ତମ ଟିଆର୍ପି କେତେ?

ନୀଳାମ୍ବର ରଥ

TRP Image“ତମ ଟିଆର୍‌ପି କେତେ?” ସାମାଜିକ ଚଳଣିରେ ଦିନେ କୁହାଯାଉଥିଲା ଯେ ଜଣେ ଝିଅକୁ ତା’ର ବୟସ ଓ ଜଣେ ପୁଅକୁ ତା’ର ରୋଜଗାର ବିଷୟରେ ପଚାରିବା କଥା ନୁହେଁ। ସେମିତି ଆଜି ଟିଭି ଚ୍ୟାନେଲବାଲାଙ୍କୁ ଟିଆର୍‌ପି, ଅର୍ଥାତ୍ ପ୍ରତିଯୋଗିତାମୂଳକ ବଜାରରେ ସେମାନଙ୍କ ସ୍ଥିତି କଥା ପଚାରିଲେ, ଅନେକ ଏ ପ୍ରକାର ଉତ୍ତର ଦେଇପାରନ୍ତି।

ଟେଲିଭିଜନ ରେଟିଂ ପଏଂଟ୍ ବା ଟିଆର୍‌ପି ଏକ ସାପ୍ତାହିକ ମାନଦଂଡ ବା ଫଳାଫଳ ଯାହା ସାଧାରଣତଃ ଦର୍ଶାଏ ଯେ କେଉଁ ଟିଭି ଚ୍ୟାନେଲ୍ ଦର୍ଶକମାନଙ୍କ ମଧ୍ୟରେ କେତେ ଗ୍ରହଣୀୟ ବା ଲୋକପ୍ରିୟ। ଆମ ଦେଶରେ ଟାମ୍ ମିଡିଆ (TAM) ଦୀର୍ଘ ଦିନରୁ ଏହି ମାର୍କେଟ୍ ରିସର୍ଚ୍ଚ କାମ କରିଆସୁଛି। ଏବେ ଏବେ ମିଡିଆ ବଜାରରେ ପ୍ରବେଶ କରୁଛି ଆଉ ଏକ ସଂସ୍ଥା- ବାର୍କ (BARC) ।

ଖବରକାଗଜ ବା ପତ୍ରପତ୍ରିକା ଲାଗି ରହିଛି ABC (ଅଡିଟ୍ ବ୍ୟୁରୋ ଅଫ୍ ସର୍କୁଲେସନ) ଓ IRS (ଇଣ୍ଡିଆନ୍‌ ରିଡରସିପ୍‌ ସର୍ଭେ)। ଏହା ସର୍ବଭାରତୀୟ ମାନଦଣ୍ଡ। ABC କୌଣସି ପ୍ରିଣ୍ଟ୍ ମଡିଆର ପ୍ରସାରଣ ସଂଖ୍ୟା ଉପରେ ରିପୋର୍ଟ ଦେଉଥିବା ବେଳେ IRS ତା’ର ପାଠକ ସଂଖ୍ୟା ଉପରେ ରିପୋର୍ଟ ପ୍ରଦାନ କରିଥାଏ। ପ୍ରତିଯୋଗିତାମୂଳକ ବଜାରରେ କୌଣସି ଖବରକାଗଜର କାଟ୍‌ତି ଓ ବ୍ୟାବସାୟିକ ସଫଳତା, ମୂଳତଃ ବିଜ୍ଞାପନ ବଜାରରେ ତା’ର ଦମ୍ ଏହି ସଂଖ୍ୟା ବା ମାପକ ଉପରେ ନିର୍ଭର କରେ। ଟିଭି ଜଗତରେ ଠିକ୍ ସେହି ଭୂମିକା ଗ୍ରହଣ କରିଥାଏ ଟିଆର୍‌ପି।

ଓଡ଼ିଆ ଟିଭି ମାର୍କେଟ୍‌କୁ ଦେଖିବା। ଏଠି ପ୍ରାୟ ୩୦ ଲକ୍ଷରୁ ଅଧିକ କେବଲ୍ ଓ ସାଟେଲାଇଟ୍ ଟିଭି ଗ୍ରାହକ (C & S Household) ରହିଛନ୍ତି। କିନ୍ତୁ ସେହି ତୁଳନାରେ TAM ସାମ୍ପଲ୍ ସଂଖ୍ୟା ଖୁବ୍ କମ୍ – ୩୦୦ରୁ ବି କମ୍। ଅର୍ଥାତ୍ ୩୦୦ ଲୋକଙ୍କ ଘରେ ଲାଗିଥିବା TAM ପିପୁଲ୍‌ସ ମିଟର ମାଧ୍ୟମରେ ପ୍ରତି ସପ୍ତାହରେ ଯେଉଁ ଡାଟା ଆସୁଛି, ତାହା ବେଦର ଗାର। ହଁ ଆଜ୍ଞା, ବେଦର ଗାର!

ପ୍ରିଣ୍ଟ ମିଡିଆରେ ପ୍ରସାରଣ ଓ ପାଠକ ସଂଖ୍ୟାକୁ ନେଇ ଥିବା ରେଟିଂ ବା ପରିସଂଖ୍ୟାନ ଅପେକ୍ଷାକୃତ ଲମ୍ବା ଅବଧିରେ ଆସୁଥିବା ବେଳେ, ଟିଭିରେ ଟିଆର୍‌ପି ପ୍ରତି ସପ୍ତାହରେ ଆସେ। ତେଣୁ ପ୍ରତି ସପ୍ତାହରେ ଟିଭି ବଜାରରେ ଉଠାପକା ବା ପାଲା ଚାଲିଥାଏ। ଆଜି ଓଡ଼ିଶାର ଟିଭି ବଜାରରେ ଏତେ ତୀବ୍ର ପ୍ରତିଯୋଗିତା ଯେ, କାହା ଟିଆର୍‌ପି ପ୍ରତିଦ୍ୱନ୍ଦ୍ୱୀ ଚ୍ୟାନେଲରୁ ଗୋଟିଏ ସପ୍ତାହରେ ଏକ କି ଦୁଇ ଅଧିକ ରହିଲେ, ସେ ଢ଼ୋଲ ବଜେଇ ବଜାରକୁ ଜଣାଇବାକୁ ବାହାରିପଡ଼ୁଛି। ଖବରକାଗଜ ବିଜ୍ଞାପନ, ଆଉଟ୍‌ଡୋର୍‌ ହୋଡିଂ, ସୋସିଆଲ୍ ମିଡିଆ ଏବଂ ପ୍ରଚାରମୁଖୀ ଇ-ମେଲ୍ ମାଧ୍ୟମରେ ଏ ସୂଚନା ହୁଏତ ଆପଣମାନେ ଅନେକେ ପାଉଥିବେ।

ଟିଆରପି ଏକ ଆପେକ୍ଷିକ ମାନଦଣ୍ଡ। ଏଇଥିପାଇଁ ମୁଁ ତା’କୁ ଆପେକ୍ଷିକ କହୁଛି, ଯେ ଆମ ରାଜ୍ୟରେ ୩୦ ଲକ୍ଷରୁ ଅଧିକ ଘରେ କେବଲ୍ ମାଧ୍ୟମରେ ସାଟେଲାଇଟ୍ ଟେଲିଭିଜନ ସଂଯୋଗ ଥିବା ବେଳେ ଆମେ ମାତ୍ର ୩ ଶହରୁ କମ୍ ଘରୁ ତଥ୍ୟ ପାଉଛୁ। ଏବେ ପୁଣି ଅଭିଯୋଗ ହେଲାଣି ଯେ, ଟିଆର୍‌ପି କିଣାଯାଉଛି। କିଏ ବିକୁଛି? କିଏ କିଣୁଛି? ପର୍ବତ ଖୋଳି କିଏ କାହିଁକି ମୂଷା ମାରିବାକୁ ବାହାରିବ? ଖବରକାଗଜରେ ଏବିସି ବା ଆଇଆର୍‌ଏସ୍ ତଥ୍ୟକୁ ନେଇ ବିତର୍କ ହେଲା ପରି ଟିଭି ଜଗତରେ ଟିଆରପି ଗଣିତକୁ ନେଇ ସବୁବେଳେ ଏଭଳି ଟଣାଓଟରା ଚାଲିଛି।

କେମିତି ମପାଯାଏ ଟିଆର୍‌ପି? ଧରନ୍ତୁ ଆପଣଂକ ଘରେ TAM media ସଂସ୍ଥା ଗୋଟିଏ ପିପୁଲସ୍‌ ମିଟର ବସାଇଛି। ଏହି ମିଟରକୁ ଆପଣଙ୍କ ଟିଭି ସହିତ ଯୋଡ଼ା ଯାଇଛି। ତେଣୁ ଆପଣ ଯେତେବେଳେ ଟିଭି ଅନ୍ କରୁଛନ୍ତି ଓ ଯେଉଁ ଚ୍ୟାନେଲ୍‌ ଯେତିକି ସମୟ ଦେଖୁଛନ୍ତି, ତାହା ଏଇ ମିଟର ମାଧ୍ୟମରେ ରେକର୍ଡ ହେଉଛି। ବିଭିନ୍ନ ମିଟରରୁ ପ୍ରତି ସପ୍ତାହରେ ଡାଟା ସଂଗ୍ରହ କରି ମିଡିଆ ସର୍ବେକ୍ଷଣ ସଂଖ୍ୟା ଏକ ନିର୍ଦ୍ଦିଷ୍ଟ ଢାଂଚାରେ ତା’ର ସେବା (ସବ୍‌ସ୍କ୍ରାଇବର) ନେଇଥିବା ଚ୍ୟାନେଲ୍ ବା ସଂସ୍ଥାଗୁଡିକୁ ତାହା ଯୋଗାଇ ଦେଉଛି।

ଟିଆର୍‌ପି ବଢ଼ିବା ବା କମିବା ନେଇ ମୁଖ୍ୟତଃ ତିନି ଚାରିଟି କଥା ରହିଛି। ପ୍ରଥମ କଥା ହେଉଛି କେତେ ସଂଖ୍ୟାରେ ଦର୍ଶକ ଗୋଟିଏ ନିର୍ଦ୍ଦିଷ୍ଟ ଚ୍ୟାନେଲ ଦେଖୁଛନ୍ତି। ସେହିପରି ଅନ୍ୟ ମୁଖ୍ୟ କଥାଟି ହେଲା କେତେ ସମୟ ଧରି ଦର୍ଶକମାନେ ଗୋଟିଏ ନିର୍ଦ୍ଦିଷ୍ଟ ଚ୍ୟାନେଲ୍‌ର କାର୍ଯ୍ୟକ୍ରମ ଦେଖୁଛି। ପ୍ରଥମଟି ରିଚ୍ ବା ପହଂଚ ବୋଲି କହିବା। ଦ୍ୱିତୀୟଟି ହେଉଛି ଅଡିଆନ୍ସ ଏନ୍‌ଗେଜ୍‌ମେଣ୍ଟ। ଗୋଟିଏ ଚ୍ୟାନେଲ୍‌ର ଦର୍ଶକୀୟତା ବଢ଼ାଇବାରେ କେବଲ୍‌ କନେକ୍ଟିଭିଟି ବା ସଂଯୋଗ ସହିତ ଏହାର କାର୍ଯ୍ୟକ୍ରମର ମାନ ଓ ଆକର୍ଷଣ ପ୍ରମୁଖ କାରଣ ବୋଲି କୁହାଯାଇପାରେ।

ଓଡ଼ିଶାର ଟିଭି ଚ୍ୟାନେଲ୍‌ଗୁଡିକୁ ଆମେ ସାଧାରଣତଃ ୩ଟି ବର୍ଗରେ ଭାଂଗିପାରିବା। ଏଂଟରଟେନମେଂଟ୍ (ସାର୍ଥକ, ତରଙ୍ଗ, କଲର୍ସ ଓଡ଼ିଆ ଇତ୍ୟାଦି); ଇନ୍‌ଫୋଟେନ୍‌ମେଂଟ୍ (ଏମ୍‌ବିସି ଟିଭି) ଏବଂ ନ୍ୟୁଜ୍ ଏଣ୍ଡ୍ କରେଂଟ୍ ଆଫେୟାର୍ସ (ଓଟିଭି, କନକ ନ୍ୟୁଜ୍, ଜି କଳିଙ୍ଗ, କଳିଙ୍ଗ ଟିଭି, ନ୍ୟୁଜ୍‍ ୱାର୍ଲ୍ଡ ଓଡ଼ିଶା, ଇଟିଭି ନ୍ୟୁଜ୍ ଇତ୍ୟାଦି)। ଭଲ ଷ୍ଟାରକାଷ୍ଟର ମେଗା ସିରିଏଲ୍, ଆକର୍ଷଣୀୟ ରିଅଲିଟି ସୋ, ଇଭେଂଟ୍ସ , ସିନେମା ଓ ଅନ୍ୟ ମନୋରଂଜନଧର୍ମୀ କାର୍ଯ୍ୟକ୍ରମ ଆଜି ଗୋଟିଏ ଜିଇସି ବା ଜେନେରାଲ୍ ଏଂଟରଟେନ୍‌ମେଂଟ୍ ଚ୍ୟାନେଲର ସଫଳତାର ମୂଳ ମାପକାଠି ହୋଇଛି। ତା’ ସହିତ ଯାତ୍ରା ଭଳି ଦେଶୀ ଓ ର-ଏଂଟରଟେନମେଂଟ୍ ସାର୍ଥକ ଟିଭି ଓ ଏମ୍‌ବିସି ଟିଭି ଭଳି ଚ୍ୟାନେଲ୍‌କୁ ବେଶ୍ ଟିଆର୍‌ପି ଦେଉଛି। ଦିନେ କୁହାଯାଇଥିଲା- ଯୋ ଦିଖ୍‌ତା ହୈ, ୱ ବିକ୍‌ତା ହୈ। ଆଜି ଟିଭି ପାଇଁ ହୁଏତ ସ୍ଲୋଗାନ୍ ହୋଇଯାଇଛି- ଯୋ ବିକ୍‌ତା ହୈ, ୱ ଦିଖ୍‌ତା ହୈ।

ଟେଲିଭିଜନ ନ୍ୟୁଜ୍ ଚ୍ୟାନେଲମାନେ ଆଜି ଦିଗହରା! ସାମୁଦ୍ରିକ ଝଡ଼ରେ ନାବିକ ଅବସ୍ଥା ଭଳି ଟିଭି ଚ୍ୟାନେଲ୍ ସଂପାଦକଙ୍କ ସ୍ଥିତି। ଅନେକ ମାଲିକ ବା ପ୍ରମୋଟରକୁ ଢେର୍‌ ଟିଆର୍‌ପି ଓ ଟଙ୍କା (ବିଜ୍ଞାପନ କି ଯୋଉ ବାଟରୁ ଆସୁଛି ଆସୁ!) ଦରକାର। ତା’ ମଧ୍ୟ ଚ୍ୟାନେଲ୍‌ ଆରମ୍ଭ କରିବାର ୬ ମାସ କି ବର୍ଷେ ଭିତରେ ଗଳଗଳ ହୋଇ ଗଳିବା ଦରକାର। ତେଣୁ ଏହି ଅବସ୍ଥା ଭିତରୁ ଯାହା ବାହାରୁଛି ତାହା ଖେଚେଡ଼ି ବୋଲି କହିବା ହୁଏତ ଭୁଲ୍‌ ହେବନାହିଁ। ଏହି ମିଡିଆ ମାର୍‌ପିଟ୍ ଭିତରେ ଗଣମାଧ୍ୟମର ମୂଳ ଆଦର୍ଶର ପରଦା କ୍ରମେ ପତଳା ହୋଇଯାଉଛି ଓ କୁଆ ଉଡିଗଲେ ଛୁଆ ଉଡିଗଲା ନ୍ୟାୟରେ ଅଧିକାଂଶ ଟିଭି ଚ୍ୟାନେଲ୍‌ ଆଜି ଗ୍ଳେମର, ସେକ୍ସ, କ୍ରାଇମ୍ ଓ ସେନ୍‌ସେନାଲ୍ ମାଲ୍ ପଛରେ ଧାଉଁଛନ୍ତି। ଯିଏ ସେ ରାସ୍ତାରେ ନ ଗଲା, ସେ ମଲା ଜାଣ! କାରଣ ଟିଆର୍‌ପି ତମକୁ ଖାଇବ ଯେ!

ରାଜ୍ୟରେ କିଛି ମାସ ତଳେ ବାବା ପାଲା ଚାଲିଥିଲା। ସାରଥୀ ବାବାଙ୍କ ଯୌନ କେଳେଙ୍କାରୀ କଥାକୁ ନେଇ କେତୋଟି ଚ୍ୟାନେଲ୍ ଏକପ୍ରକାର ମିଡିଆ ଆକ୍ଟିଭିଜମ୍‌କୁ ଓହ୍ଲାଇଗଲେ। ଟିଭି ପରଦାରେ ଗଳାଫଟା ଚିତ୍କାର ଓ ହାତାହାତି ଚାଲିଲା। ଅନ୍ୟ କେତୋଟି ଚ୍ୟାନେଲ୍‌ ପ୍ରାଥମିକ ଅବସ୍ଥାରେ ମିଳିଥିବା ତଥ୍ୟ ଯଥେଷ୍ଟ ନୁହେଁ ଭାବି ବିବେକାନୁମୋଦିତ କାର୍ଯ୍ୟକରି ସତରେ ପଛରେ ପଡ଼ିଗଲେ କି କ’ଣ! ଯେଉଁମାନେ ମିଡିଆ ଦାଦାଗିରି କଲେ ତାଙ୍କ ଟିଆର୍‌ପି ମିଟର ମସ୍ତ ଉଠିଗଲା। ଯେଉଁମାନେ ଗଣମାଧ୍ୟମର ଆଦର୍ଶର ପରିଧି ଭିତରେ ରହିଲେ, ସେମାନେ ପଛରେ ପଡ଼ିଗଲେ କି ବୋଲି ସମସ୍ତେ କହିବୁଲିଲେ।

ଅବଶ୍ୟ, ବାବା ବାଦୀପାଲାକୁ ନେଇ ଉଠିଥିବା ଟିଆର୍‌ପି ରକେଟ୍ ସପ୍ତାହରେ ଦି’ଟାରେ ଫୁସ୍‌କିଗଲା। ତା’ପରେ ଯୋଉ ମାଧିଆକୁ ସେଇ ମାଧିଆ! ସଂକ୍ଷେପରେ କହିଲେ, ଆଜି ଓଡ଼ିଶାର ଟିଭି ମାର୍କେଟ୍‌ରେ ବିଭିନ୍ନ କାରଣରୁ ମନୋରଂଜନ ଚ୍ୟାନେଲମାନେ ଅଧିକ ଲୋକପ୍ରିୟ ଥିବା ବେଳେ ଅଧିକାଂଶ ନ୍ୟୁଜ୍ ଚ୍ୟାନେଲ ନିଜର ଅସ୍ତିତ୍ୱ ପାଇଁ ସଂଘର୍ଷ କରୁଛନ୍ତି। ‘ଅଭାବେ ସ୍ୱଭାବ ନାସ୍ତି’ ପରି, ଦିନେ ଓଡ଼ିଶାର ବିଶ୍ୱସନୀୟ ଚ୍ୟାନେଲ ଭାବେ ପରିଚିତ ଥିବା ଇଟିଭି ନ୍ୟୁଜ୍ ଆଜି ଟିଆରପି ଚକ୍‌କରେ ନଂଗଳାମୁକୁଳା ଷ୍ଟୋରି ପଛରେ ଦୌଡୁଥିବାର ଜଳଜଳ ଦିଶୁଛି। ସୁର୍ପଣଖା ସୁଂଦରୀ ଦିଶିଲା ପରି ଅବସ୍ଥା!

ଦିନେ ଓଡ଼ିଶାରେ ଇଟିଭି ଓଡ଼ିଆ ୪୫୦ରୁ ଅଧିକ ଜିଆର୍‌ପି (ଗୋଟିଏ ସପ୍ତାହର ମୋଟ ଟିଆର୍‌ପି) ଆଣି ସର୍ବାଧିକ ଲୋକପ୍ରିୟ ଚ୍ୟାନେଲ୍ ଭାବେ ପରିଚିତ ଥିଲା। ଆଜି ତାହା ‘କଲର୍ସ ଓଡ଼ିଆ’ ନାଁରେ ପରିଚିତ ଓ ତା’ର ବର୍ତ୍ତମାନର ଜିଆର୍‌ପି ୫୦- ୬୦ ଭିତରେ ସୀମିତ ରହିଛି। ଦିନେ ଇଟିଭିକୁ ପଛରେ ପକାଇ ତରଂଗ ସର୍ବାଧିକ ଲୋକପ୍ରିୟ ଚ୍ୟାନେଲ୍ ହୋଇପାରିଥିଲା। ଆଜି ତରଂଗ ଦ୍ୱିତୀୟ ସ୍ଥାନରେ। ଏକ ନମ୍ବର ସ୍ଥାନରେ ଏବେ ପହଞ୍ଚିଛି ସାର୍ଥକ ଟିଭି।

ଚଳିତ ବର୍ଷ ନଭେମ୍ବର ଶେଷ ସପ୍ତାହର ଟିଆରପି ରେଟିଂ ଅନୁଯାୟୀ ’୧୫ ପ୍ଲସ୍ ଅଲ୍‌ ସେକ୍‌ସନ୍’ ବର୍ଗରେ ଜିଆରପି ଥିଲା ଏହିପରି: ସାର୍ଥକ (୫୩୬), ତରଂଗ (୩୩୫), ଏମ୍‌ବିସି (୨୧୮), କଲର୍ସ ଓଡ଼ିଆ (୫୮), ପ୍ରାର୍ଥନା (୧୦୯), ତରଂଗ ମୁଜିକ୍ (୨୫), ଅଳଙ୍କାର (୨୮), ଓଟିଭି (୧୫୨), କଳିଂଗ ଟିଭି (୫୦), କନକ ନ୍ୟୁଜ୍ (୩୨), ଜୀ କଳିଂଗ (୩୧), ଇଟିଭି ନ୍ୟୁଜ୍ ଓଡ଼ିଆ (୧୯), ନକ୍ଷତ୍ର ନ୍ୟୁଜ୍ (୧)। (ଅନ୍ୟମାନଙ୍କ ମଧ୍ୟରେ ନ୍ୟୁଜ୍- ୭, ନ୍ୟୁଜ୍‍ ୱାର୍ଲ୍ଡ ଓଡ଼ିଶା TAM ତାଲିକାରେ ନଥିବାରୁ ତା’ର ତଥ୍ୟ ମିଳିପାରିନାହିଁ।)

ଅନ୍ୟପକ୍ଷରେ ବାର୍କ ମିଡିଆର ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ନଭେମ୍ବର ମାସରେ ବିଭିନ୍ନ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ୍‌ର ହାରାହାରି ରେଟିଂ (ବାର୍କରେ ପଞ୍ଜୀକୃତ) ଥିଲା ଓଟିଭି- ୧୦୮, ଜୀ କଳିଙ୍ଗ- ୨୧, କନକ ନ୍ୟୁଜ୍- ୨୦, ପ୍ରମେୟ ନ୍ୟୁଜ୍ ୭- ୧୮ ଏବଂ ନ୍ୟୁଜ୍ ୱାର୍ଲଡ ଓଡ଼ିଶା (ପୂର୍ବରୁ ଫୋକସ୍ ନାମରେ ପରିଚିତ)- ୭। (ରାଜ୍ୟର ଅନ୍ୟ ପ୍ରମୁଖ ନ୍ୟୁଜ୍ ଚ୍ୟାନେଲ୍‌ଗୁଡିକ ବାର୍କରେ ପଞ୍ଜୀକୃତ ହୋଇନଥିବାରୁ ସେମାନଙ୍କର ରେଟିଂ ମିଳିପାରି ନାହିଁ।)

ଗଣମାଧ୍ୟମ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ଅଂଗ। ତେଣୁ କେତେବେଳେ କ’ଣ ମୁଦ୍ରଣ ବା ପ୍ରସାରଣ କରାଯିବ ଓ ପାଠକ ବା ଦର୍ଶକ ଉପରେ ତା’ର କ’ଣ ପ୍ରଭାବ ରହିବ ସେ ନେଇ ଗଣମାଧ୍ୟମ କର୍ତ୍ତୃପକ୍ଷ ବା ସଂପୃକ୍ତ ବ୍ୟକ୍ତିଙ୍କର ଗୁରୁଦାୟିତ୍ୱ ରହିଛି। ତେଣୁ ସେହି ଦାୟିତ୍ୱକୁ ଭୁଲି ଖାଲି ଟିଆର୍‌ପି ପଛରେ ପଡ଼ିଲେ ଆଗକୁ ଅବସ୍ଥା କ’ଣ ହେବ, ତା’ ଜନଜଗତ ଜାଣିବେ!

(ଲେଖକ ୨୦୦୧ ମସିହାରୁ ଟେଲିଭିଜନ ମାଧ୍ୟମ ସହିତ ଜଡ଼ିତ ଓ ଦୀର୍ଘ ବର୍ଷ ଧରି ଈଟିଭି ଓଡ଼ିଆ ନ୍ୟୁଜ୍‌ର ସଂପାଦକ ଭାବେ କାମ କରିଛନ୍ତି। ଟେଲିଭିଜନ୍ ଦୁନିଆକୁ ଆସିବା ଆଗରୁ ଲେଖକ ସମ୍ବାଦପତ୍ର ଓ ରେଡ଼ିଓରେ ଦୀର୍ଘ ବର୍ଷ ଧରି ବିଭିନ୍ନ ପଦପଦବୀରେ କାମ କରିଛନ୍ତି। ସେ ‘ଓଡ଼ିଶା ଲାଇଭ୍’ ନାମକ ଓଡ଼ିଶାର ପ୍ରଥମ ୱେବ୍ ଚ୍ୟାନେଲ୍‌ର ପ୍ରତିଷ୍ଠାତା-ସଂପାଦକ ଓ ବର୍ତ୍ତମାନ ଏହାର ଏଡିଟୋରିଆଲ୍ ଡାଇରେକ୍ଟର ଭାବେ କାମ କରୁଛନ୍ତି। ଲେଖକ ମଧ୍ୟ ଜଣେ ଲୋକପ୍ରିୟ ଗଣମାଧ୍ୟମ ମୁକ୍ତବୃତ୍ତ ଅଧ୍ୟାପକ।)

ଯୋଗାଯୋଗ: ୯୪୩୭୦୬୯୫୦୪/rath.nilambar@gmail.com

Category:

Education, News, Television

Leave a Reply

Your email address will not be published. Required fields are marked *

*