନ୍ଦୁଝର), ରେଣ୍ଡୋ ମାଝିଙ୍କ ଜନ୍ମପୀଠ (କଳାହାଣ୍ଡି) ସମେତ ଅଗଷ୍ଟ ୦୯ରେ ଲବଣ ସତ୍ୟାଗ୍ରହ ପୀଠ ଚୂଡ଼ାମଣିଠାରୁ ଗଣଦୌଡ଼ ଆରମ୍ଭ ହୋଇ ଭଦ୍ରକର ମୁକ୍ତି ସଂଗ୍ରାମର ପୀଠ ଇରମ୍‌ଠାରେ ସମାପ୍ତ ହେବ। ପ୍ରାୟ ୨୭ ଦିନ ଧରି ବିଜୁ ସ୍ମାରକୀ ଜ୍ୟୋତି ରାଜ୍ୟର ବିଭିନ୍ନ ଅଞ୍ଚଳକୁ ପରିକ୍ରମା କରିବ।

ଜାତୀୟ ଆନ୍ତର୍ଜାତୀୟ ସମନ୍ୱୟ କମିଟିର ଆବାହକ ଦେବୀପ୍ରସାଦ ମିଶ୍ର ଏବଂ ବିଜୁପଟ୍ଟନାୟକ ଜନ୍ମ ଶତବାର୍ଷିକୀ କମିଟିର ଆବାହକ ବେଦପ୍ରକାଶ ଅଗ୍ରୱାଲ୍‌ ସୂଚନା ଦେଇ କହିଛନ୍ତି ଯେ, ସ୍ମାରକୀ ଗଣଦୌଡ଼ କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ସ୍ଥାନୀୟ ବିଧାୟକଙ୍କ ଆବାହକତ୍ୱରେ ଜିଲ୍ଲାର ମନ୍ତ୍ରୀ, ସାଂସଦ, ବିଜେଡି ଜିଲ୍ଲା ସଭାପତି, ଜିଲ୍ଲାର ଯୁବ/ଛାତ୍ର ସଭାପତି, ଜିଲ୍ଲାର ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ରହିବେ। ଏହି ଗଣଦୌଡ଼ କାର୍ଯ୍ୟକ୍ରମରେ ସମାଜର ସବୁବର୍ଗ ଯୁବ ଛାତ୍ର, ବନ୍ଧୁମାନଙ୍କୁ କିଭଳି ଅଧିକରୁ ଅଧିକ ସାମିଲ୍‍ ହୋ‍ଇପାରିବେ, ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପରିଚାଳନା କମିଟିକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

*