ଭୁବନେଶ୍ୱର, /୦୭/ ୨୦୧୬ (ଓଡ଼ିଶାଲାଇଭ୍ବ୍ୟୁରୋ): ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଶେଷ ହୋଇଛି। ଗୁଣ୍ଡିଚା ମନ୍ଦିରରୁ ଶ୍ରୀନଅର ଆଡ଼କୁ ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ମହାପ୍ରଭୁଙ୍କୁ ଶ୍ରୀମନ୍ଦିରକୁ ବାହୁଡ଼େଇ ନେବାକୁ ବଡ଼ଦାଣ୍ଡରେ ଅପେକ୍ଷା କରିଥିଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ଗୁଣ୍ଡିଚା ମନ୍ଦିରରେ ସମସ୍ତ ପାରମ୍ପାରିକ ନୀତିନିର୍ଘଣ୍ଟ ସମାପନ ହୋଇ ନିର୍ଦ୍ଧାରିତ ୧ ଘଣ୍ଟା ସମୟ ପୂର୍ବରୁ ଆରମ୍ଭ ହୋଇଥିଲା ଚତୁର୍ଦ୍ଧା ବିଗ୍ରହଙ୍କ ପହଣ୍ଡି ଯାତ୍ରା।

ପ୍ରଥମେ ସୁଦର୍ଶନ, ତା’ ପରେ ବଡ଼ଠାକୁର ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଧାଡ଼ି ପହଣ୍ଡିରେ ଆସିଥିଲେ ରଥକୁ। ପହଣ୍ଡି ସମୟରେ ଅଗଣିତ ଶ୍ରଦ୍ଧାଳୁଙ୍କର ହୁଳହୁଳି, ହରିବୋଲରେ ପ୍ରକମ୍ବିତ ହୋଇଥିଲା ବଡ଼ଦାଣ୍ଡ।

ପ୍ରାୟ ଦିନ ୧୨ଟା ୪୦ରେ ପହଣ୍ଡି କାର୍ଯ୍ୟ ସମାପନ ହୋଇଥିଲା। ପରେ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ ତିନି ରଥରେ ଛେରା ପହଁରା କାର୍ଯ୍ୟ ସମାପନ କରିଥିଲେ ଏବଂ ରଥରେ ଅନ୍ୟ ସମସ୍ତ ପାରମ୍ପାରିକ ରୀତିନୀତି ସରିବା ପରେ ତିନି ରଥରୁ ଚାରମାଳ ଖୋଲାଯାଇ ଘୋଡ଼ା ଓ ସାରଥୀ ଭିଡ଼ା ହୋଇଥିଲେ।

ଅପରାହ୍ନ ୩ଟାରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରଥମେ ତାଳଧ୍ୱଜ, ପରେ ଦର୍ପଦଳନ ଓ ଶେଷରେ ପ୍ରାୟ ୪ଟା ବେଳକୁ ନନ୍ଦିଘୋଷ ରଥ ଭକ୍ତମାନେ ଟାଣିଥିଲେ। ରଥରେ ଆସିଲା ବେଳେ ମାଉସୀମା’ ମନ୍ଦିର ପାଖରେ ତିନି ଦିଅଙ୍କୁ ପୋଡ଼ପିଠା ଭୋଗ ଲାଗି ହୋଇଥିଲା। ରାତି ୮ଟା ୩୦ରେ ତିନି ରଥ ପହଞ୍ଚିଥିଲା ଶ୍ରୀମନ୍ଦିର ସମ୍ମୁଖରେ।

ରଥଯାତ୍ରାକୁ ଶାନ୍ତିଶୃଙ୍ଖଳା ସହ ପରିଚାଳନା କରିବା ପାଇଁ ସୁରକ୍ଷା ଦାୟିତ୍ୱରେ ୧୪୫ ପ୍ଲାଟୁନ୍‌ ଫୋର୍ସ, ୧୦ ପ୍ଲାଟୁନ୍ ଏସଓଜି, ୭୫୦ ପୋଲିସ ଅଧିକାରୀ, ୨ ପ୍ଲାଟୁନ୍‌ ରାପିଡ୍‌ ଆକ୍ସନ୍‌ ଫୋର୍ସ ନିୟୋଜିତ ହୋଇଥିଲେ। ଏହାକୁ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ସୁରେଶ ଚନ୍ଦ୍ର ମହାପାତ୍ର, ପୋଲିସ ମହାନିର୍ଦ୍ଦେଶକ କେ.ବି. ସିଂହ, ପୋଲିସ ଆଇଜି ଆର.ପି. କୋଚେ, ଏସ୍‌ପି ସାର୍ଥକ ଷଡଙ୍ଗୀ ଏବଂ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଆଦି ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

*