ଭୁବନେଶ୍ୱର, ୦୮.୦୭. ୨୦୧୬ (ଓଡ଼ିଶାଲାଇଭ୍‌): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଢ଼ାଞ୍ଚାରେ ଯୁକ୍ତ ୨ ନୂଆ ସିଲାବସର ପାଠ୍ୟପୁସ୍ତକ ଆଜି ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଏବଂ ପ୍ରକାଶନ ସଂସ୍ଥା, ଭୁବନେଶ୍ୱରଠାରେ ଉନ୍ମୋଚିତ ହୋଇଯାଇଛି। ଏହାକୁ ଉଚ୍ଚଶିକ୍ଷା ବିଭାଗର ସଚିବ ଜିଭିଭି ଶର୍ମା ଉନ୍ମୋଚନ କରିଥିଲେ।

ପାଠ୍ୟପୁସ୍ତକଗୁଡ଼ିକ ସିଏଚ୍‌ଏସ୍ଇ ଓଡ଼ିଶାର ସିଲାବସ୍‌ କମିଟି ସିବିଏସଇର ସିଲାବସ୍‌ ଅନୁଯାୟୀ ପ୍ରସ୍ତୁତ କରିଛନ୍ତି। ସଚିବ ଜିଭିଭି ଶର୍ମା କହିଥିଲେ ‘ପୁସ୍ତକର ସୁନ୍ଦର କଭର, ପେପର, ପିଲାମାନଙ୍କୁ ବହି ପ୍ରତି ଆକୃଷ୍ଟ କରିବ’।

ଚଳିତ ଶିକ୍ଷା ବର୍ଷରୁ ନୂଆ କରି ନାମ ଲେଖାଇଥିବା ଛାତ୍ରଛାତ୍ରୀମାନେ ଏ ପୁସ୍ତକ ଅନୁଯାୟୀ ପାଠ ପଢ଼ିବେ। ସୁନ୍ଦର, ସାବଲୀଳ ଭାଷା ପିଲାମାନଙ୍କୁ ପାଠ ବୁଝିବାରେ ସାହାଯ୍ୟ କରିବ ଏବଂ ପ୍ରତ୍ୟେକ ଅଧ୍ୟାୟ ଶେଷରେ କୋଶ୍ଚିନ ବ୍ୟାଙ୍କ୍ ଦିଆଯାଇଛି। ଯାହାଫଳରେ, ଛାତ୍ରଛାତ୍ରୀମାନେ ଜାଣିପାରିବେ ଯେ, କେଉଁ ପ୍ରକାର ପ୍ରଶ୍ନ ପରୀକ୍ଷାରେ ଆସିବ, ଫଳରେ ସେମାନେ ନିଜକୁ ସେହିଭଳି ଭାବରେ ପ୍ରସ୍ତୁତ କରିବେ। ମୁଖ୍ୟତଃ ଅବ୍‌ଜେକ୍ଟିଭ୍ ପ୍ରଶ୍ନଗୁଡ଼ିକୁ ସିଲାବସ୍‌ରେ ପ୍ରାଧାନ୍ୟ ଦିଆଯାଇଛି।

ବ୍ୟୁରୋ ଇତିହାସରେ ପ୍ରଥମ ଥର ପାଇଁ ହିନ୍ଦୀ ଏବଂ ଉର୍ଦ୍ଦୁ (ଏମ.ଆଇ.ଏଲ.) ନେଇଥିବା ପିଲାମାନଙ୍କ ପାଇଁ ପାଠ୍ୟପୁସ୍ତକ ପ୍ରଣୟନ କରାଯାଇଛି ଏବଂ ଭୋକେସନାଲ୍‌ ପିଲାମାନଙ୍କ ପାଇଁ ଅଟୋମୋବାଇଲ୍‌ ଟେକ୍ନୋଲୋଜି ଏବଂ ବ୍ୟାଙ୍କିଂ, ଫ୍ୟାସନ ଟେକ୍ନୋଲୋଜିର ପୁସ୍ତକ ପ୍ରଣୟନ କରାଯାଇଛି। ଆଗାମୀ ୨ ସପ୍ତାହ ମଧ୍ୟରେ ସମସ୍ତ ପୁସ୍ତକ ବଜାରରେ ମିଳିପାରିବ ବୋଲି ପାଠ୍ୟପୁସ୍ତକ ପ୍ରଣୟନ ଏବଂ ପ୍ରକାଶନ ସଂସ୍ଥାର ନିର୍ଦ୍ଦେଶିକା ଡକ୍ଟର ଗୀତିକା ପଟ୍ଟନାୟକ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

*