ମୁମ୍ବାଇ, ତା.୯।୪। ୦୧୭ (ଓଡ଼ିଶାଲାଇଭ୍‍ ବ୍ୟୁରୋ) : ଓଡ଼ିଶୀ ଗବେଷଣା କେନ୍ଦ୍ର, ଭୁବନେଶ୍ୱର ଏବଂ ଅନ୍ଧେରୀ ୱେଷ୍ଟ, ଭବନ୍ସ କଲ୍ଚରାଲ୍ ସେଣ୍ଟରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି ‘ଓଡ଼ିଶୀ ସଙ୍ଗୀତ ସନ୍ଧ୍ୟା’ । ଭାରତୀୟ ବିଦ୍ୟା ଭବନ ଭୁବନେଶ୍ୱରର ସହଯୋଗ ତଥା ସଂସ୍କୃତି ବିଭାଗର ପ୍ରୋତ୍ସାହନରେ ଓଡ଼ିଶୀ ସଙ୍ଗୀତର ସ୍ୱତନ୍ତ୍ରତା ମୁମ୍ବାଇର ସଙ୍ଗୀତପ୍ରେମୀ ଅନୁଭବ କରିବାର ସୁଯୋଗ ଲାଭ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିଥିଲେ ମାନ୍ୟବର ମନ୍ତ୍ରୀ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ, ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅମରେନ୍ଦ୍ର କୁମାର ପଟ୍ଟନାୟକ । ମୁଖ୍ୟନିର୍ବାହୀ ଡଃ ସଂଗୀତା ଗୋସାଇଁ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ତଥା ଓଡ଼ିଶୀ ସଂଗୀତ ସମ୍ବନ୍ଧରେ ସୂଚନା ଦେଇସାରିବା ପରେ ଗୁରୁ ରାମହରି ଦାସ ଓଡ଼ିଶୀ ସଙ୍ଗୀତର ଇତିହାସ ଏବଂ ତା’ର ସ୍ୱତନ୍ତ୍ରତା ବିଷୟକ ଏକ ପାୱାର୍ପଏଣ୍ଟ ପ୍ରେଜେଣ୍ଟେସନ୍ ସହିତ ଗାୟନ ପ୍ରଦର୍ଶନ କରିଥିଲେ ଏବଂ ପରେ ପରେ ପ୍ରଶ୍ନୋତ୍ତରର କାର୍ଯ୍ୟକ୍ରମ ବେଶ୍ ସନ୍ତୋଷଜନକ ହୋଇଥିଲା । ମାନ୍ୟବର ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଓଡ଼ିଶୀ ସଂଗୀତର ପ୍ରଚାର ପ୍ରସାର ସମ୍ପର୍କରେ ସୂଚନା ଦେବା ସହିତ ଉପସ୍ଥିତ ଦର୍ଶକମାନଙ୍କୁ ଧନ୍ୟବାଦ ଜ୍ଞାପନ କରଥିଲେ ।

ପରେ ପରେ ଡଃ ସଂଗୀତା ଗୋସାଇଁ, କେଶବ ଚନ୍ଦ୍ର ରାଉତ, ରୂପକ କୁମାର ପରିଡ଼ା ଏବଂ ଲକ୍ଷ୍ମୀପ୍ରିୟା ନାୟକ ଓଡ଼ିଶୀ ସଂଗୀତର ସମସ୍ତ ବିଭବ, ରାଗାଙ୍ଗ, ଭାବାଙ୍ଗ, ନାଟ୍ୟାଙ୍ଗ, ଗୀତଗୋବିନ୍ଦ, ଚମ୍ପୂ ଓ ଛାନ୍ଦ ପରିବେଷଣ କରିଥିଲେ । ଓଡ଼ିଶୀ ସଙ୍ଗୀତର ସାବଲୀଳତା ଏବଂ ମାଧୁର୍ଯ୍ୟ ଓ ପାରମ୍ପରିକତା ଉପସ୍ଥିତ ଦର୍ଶକମାନଙ୍କୁ ଆନମନା କରିଥିଲା ।  ଏହାଛଡ଼ା ଶ୍ରୀ ଶ୍ରୀନିବାସ ଶତପଥୀ ଏବଂ ଶ୍ରୀ ସ୍ୱପ୍ନେଶ୍ୱର ଚକ୍ରବର୍ତ୍ତୀଙ୍କର ବଂଶୀ ଏବଂ ସୀତାରର ଯୁଗଳବନ୍ଦୀରେ ଓଡ଼ିଶୀ ଶୈଳୀକୁ ଅତି ସୁନ୍ଦର ଭାବରେ ଶ୍ରୋତାଙ୍କ ପାଖରେ ପହଞ୍ଚାଇ ପାରିଥିଲେ । ଗୁରୁ ଶ୍ରୀ ଧନେଶ୍ୱର ସ୍ୱାଇଁ ଏବଂ ଗୁରୁ ଶ୍ରୀ ସଚ୍ଚିଦାନନ୍ଦ ଦାସଙ୍କର ମର୍ଦ୍ଧଳ ବାଦନର ବେଶ୍ ଚର୍ଚ୍ଚା ହୋଇଥିଲା । ମୁମ୍ବାଇରେ ରହୁଥିବା ବହୁ ଓଡ଼ିଆ ରସିକ ଦର୍ଶକ ତଥା ଅନ୍ୟ ଭାଷାଭାଷୀ ସଙ୍ଗୀତପ୍ରେମୀ ଏହିଭଳି କାର୍ଯ୍ୟକ୍ରମ ବାରମ୍ବାର ପ୍ରସ୍ତୁତ କରିବାପାଇଁ ଅନୁରୋଧ କରିଥିଲେ।

ଓଡ଼ିଶୀ ସଙ୍ଗୀତର ପ୍ରଚାର ପ୍ରସାର ତଥା ତାହାର ସ୍ୱତନ୍ତ୍ରତା ପ୍ରତିପାଦିତ କରିବାର ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମର ଯୋଜନା କରାଯାଇଛି। ଶେଷରେ ମୁଖ୍ୟ ନିର୍ବାହୀ ଏହିଭଳି କାର୍ଯ୍ୟକ୍ରମ ଆଗକୁ ଆହୁରି ପ୍ରସ୍ତୁତ କରିବାପାଇଁ ପ୍ରତିଶ୍ରୁତି ଦେଇ ଧନ୍ୟବାଦ ଅର୍ପଣ କରିଥିଲେ ।

More Photographs

Leave a Reply

Your email address will not be published. Required fields are marked *

*