ଭୁବନେଶ୍ୱର, ୨୧/୦୭/ ୨୦୧୬ (ଓଡ଼ିଶାଲାଇଭ୍‌ ବ୍ୟୁରୋ): ବିଳମ୍ବରେ ହେଲେ ମଧ୍ୟ ସରକାରକରଙ୍କ ନିଦ ଭାଙ୍ଗିଛି, ଶ୍ରୀମନ୍ଦିର ପରିଚାଳନାରେ ବାରମ୍ବାର ବିଶୃଙ୍ଖଳା ସୃଷ୍ଟି ହେବାରୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିଚାଳନାରେ ସଂସ୍କାର ନିମନ୍ତେ ଏକକ କମିଶନ ଗଠନ କରିଛନ୍ତି | ଏହି କମିଶନରେ ଅବସରପ୍ରାପ୍ତ ମାନ୍ୟବର ନ୍ୟାୟାଧିଶ ଶ୍ରୀଯୁକ୍ତ ବିମଳ ପ୍ରସାଦ ଦାସଙ୍କୁ ରାଜ୍ୟ ସରକାର ଜଣିକିଆ କମିଶନ ଭାବେ ନିଯୁକ୍ତି ଦେଇଛନ୍ତିା ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସକ ଶ୍ରୀ ମହିମୋହନ ତ୍ରିପାଠୀଙ୍କୁ କମିଶନଙ୍କୁ ସହାୟତା କରିବା ପାଇଁ ନିଯୁକ୍ତି ଦିଆଯାଇଛି ବୋଲି ସଚିବାଳୟଠାରେ ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏହା ପ୍ରକାଶ କରିଛନ୍ତି।

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା, କୀର୍ତ୍ତିରାଜିର ସଂରକ୍ଷଣ, ସୌନ୍ଦର୍ଯ୍ୟକରଣ, ଶ୍ରୀମନ୍ଦିରର ଶୃଙ୍ଖଳିତ ନୀତି ପରିଚାଳନା, ସେବାୟତ ଓ ମନ୍ଦିର ପରିଚାଳନା ସହିତ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ଦାୟିତ୍ୱକୁ ସୁସଂଗଠିତ କରିବା, ସେବାପୂଜା ନିମନ୍ତେ ଆବଶ୍ୟକ ସାମଗ୍ରୀର ସଠିକ ଯୋଗାଣ, ସେବକ ପୂଜାରୀ ପରିଚାଳନା ଓ ଦେବୋତ୍ତର ସହିତ ସଂପୃକ୍ତ କର୍ମଚାରୀଙ୍କ ପାଉଣା, ଭକ୍ତମାନଙ୍କ ପାଇଁ ସୁବିଧା ସୁଯୋଗ, ସେବକ ପୂଜାରୀ ଏବଂ ସେବାପୂଜା ସହିତ ସଂପୃକ୍ତ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କ କଲ୍ୟାଣ ନିମନ୍ତେ ଶିକ୍ଷା, ତାଲିମ, ସ୍ୱାସ୍ଥ୍ୟ ଏବଂ ଗୃହ ବ୍ୟବସ୍ଥା, ଶ୍ରୀଜଗନ୍ନାଥ ସଂସ୍କୃତିର ବ୍ୟାପକ ପ୍ରଚାର-ପ୍ରସାର ବ୍ୟତୀତ ଏହି ବିଷୟଗୁଡିକ ସହିତ ସଂପୃକ୍ତ ଆନୁସଙ୍ଗିକ କୌଣସି ବିଷୟ କମିଶନ ଉପଯୁକ୍ତ ବିବେଚନା କଲେ ସେଗୁଡିକ ତଦନ୍ତ ପରିସରଭୁକ୍ତ ହେବ ବୋଲି ମନ୍ତ୍ରୀ ଡ. ସାହୁ ସୂଚନା ଦେଇଛନ୍ତି।

ଠାକୁରଙ୍କର ନୀତିକାନ୍ତି ସଂପାଦନାରେ ଓ ସେବାପୂଜାରେ ବିଳମ୍ବ ହେଉଥିବା ଘଟଣାମାନ ଦୃଷ୍ଟିକୁ ଆସୁଛିା ତେଣୁ ଠାକୁରଙ୍କର ନୀତିକାନ୍ତି ଓ ସେବାପୂଜାକୁ ଅଧିକତର ସୁସଂଗଠିତ କରିବା ଏବଂ ମନ୍ଦିରର ନିରାପତ୍ତା ଓ ସୁରକ୍ଷାକୁ ଅଧିକ କଡାକଡି କରିବା ତଥା ଅନ୍ୟାନ୍ୟ ବିଷୟ ଯଥା ସେବାୟତ, ସେବକ, ପୂଜାରୀ, ପଣ୍ଡାମାନଙ୍କ ପାଇଁ ଉନ୍ନତତର ବ୍ୟବସ୍ଥା କରିବା ପାଇଁ ସରକାର ତଦନ୍ତ କମିଶନ ଅଧିନିୟମ, ୧୯୫୨ ଅନୁଯାୟୀ ଏକ କମିଶନ ଗଠନ କରିଛନ୍ତି।

Leave a Reply

Your email address will not be published. Required fields are marked *

*