ଭୁବନେଶ୍ୱର, ୧୨/୦୭/ ୨୦୧୬ (ଓଡ଼ିଶାଲାଇଭ୍‌ ବ୍ୟୁରୋ): ରାଜ୍ୟରେ ଦିନକୁଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏ ବର୍ଷ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୯୭ରେ ପହଞ୍ଚିଥିବା ବେଳେ ଏଥିରେ ସର୍ବାଧିକ କେଉଁଝର ଜିଲ୍ଲାରେ ରୋଗୀଙ୍କ ସଂଖ୍ୟା ପହଞ୍ଚିଛି ୫୪୧ରେ। ଏ ବର୍ଷ ଡେଙ୍ଗୁ ଜ୍ୱରରେ ଜଣକର ମୃତ୍ୟୁ ହୋଇଥିବା ବେଳେ ପୁରୀ ଜିଲ୍ଲାରେ ୧୯, ଖୋର୍ଦ୍ଧା ଜିଲ୍ଲାରେ ୧୨, କେନ୍ଦ୍ରାପଡ଼ା ଜିଲ୍ଲାରେ ୧୫, ଜଗତପୁରରେ ୪୪, ବାଲେଶ୍ୱର ଜିଲ୍ଲାରେ ୧୦, ଭଦ୍ରକ ଜିଲ୍ଲାରେ ୨୪, ଏବଂ କଟକ ଜିଲ୍ଲାରୁ ୯୪ ଜଣ ଆକ୍ରାନ୍ତ ହୋଇଛନ୍ତି।

ଗତକାଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ବିଭାଗୀୟ ସଚିବ ଆରତୀ ଆହୂଜା, ଜାତୀୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଚିତ୍ତରଂଜନ ନାୟକ, ଯୁଗ୍ମ ସଚିବ ସୁରଜିତ୍ ଦାସ ପ୍ରମୁଖ ଯୋଗ ଦେଇଥିଲେ।

ଡେଙ୍ଗୁ ପ୍ରଭାବିତ ଅଞ୍ଚଳରେ ତୀକ୍ଷ୍‌ଣ ଦୃଷ୍ଟି ଦିଆଯାଉଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଏବଂ ଯେଉଁ ଜିଲ୍ଲାମାନଙ୍କରେ ଡେଙ୍ଗୁ ହେବାର ସମ୍ଭାବନା ଅଛି ତା’ ପାଇଁ ପୂର୍ବରୁ ସଜାଗ ରହିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ଜିଲ୍ଲାରେ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିକାରୀମାନେ ସଜାଗ ଅଛନ୍ତି ଏବଂ ଏହାର ଦାୟିତ୍ୱ ନିଜେ ଜିଲ୍ଲାପାଳମାନେ ତଦାରଖ କରିବେ ବୋଲି ସେ କହିଛନ୍ତି।

ଆକ୍ରାନ୍ତ ରୋଗୀଙ୍କର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି ବୋଲି ଅତନୁ ସବ୍ୟସାଚୀ କହିଛନ୍ତି। ଏହା ସହିତ ମେଡିକାଲ୍ କଲେଜଗୁଡ଼ିକରୁ ‘ଟାସ୍କ ଫୋର୍ସ’ଟିମ୍ ଗଠନ ହୋଇ ବିଭିନ୍ନ ଜିଲ୍ଲା ଗସ୍ତ କରିବେ। ତେଣୁ ରାଜ୍ୟବାସୀ ଡେଙ୍ଗୁକୁ ନେଇ ଭୟଭୀତ ନ ହେବା ପାଇଁ ସେ କହିଛନ୍ତି।

ଡେଙ୍ଗୁ ବ୍ୟାପୁଥିବା ଅଞ୍ଚଳରେ ମଶା ଧୂଆଁଠାରୁ ଆରମ୍ଭ କରି ଲୋକମାନେ କିପରି ସଚେତନ ହେବେ ସେଥିପାଇଁ ବିହିତ ପଦକ୍ଷେପ ନିଆଯାଇଥିବାର ବିଭାଗ ପକ୍ଷରୁ କୁହାଯାଇଛି।

ରିପୋର୍ଟ- ସତ୍ୟବ୍ରତ ପାଢ଼ୀ

Leave a Reply

Your email address will not be published. Required fields are marked *

*