ଭୁବନେଶ୍ୱର, ୧୮/୦୭/ ୨୦୧୬ (ଓଡ଼ିଶାଲାଇଭ୍‌ ବ୍ୟୁରୋ): ଶେଷ ହୋଇଛି ଚଳିତବର୍ଷର ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ଚତୁର୍ଦ୍ଧାମୂର୍ତ୍ତି ହୋଇଛନ୍ତି ନୀଳାଦ୍ରି ବିଜେ। ଏବେ ଭକ୍ତଙ୍କୁ ମହାପ୍ରଭୁ ଦେଖାଦେବେ ରତ୍ନସିଂହାସନରେ ଓ ଏଣିକି ଶ୍ରୀମନ୍ଦିରର ଆନନ୍ଦବଜାରରେ ଅବଡ଼ା ମିଳିବ। ଗତ ଦୁଇ ଦିନ ହେବ ରଥରେ ଲାଗି ରହିଥିଲା ସୁନାବେଶ ଏବଂ ଅଧଣପଣାର ପାରମ୍ପାରିକ ରୀତିନୀତି।

ଗତକାଲି ରଥ ଉପରେ ଦଇତାପତିମାନେ ଶ୍ରୀଜିଉଙ୍କ ସନ୍ଧ୍ୟା ଆଳତି ଓ ମଧ୍ୟାହ୍ନ ଧୂପ ପରେ ଚାରମାଳ ଭିଡ଼ାଯାଇଥିଲା ଏବଂ ଆରମ୍ଭ ହୋଇଥିଲା ପହଣ୍ଡି ଯାତ୍ରା। ପ୍ରଥମେ ସୁଦର୍ଶନ, ପରେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ଶ୍ରୀଜଗନ୍ନାଥଙ୍କୁ ଗୋଟି ପହଣ୍ଡି କରାଯାଇ ଶ୍ରଦ୍ଧାଳୁ ଭକ୍ତଙ୍କ ମେଳରେ ରତ୍ନସିଂହାସନକୁ ବିଜେ କରାଯାଇଥିଲା।

ପାରମ୍ପରିକ ରୀତିନୀତି ଅନୁଯାୟୀ ନୀଳାଦ୍ରି ବିଜେ ସମୟରେ ଶ୍ରୀଜଗନ୍ନାଥ ଓ ମା’ ଲକ୍ଷ୍ମୀଙ୍କ ମଧ୍ୟରେ କଳି ହୋଇଥାଏ, ତେଣୁ ଶ୍ରୀଜଗନ୍ନାଥ ରସଗୋଲା ମିଠା ଖୁଆଇ ମା’ ଲକ୍ଷ୍ମୀଙ୍କର ମାନଭଞ୍ଜନ କରିଥାନ୍ତି। ତେଣୁ ଏହି ନୀତିକୁ ଦେଖିବା ପାଇଁ ଭକ୍ତଙ୍କ ମଧ୍ୟରେ ଏକ ଉତ୍କଣ୍ଠା ଦେଖାଯାଇଥିଲା। ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ଡକ୍ଟର ଅରୁଣ ସାହୁ, ବିଧାୟକ ମହେଶ୍ୱର ମହାନ୍ତି ମଧ୍ୟ ଏହି ନୀତିକୁ ଦେଖିବା ପାଇଁ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

*