biju pic - hd

ଭୁବନେଶ୍ୱର,୨୨/୦୭/ ୨୦୧୬ (ଓଡ଼ିଶାଲାଇଭ୍‌ ବ୍ୟୁରୋ): ବେଙ୍ଗାଲୁରୁଠାରେ ଅଗଷ୍ଟ ୨୬ ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ପାଳନ କରାଯିବ। ଏହି ଅବସରରେ ଇନଭେଷ୍ଟ୍ ଓଡ଼ିଶା, ରୋଡ-ସୋ ଏବଂ ବିଜୁ ଜନ୍ମ ଶତବାର୍ଷିକୀ ଉତ୍ସବର ଆୟୋଜନ କରାଯିବ। ଏହି ରୋଡ-ସୋରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ।

ଆଜି ସଚିବାଳୟଠାରେ ଶିଳ୍ପ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢୀ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଅର୍ଥ) ଶ୍ରୀ ଆର୍ ବାଲକ୍ରିଷ୍ଣନ୍, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ ଚୋପ୍ରାଙ୍କ ସମେତ ବିଭିନ୍ନ ବିଭାଗର ସଚିବମାନେ ଯୋଗ ଦେଇଥିଲେ।

ଏଥିରେ ମନ୍ତ୍ରୀ ଶ୍ରୀ ମିଶ୍ର କହିଥିଲେ ଯେ, ବେଙ୍ଗାଲୁରୁଠାରେ ଦୁଇଟି ସ୍ୱତନ୍ତ୍ର ଉତ୍ସବ ଓ ଓଡ଼ିଶାରେ ପୁଞ୍ଜିନିବେଶକମାନଙ୍କୁ ଆକର୍ଷିତ କରିବା ନିମନ୍ତେ ଇନ୍‌ଭେଷ୍ଟ ଓଡ଼ିଶାର ଆୟୋଜନ କରାଯିବ। ପ୍ରଗତିଶୀଳ ନୂଆ ନୀତି ଏବଂ ଓଡ଼ିଶାରେ ପୁଞ୍ଜିନିବେଶର ଅନୁକୂଳ ବାତାବରଣ ପରିପ୍ରେକ୍ଷୀରେ ଇଂଜିନିୟରିଂ, ଆଇ.ଟି, ହାର୍ଡ୍‌ଓୟାର, ଟେକ୍ସଟାଇଲ୍, ଏରୋସ୍ପେସ୍, ଟେଲିକମ୍, ଏଭିଏସନ୍, ସ୍ୱାସ୍ଥ୍ୟସେବା ଉପକରଣ, ପ୍ରତିରକ୍ଷା, ପରିବହନ ଏବଂ ଆନୁସଙ୍ଗିକ କ୍ଷେତ୍ରରେ ଆଗ୍ରହୀ ଉଦ୍ୟୋଗୀମାନଙ୍କୁ ଏହି ରୋଡ-ସୋକୁ ଆମନ୍ତ୍ରଣ କରାଯାଇଛି। ଏହି ରୋଡ-ସୋରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସେହିଭଳି ଅନ୍ୟ ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜନ ମାଧ୍ୟମରେ ବେଙ୍ଗାଲୁରୁଠାରେ ବିଜୁ ଜନ୍ମ ଶତବାର୍ଷିକୀ ଉତ୍ସବ ପାଳନ କରାଯିବ। ବେଙ୍ଗାଲୁରୁସ୍ଥିତ ଓଡ଼ିଆ ସଂଗଠନ, ସାଂସ୍କୃତିକ ଅନୁଷ୍ଠାନ ଏବଂ ସେଠାରେ ବସବାସ କରୁଥିବା ଓଡ଼ିଆମାନଙ୍କ ସହଯୋଗରେ ଏହି ଉତ୍ସବର ଆୟୋଜନ କରାଯିବ। ସେଠାରେ ଥିବା ପ୍ରବାସୀ ଓଡ଼ିଆ ସଂଗଠନଗୁଡ଼ିକର ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇ ଶତବାର୍ଷିକୀ ସମାରୋହ ପାଳନ କରାଯିବ।

Leave a Reply

Your email address will not be published. Required fields are marked *

*