ଭୁବନେଶ୍ୱର, ୧୪/୦୭/ ୨୦୧୬ (ଓଡ଼ିଶାଲାଇଭ୍‌ ବ୍ୟୁରୋ): ରାଜ୍ୟରେ ପ୍ରାଣୀଧନ ଚିକିତ୍ସା କ୍ଷେତ୍ରରେ ଥିବା ଭିତ୍ତିଭୂମିର ଆବଶ୍ୟକତାକୁ ପୂରଣ କରିବାକୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ଭୁବନେଶ୍ୱରରେ ପଶୁ ରୋଗ ଚିହ୍ନଟ ଗବେଷଣାଗାର ସହିତ ପଶୁରୋଗ ଟୀକା ଉତ୍ପାଦନ କେନ୍ଦ୍ର ସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ପ୍ରାଣୀ ସମ୍ପଦ ସ୍ୱାସ୍ଥ୍ୟ ସମ୍ପର୍କିତ ଜାତୀୟ ଆଲୋଚନାଚକ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ଏହି ସଭାରେ ସେ କହିଥିଲେ ଯେ, ଗ୍ରାମାଞ୍ଚଳର ଅର୍ଥନୀତିର ବିକାଶରେ ପ୍ରାଣୀ ସମ୍ପଦର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗ୍ରାମାଞ୍ଚଳରେ ୮୦ ପ୍ରତିଶତ ଲୋକଙ୍କ ଜୀବିକା ନିର୍ବାହରେ ପଶୁ ପାଳନ ବିଶେଷ ସହାୟକ ହୋଇଥାଏ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୦୮ ପ୍ରାଣୀଧନ ନିରୀକ୍ଷକଙ୍କୁ ଡିପ୍ଲମା ପାଠ୍ୟକ୍ରମର ପ୍ରଶିକ୍ଷଣ ଗ୍ରହଣ ନିମନ୍ତେ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ।

ରାଜ୍ୟରେ ବର୍ତ୍ତମାନ ୫୧୪ଟି ପ୍ରାଣୀ ଚିକିତ୍ସାଳୟ ଓ ୩୨୨୦ଟି ପ୍ରାଣୀ ଧନ ସହାୟକ କେନ୍ଦ୍ର କାର୍ଯ୍ୟ କରୁଛି।ଏଥିସହିତ ରାଜ୍ୟର ସମସ୍ତ ବ୍ଲକ୍‌ରେ ପ୍ରାଣୀ ଚିକିତ୍ସା ଉପଲବ୍ଧ ନିମନ୍ତେ ମୋବାଇଲ୍ ଭ୍ୟାନ୍‌ ମାଧ୍ୟମରେ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା କାର୍ଯ୍ୟକ୍ଷମ ହେଉଛି। ସେହିପରି ଚିଡିଆଖାନା ଓ ଜାତୀୟ ପାର୍କଗୁଡ଼ିକରେ ଟୀକାକରଣ ଉପରେ ବିଭାଗ ଗୁରୁତ୍ୱ ଦେଉଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ମନ୍ତ୍ରୀ ପ୍ରଦୀପ ମହାରଥୀ କହିଥିଲେ ଯେ, ପ୍ରାଣୀମାନଙ୍କ ସ୍ୱାସ୍ଥ୍ୟ ରକ୍ଷା ପାଇଁ ବିଭିନ୍ନ ସ୍ୱାସ୍ଥ୍ୟସେବା ଯୋଗାଇଦେବା କ୍ଷେତ୍ରରେ ପଶୁ ସମ୍ପଦ କ୍ଷେତ୍ରରେ ପଶୁ ସମ୍ପଦ ବିଭାଗର ପ୍ରମୁଖ ଦାୟିତ୍ୱ ରହିଛି। ସାରା ରାଜ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ଟୀକାକରଣ ଓ କୃର୍ମି ନିରାକରଣ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରାଯାଇଛି ବୋଲି ସେ କହିଥିଲେ।

କର୍ମଶାଳାରେ ସାଂସଦ ପ୍ରସନ୍ନ ପାଟ୍ଟସାଣୀ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ସଚିବ ଆର୍‌ ବାଲକ୍ରିଷ୍ଣନ୍‌, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଧାୟକ ବିଜୟ ମହାନ୍ତି ଏବଂ ଓୟୁଟିର କୁଳପତି ସୁରେନ୍ଦ୍ର ନାଥ ପଶୁପାଳକ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

*