ଜାତୀୟ ମିଡିଆ ଆଲୋଚନାଚକ୍ରରେ ବିଭିନ୍ନ ବକ୍ତାଙ୍କ ମତ

ଭୁବନେଶ୍ୱର, ୪।୫।୨୦୧୭ (ଓଡ଼ିଶାଲାଇଭ୍‌ ବ୍ୟୁରୋ): ସମାଜର ବୃହତ୍ତର ସ୍ୱାର୍ଥ ପାଇଁ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି ଏବଂ ଗଣତନ୍ତ୍ରର ଜାଗ୍ରତ ପ୍ରହରୀଭାବରେ ଏହା ନିଜର କାର୍ଯ୍ୟ କରିଯିବା ଦରକାର। ଯେଉଁମାନେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ପଛରେ ପଡିଛନ୍ତି, ସେମାନଙ୍କ ପାଇଁ ମିଡିଆର ସ୍ୱତନ୍ତ୍ର ଦାୟିତ୍ୱ ରହିଛି ବୋଲି କହିଛନ୍ତି ରାଜ୍ୟ ସୂଚନା କମିଶନର ଶଶିପ୍ରଭା ବିନ୍ଧାଣୀ କହିଛନ୍ତି। କିଟ୍‌ଠାରେ ଇନ୍‌ଷ୍ଟିଟ୍ୟୁଟ ଅଫ ମିଡିଆ ଷ୍ଟଡିଜ୍‍, ଟିମ୍‍ ଆଡ୍‌ମାର୍କ୍‌ ଏବଂ ଓଡ଼ିଶାଲାଇଭ୍‍ ପକ୍ଷରୁ ଅନୁଷ୍ଠିତ ଦୁଇଦିନିଆ ଆଲୋଚନାଚକ୍ରରେ ଉଭୟ ପାରମ୍ପରିକ ଓ ନୂଆ ଗଣମାଧ୍ୟମ କିଭଳି ସମାଜ ଉପରେ ପ୍ରଭାବ ପକାଉଛି, ତା’ର ବିସ୍ତୃତ ଆଲୋଚନା ହୋ‍ଇଥିଲା। ଉଦ୍‌ଯାପନୀ ଉତ୍ସବରେ ଅନ୍ୟତମ ଅତିଥିବାବେ ଯୋଗଦେଇ ନିତିଦିନର ସମ୍ପାଦକ ସମ୍ପଦ ମହାପାତ୍ର କହିଲେ ଯେ “ଗଣମାଧ୍ୟମର ସ୍ୱାଧିନତା ଏକ କଠିନ ଶବ୍ଦ ଏବଂ ଯେଉଁମାନେ ଖବରକାଗଜରେ କାମ କରନ୍ତି ସେମାନଙ୍କ ପାଇଁ ଖବର ପରିବେଷଣରେ ନିରପେକ୍ଷତା ବଜାୟ ରଖିବା ଏତେ ସହଜ ନୁହେଁ।” ଅନ୍ୟତମ ଅତିଥିଭାବେ ଯୋଗ ଦେଇଥିଲେ ଟିମ୍‌ ଆଡ୍‌ମାର୍କ୍‌ର ପ୍ରତିଷ୍ଠାତା ନିଶିକାନ୍ତ ମିଶ୍ର। ବୁଧବାରଠାରୁ ଆରମ୍ଭ ହୋ‌ଇଥିବା ଏହି ମିଡିଆ କନକ୍ଲେଭ୍‍ ଆଜି ଅପରାହ୍ନରେ ଶେଷ ହୋ‍ଇଛି।

ଉଦ୍‌ଯାପନୀ ଉତ୍ସବ ପୂର୍ବରୁ ଅନୁଷ୍ଠିତ ଅଧିବେଶନରେ ମିଡିଆ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋଚନା ହୋ‍ଇଥିଲା। ଏଥିରେ  ଯୋଗଦେଇ ବିଶିଷ୍ଟ ଟିଭି ସାମ୍ବାଦିକ ଓ କୋଲକାତା ପ୍ରେସକ୍ଲବ୍‍ ସଭାପତି ସ୍ନେହାଶିଷ ସୁର କହିଲେ ଯେ “ସମ୍ବିଧାନର ଧାରା ୧୯ (୧) ଅନୁସାରେ ଯେଉଁ ବାକ୍‌ ସ୍ୱାଧିନତା ଦିଆଯାଇଛି, ସେଥିରେ ପ୍ରେସ୍‌ ସ୍ୱାଧିନତା ଓ ଜାଣିବାର ଅଧିକାର ଉଣାଅଧିକେ ଉଲ୍ଲେଖ ରହିଛି। ତେବେ ଗଣମାଧ୍ୟମ ତା’ର କାର୍ଯ୍ୟ ସମ୍ପାଦନ କରିବା ବେଳେ ଗୋପନୀୟତା ପ୍ରତି ମଧ୍ୟ ଦୃଷ୍ଟି ଦେବା ଦରକାର। ସମାଜର ସ୍ୱାର୍ଥ ପାଇଁ ମିଡିଆ ସଂଯମ ଆଚରଣ କରିବା ବି ଦରକାର।”

ଏହି ଦୁଇଦିନିଆ ଆଲୋଚନାଚକ୍ରରେ ଦେଶର ବିଭିନ୍ନ ରାଜ୍ୟ ଯଥା ଆସାମ, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ହରିଆଣା, କର୍ଣ୍ଣାଟକ, କେରଳ, ଓଡ଼ିଶା, ପଞ୍ଜାବ, ତାମିଲନାଡୁ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗର ବିଶ୍ୱବିଦ୍ୟାଳୟରୁ ପ୍ରାୟ ୫୦ ଅଧ୍ୟାପକ, ଗବେଷକ ଓ ମିଡିଆ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ଯୋଗ ଦେଇଥିଲେ। ୬ଟି ଅଧିବେଶନରେ ଗଣମାଧ୍ୟମର ବିଭିନ୍ନ ଦିଗ ସମ୍ପର୍କରେ ସନ୍ଦର୍ଭମାନ ଉପସ୍ଥାପନ କରାଯାଇଥିଲା। ଉଦ୍‌ଯାପନୀ ଉତ୍ସବରେ ଆଇଏମ୍‌ଏସ୍‌ର ପ୍ରତିଷ୍ଠାତା ପ୍ରୋଫେସର ଉପେନ୍ଦ୍ର ପାଢି ସ୍ୱାଗତ ଭାଷଣ ଦେଇଥିବା ବେଳେ  ଓଡିଶାଲାଇଭ୍‌ର ସିଇଓ ନୀଳାମ୍ବର ରଥ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *

*