ଭୁବନେଶ୍ୱର, ୧୦/୦୮/୨୦୧୬ (ଓଡ଼ିଶାଲାଇଭ୍‌ ବ୍ୟୁରୋ): ଜେ‌ଏସ୍‌‍ପିଏଲ୍‌ ଫାଉଣ୍ଡେସନ୍‌ ପକ୍ଷରୁ ଆଜି ଭଞ୍ଜକଳା ମଣ୍ଡପଠାରେ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାର ୩୩ ଜଣ ରଥ କାରିଗରଙ୍କୁ ସ୍ୱୟଂସିଦ୍ଧ ସମ୍ମାନରେ ସମ୍ମାନିତ କରାଯାଇଛି। କାରିଗରମାନଙ୍କର ଜୀବନବ୍ୟାପି ନିଷ୍ଠା, ସେବା ଓ ଅତୁଳନୀୟ ଦକ୍ଷତାକୁ ମାନ୍ୟତା ଦେବା ଉଦ୍ଦେଶ୍ୟରେ ଜେ‌ଏସ୍‌‍ପିଏଲ୍‌ ଫାଉଣ୍ଡେସନ୍‌ ଏବଂ ଡକ୍ଟର ରଘୁନାଥ ମହାପାତ୍ର ଆର୍ଟ ଆଣ୍ଡ କ୍ରାଫ୍ଟ ଫାଉଣ୍ଡେସନ୍‌ର ମିଳିତ ସହଯୋଗରେ ଏହି ଉତ୍ସବ ଆୟୋଜିତ ହୋ‌ଇଯାଇଛି।

ମହାରଣା ସେବକ, କମାର ସେବକ, କରତ ସେବକ, ରୂପକାର ସେବକ, ଚିତ୍ରକର ସେବକ, ଦରଜୀ ସେବକମାନଙ୍କୁ ଏହି ସଭାରେ ସମ୍ବର୍ଦ୍ଧିତ କରାଯାଇଥିଲା। Cpf7MqjUkAE_J1mଏହି ସେବକମାନେ ପାରମ୍ପରିକ ଏବଂ ବ୍ୟକ୍ତିଗତଭାବେ ବହୁ ବର୍ଷ ହେବ ମହାପ୍ରଭୁଙ୍କ ସେବାରେ ନିଜକୁ ସମର୍ପିତ କରିଆସିଛନ୍ତି।

ଏହି ସଭାରେ ଜେ‌ଏସ୍‌‍ପିଏଲ୍‌ ଫାଉଣ୍ଡେସନ୍‌ର ସଭାପତି ଶ୍ରୀମତି ସାଲୁ ଜିନ୍ଦଲ୍‍, ପଦ୍ମଭୂଷଣ ଡକ୍ଟର ରଘୁନାଥ ମହାପାତ୍ର ଏବଂ ପରମପୂଜ୍ୟ ଶ୍ରୀ ଗୁରୁଜୀ ବୁଢାବାପା ଉପସ୍ଥିତ ରହି ପ୍ରତ୍ୟକ ଶିଳ୍ପୀଙ୍କୁ ଅର୍ଥ ରାଶି ସହ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରିଥିଲେ ।

ଏହି ସଭାରେ ଶିଳ୍ପୀମାନଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀମତି ଜିନ୍ଦଲ୍‍ କହିଛନ୍ତି ଯେ ଓଡ଼ିଶା ହେଉଛି ଉତ୍କୃଷ୍ଟ କଳାର ରାଜ୍ୟ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ ତିନି ରଥଙ୍କୁ ଦେଖି ସାରା ବିଶ୍ୱବାସୀ ଅଭିଭୂତ ହୋ‌ଇଥା’ନ୍ତି। ସ୍ୱୟଂସିଦ୍ଧ କାରିଗର ବା ରଥଶିଳ୍ପୀ, ଖୁବ୍‍ କମ୍‍ ସମୟରେ ଏହି ରଥ କାର୍ଯ୍ୟ ସମାପନ କରିଥା’ନ୍ତି, ଏହି ରଥକୁ ସୁକ୍ଷ୍ମ କାରିଗରୀ ତଥା କଳା ଚାତୁରୀରେ ବିଭୂଷିତ କରିଥା’ନ୍ତି । ଦୁଃଖର ବିଷୟ ଏହି କି ଯେ ଆମେ କିନ୍ତୁ କେବେ କେଉଁଠି ଏମାନଙ୍କୁ ମନେପକାଉନା, ଏହି ଅତୁଲ୍ୟ ସେବାକୁ ମାନ୍ୟତା ଦେବା ଏବଂ ଆହୁରି ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଜେ‌ଏସ୍‌‍ପିଏଲ୍‌ ଫାଉଣ୍ଡେସନ୍‌ ପକ୍ଷରୁ ସ୍ୱୟଂସିଦ୍ଧ ସମ୍ମାନ ପ୍ରଦାନ କରାଯାଇଛି।

ଜେ‌ଏସ୍‌‍ପିଏଲ୍‌ ଗ୍ରୁପ୍‌ର ସିଏସ୍‌ଆର୍‌ ମୁଖ୍ୟ ପ୍ରଶାନ୍ତ କୁମାର ହୋତା କହିଥିଲେ ଯେ ରଥନିର୍ମାଣରେ ନିୟୋଜିତ ଶିଳ୍ପୀ ଓ କାରିଗରମାନଙ୍କୁ ସମ୍ମାନିତ କରିବା ପାଇଁ ଓ ସେମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଏହା ସର୍ବପ୍ରଥମ ପ୍ରୟାସ।

ଏହି ସଭାରେ ଜେ‌ଏସ୍‌‍ପିଏଲ୍‌ର ବହୁ କର୍ମକର୍ତ୍ତା, ସମାଜର ବହୁ ବୁଦ୍ଧିଜୀବି, ସାହିତ୍ୟିକ, ଶିଳ୍ପୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

*