ଭୁବନେଶ୍ୱର, ୧୯/୦୭/ ୨୦୧୬ (ଓଡ଼ିଶାଲାଇଭ୍‌ ବ୍ୟୁରୋ): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ବର୍ଷ ପାଳନ ମାର୍ଚ୍ଚ ୫ ତାରିଖରୁ ମହାସମାରୋହରେ ଆରମ୍ଭ କରାଯାଇଛି । ସ୍ମାରକୀ ଗଣଦୌଡ଼ର ଶୁଭାରମ୍ଭ ପୁରୀ ପିକେଡିଏ ଛକସ୍ଥିତ ମହାନ୍‍ କ୍ରାନ୍ତିକାରୀ ଚାଖି ଖୁଣ୍ଟିଆଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିବା ପରେ ସକାଳ ୭.୩୦ ମିନିଟ୍‍ରେ ଏକ ଜ୍ୟୋତି ବାହାରି ଗାନ୍ଧିଘାଟ ଠାରେ ପହଞ୍ଚିଥିଲା। ସକାଳ ୮ଟା ସମୟରେ ଗାନ୍ଧିଘାଟ ଠାରୁ ସ୍ମାରକୀ ଗଣଦୌଡ଼ ଆରମ୍ଭ ହୋଇଥିଲା। ସ୍ମାରକୀ ଗଣଦୌଡ଼ ଗାନ୍ଧିଘାଟ ଠାରେ ମହେଶ୍ୱର ମହାନ୍ତି ଓ ସ୍ମୃତିକମିଟି ଆବାହକ ବେଦପ୍ରକାଶ ଅଗରୱାଲା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଗଣଦୌଡ଼ରେ ସାମିଲ ହୋଇଥିବା ୧୫୦୦ରୁ ଊର୍ଦ୍ଧ୍ୱ ସମାଜର ବିଭିନ୍ନ ବର୍ଗର ଯୁବ ଓ ଛାତ୍ର କ୍ରାନ୍ତିକାରୀ ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ସ୍ଳୋଗାନ ଦେଇ ସୁଭାଷ ବୋଷ ଛକ ରାସ୍ତା ହୋଇ ମେଡିକାଲ୍‍ ଛକ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଥିଲା ।

ବିଜୁ ଜନ୍ମ ଶତବାର୍ଷିକୀ କମିଟିର ନିଷ୍ପତ୍ତି ଅନୁଯାୟୀ ‘ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ ସ୍ମାରକୀ ଗଣଦୌଡ଼’ ଜୁଲାଇ ୧୯ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୯ କ୍ରାନ୍ତିଦିବସ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମର ମହାନ କ୍ରାନ୍ତିକାରୀଙ୍କ ଜନ୍ମଭୂମି, କର୍ମଭୂମି ଓ ସହିଦ ପୀଠରେ ଆୟୋଜନ ହେବ ।

ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଶା ଗଠନରେ ବିଜୁବାବୁଙ୍କର ଉଲ୍ଲେଖନୀୟ ଯୋଗଦାନ ସଂପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ବିଜୁବାବୁ ଥିଲେ ଓଡ଼ିଆଙ୍କର ପ୍ରେରଣାର ଉତ୍ସ। ତାଙ୍କ ସାଧନା ଓ ସିଦ୍ଧି ସବୁବେଳେ ଓଡ଼ିଆମାନଙ୍କୁ ଆଗକୁ ଯିବାକୁ ପ୍ରେରଣା ଦେଉଥିବ । ଏହି ସ୍ମୃତିକୁ ଆଧାର କରି ତାଙ୍କର ଜୀବନାଦର୍ଶରେ ଅନୁପ୍ରାଣିତ ହୋଇ ଓଡ଼ିଶାର ସର୍ବାଙ୍ଗୀନ ବିକାଶରେ ନିଜକୁ ଉତ୍ସର୍ଗ କରିବା ପାଇଁ ସମସ୍ତେ ଆଗଭର ହେବା ଉଚିତ୍‍ । ବିଜୁ ଜନ୍ମ ଶତବାର୍ଷିକୀ ବର୍ଷରେ ଏହା ହିଁ ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ପୂର୍ବତନ ମନ୍ତ୍ରୀ ତଥା ନବକଳେବର ଅଧ୍ୟକ୍ଷ ମହେଶ୍ୱର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଜୁ ଜନ୍ମ ଶତବାର୍ଷିକୀ କମିଟିର ଆବାହକ ଶ୍ରୀ ବେଦପ୍ରକାଶ ଅଗରୱାଲା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ସଂଜୟ କୁମାର ଦାସବର୍ମା, ପୁରୀ ଯୋଜନା ବୋର୍ଡ ଅଧ୍ୟକ୍ଷ ସମୀର ରଞ୍ଜନ ଦାସ, ବିଧାୟକ ସୁରେନ୍ଦ୍ର ସେଠୀ ପ୍ରମୁଖ ଯୋଗଦେଇଥିଲେ ।

ଗଣଦୌଡ଼ରେ ସାମିଲ ହୋଇଥିବା କୃତୀ ପ୍ରତିଯୋଗୀ ଓ ଯୁବକ ସଂଘମାନଙ୍କୁ ସାର୍ଟିଫିକେଟ୍‍ ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ଗଣଦୌଡ଼ କାର୍ଯ୍ୟକ୍ରମକୁ ପୁରୀ ନଗରପାଳ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲ୍ଳା ପରିଷଦ ଅଧ୍ୟକ୍ଷ ଦିବାକର ପାତ୍ର, ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆରସିଂ ଆଦି, ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *

*