ଭୁବନେଶ୍ୱର, ଜୁଲାଇ ୨୯, ୨୦୧୬ (ଓଡ଼ିଶାଲାଇଭ ବ୍ୟୁରୋ): ଓଡ଼ିଶାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ବିମାନ ସଂଯୋଗୀକରଣ କରିବା ନିମନ୍ତେ  ଯଥାର୍ଥ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଦିଲ୍ଲୀରେ ଆୟୋଜିତ ଆଞ୍ଚଳିକ ବିମାନ ଚଳାଚଳକୁ ନେଇ ଜାତୀୟ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏହି ଅବସରରେ ଶ୍ରୀ ପଣ୍ଡା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ଏ. ଗଜପତି ରାଜୁ ଓ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଜୟନ୍ତ ସିହ୍ନାଙ୍କ ନିକଟରେ ଓଡ଼ିଶାକୁ ବିମାନ ଚଳାଚଳ ଦିଗରେ କେନ୍ଦ୍ର ସରକାରଙ୍କ ଆଗ୍ରହ ଓ କାର୍ଯ୍ୟ ପ୍ରଣାଳୀ ନେଇ ବିସ୍ତୃତ ଆଲୋଚନା କରିଛନ୍ତି।ashook panda

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ଆୟୋଜିତ ଆଞ୍ଚଳିକ ବିମାନ ସଂଯୋଗୀକରଣ ସଂପର୍କିତ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଯେ ଜାତୀୟ ବେସାମରିକ ବିମାନ ଚଳାଚଳ ନୀତିରେ ବିଭିନ୍ନ ଅଞ୍ଚଳକୁ ସଂଯୋଗୀକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ସେଥିପାଇଁ ଓଡ଼ିଶା ସରକାର ଭୁବନେଶ୍ୱରରୁ ଜୟପୁର, ସମ୍ବଲପୁର ଓ ରାଉରକେଲାକୁ ନିଜ ପାଂଠିରୁ ସବ୍‌ସିଡ଼ ପ୍ରଦାନ କରି ବିମାନ ଚଳାଚଳ ନିମନ୍ତେ ଉଦ୍ୟମ କରିଥିଲେ। ମାତ୍ର ଅପରେଟରମାନଙ୍କ କୁପରିଚାଳନା ହେତୁ ତାହା ସଫଳ ହେଲା ନାହିଁ।

ଆଲୋଚନା ବେଳେ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ରାଜ୍ୟ ସରକାର ଝାରସୁଗୁଡାର ଉନ୍ନତିକରଣ ନିମନ୍ତେ ମାଗଣା ଜମି ସହିତ ପ୍ରାୟ ୭୫ କୋଟି ଟଙ୍କା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ତାହା କାର୍ଯ୍ୟକ୍ଷମ ହେଲେ ଓଡ଼ିଶାରେ ଆଞ୍ଚଳିକ ବିମାନ ପରିବହନ ବ୍ୟବସ୍ଥାକୁ ବୃଦ୍ଧି କରାଯାଇପାରିବ। ଏହା ବ୍ୟତୀତ ଭୁବନେଶ୍ୱର ବିମାନବନ୍ଦରକୁ ସଂଯୋଗ କରି ଭୁବନେଶ୍ୱର-ବ୍ରହ୍ମପୁର-ବିଶାଖାପାଟଣା, ଭୁବନେଶ୍ୱର-ଉତ୍କେଲା-ରାୟପୁର, ଭୁବନେଶ୍ୱର-ରାଉରକେଲା-ରାଞ୍ଚି, ଭୁବନେଶ୍ୱର-କେଉଁଝର-କୋଲକାତାକୁ ଆନ୍ତଃରାଜ୍ୟ ସଂଯୋଗୀକରଣ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ମନ୍ତ୍ରୀ ଶ୍ରୀ ପଣ୍ଡା ଦାବି କରିଛନ୍ତି।

ରାଜ୍ୟର ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଅଞ୍ଚଳକୁ ବିମାନ ଯୋଗାଯୋଗ ଆରମ୍ଭ ହେଲେ ବିଶାଳ ଅର୍ଥନୈତିକ ସୁବିଧା ମିଳିବ। ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ବ୍ୟତୀତ ରାଜ୍ୟରେ ୨୦ଟି ବିମାନ ଅବତରଣ କେନ୍ଦ୍ର ରହିଛି। କିନ୍ତୁ ଆଞ୍ଚଳିକ ବିମାନଯାତ୍ରା ବ୍ୟବସ୍ଥା ଓଡ଼ିଶାରେ ସଂପୂର୍ଣ୍ଣ ଅବହେଳିତ ଅବସ୍ଥାରେ ରହିଛି। ଆଞ୍ଚଳିକ ସ୍ତରରେ ଭୁବନେଶ୍ୱର-ବ୍ରହ୍ମପୁର-ଜୟପୁର, ଭୁବନେଶ୍ୱର-ଉତ୍କେଲା-ଜୟପୁର, ଭୁବନେଶ୍ୱର-ସମ୍ବଲପୁର-ରାଉରକେଲା ଏବଂ ଭୁବନେଶ୍ୱର-ଅନୁଗୁଳ-ରାଉରକେଲାକୁ ନିୟମିତ ବିମାନ ଚଳାଚଳର ଆବଶ୍ୟକତା ରହିଥିବାରୁ ଏହି ସ୍ଥାନଗୁଡିକୁ ଆଞ୍ଚଳିକ ବିମାନପଥ ଭାବରେ ଘୋଷଣା କରାଯାଉ।

ଏହି ସମ୍ମିଳନୀରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ସଚିବ ଶ୍ରୀ ଚୁବେଙ୍କ ବିଭିନ୍ନ ରାଜ୍ୟର ବିଭାଗୀୟ ମନ୍ତ୍ରୀ, ସଚିବ, ବିମାନ ଚଳାଚଳ ସହ ସଂପୃକ୍ତ ବିଭିନ୍ନ ଏଜେନ୍ସି କର୍ତ୍ତୃପକ୍ଷ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

*