ଭୁବନେଶ୍ୱର, ୮/୮/୨୦୧୭ (ଓଡ଼ିଶାଲାଇଭ୍‌ ବ୍ୟୁରୋ): ଫିଲ୍ମ-ମେକିଂ ହେଉ ବା ଡିଜାଇନିଂ କିମ୍ବା ଅଭିନୟ, କ୍ରିଏଟିଭ୍ କ୍ୟାରିଅର ପାଇଁ ଆବଶ୍ୟକ ଶିକ୍ଷା ଓ ତାଲିମ କ୍ଷେତ୍ରରେ ଆଜି ଆଉ ଏଠିସେଠି ଖୋଜିବାର ଆବଶ୍ୟକତା ନାହିଁ। ପୃଥିବୀର ସବୁଠାରୁ ବଡ଼ ସମନ୍ୱିତ ଫିଲ୍ମ ଷ୍ଟୁଡିଓ, ହାଇଦ୍ରାବାଦସ୍ଥିତ ରାମୋଜି ଫିଲ୍ମ ସିଟିରେ ଏବେ ଏଥିପାଇଁ ସୃଷ୍ଟି ହୋଇଛି ନୂଆଯୁଗର ଏକ ନୂଆ ଅନୁଷ୍ଠାନ – ‘ରାମୋଜି କ୍ରିଆନ୍ ୟୁନିଭର୍ସ୍’ (ଆରକେୟୁ)।

ରାମୋଜି ଫିଲ୍ମସିଟି ଏବଂ କ୍ରିଆନ୍ ମିଡିଆ ଲିମିଟେଡର ମିଳିତ ଆନୁକୂଲ୍ୟରେ ଗଢ଼ି ଉଠିଥିବା ଏହି ପ୍ରସ୍ତାବିତ ଘରୋଇ ବିଶ୍ୱବିଦ୍ୟାଳୟ ଏଥିପାଇଁ ଆବଶ୍ୟକ ପାଠ୍ୟକ୍ରମ ତଥା ବିଶ୍ୱସ୍ତରୀୟ ଭିତ୍ତିଭୂମି ସୃଷ୍ଟି କରିଛନ୍ତି। ଚଳଚ୍ଚିତ୍ର ନିର୍ମାଣ ଏବଂ ଟେଲିଭିଜନ କ୍ଷେତ୍ରରେ ଦେଶର ଆଗଧାଡ଼ିର ମିଡିଆ ଅନୁଷ୍ଠାନ ଭାବେ ପରିଚିତ ‘ରାମୋଜି ଗ୍ରୁପ୍’ ଏହାର ପୃଷ୍ଠଭୂମିରେ ରହିଥିବା ବେଳେ ‘ରାମୋଜି କ୍ରିଆନ୍ ୟୁନିଭର୍ସ୍’ ସହ ଦେଶର ନାମୀ ଶିକ୍ଷାବିତ୍ ଏବଂ ଚଳଚ୍ଚିତ୍ର, ମିଡିଆ ତଥା କଳଜଗତର ଜଣାଶୁଣା ବ୍ୟକ୍ତିତ୍ୱମାନେ ଯୋଡ଼ି ହୋଇଛନ୍ତି।

ମିଡିଆ, ଡିଜାଇନ୍, କଳା ଏବଂ ସିନେମା ଏସବୁ ଆମ ସମୟର ଆକର୍ଷଣୀୟ କ୍ରିଏଟିଭ କ୍ୟାରିଅରର ଗୋଟିଏ ଗୋଟିଏ ଦିଗ ‘ରାମୋଜି କ୍ରିଆନ୍ ୟୁନିଭର୍ସ’ରେ ଏସବୁ କ୍ଷେତ୍ରରେ ଦକ୍ଷ ପେସାଦାର ତିଆରି କରିବା ପାଇଁ ଆମେ କ୍ଲାସରୁମ୍ ପାଠ୍ୟକ୍ରମ ସହ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ବା ଅଭ୍ୟାସ ଉପରେ ବିଶେଷ ଜୋର ଦେଉଛୁ। ତେଣୁ ଏଠାରୁ ତାଲିମ୍ ନେଇ ଯେଉଁ ଯୁବପିଢି ଆଗାମୀ ଦିନରେ ଇଣ୍ଡଷ୍ଟ୍ରିରେ ଯୋଗଦେବେ, ସେମାନେ ନିଶ୍ଚିତ ଭାବରେ ନିଜ ନିଜ କ୍ଷେତ୍ରରେ ନିଜର ଦକ୍ଷତା ଓ ଭିନ୍ନତା ପ୍ରଦର୍ଶନ କରିବେ, ମଙ୍ଗଳବାର ଦିନ ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଆରକେୟୁର ନିର୍ଦ୍ଦେଶକ ପ୍ରଫେସର ଉଜ୍ଜ୍ୱଳ ଚୌଧୁରୀ।

‘ରାମୋଜି କ୍ରିଆନ୍ ୟୁନିଭର୍ସ୍’ ପକ୍ଷରୁ ମିଡିଆ, ଡିଜାଇନ୍, ଆର୍ଟ ଓ ମ୍ୟାନେଜମେଂଟ୍, ଆନିମେସନ, ଫିଲ୍ମ ମେକିଂ, କଣ୍ଟେଣ୍ଟ ରାଇଟିଂ, ଭିଜୁଆଲ ଇଫେକ୍ଟ, କର୍ପୋରେଟ୍ କମ୍ୟୁନିକେସନ, ଇଭେଣ୍ଟ ମ୍ୟାନେଜମେଂଟ୍, ଆକ୍ଟିଂ, ପ୍ରଡକ୍ସନ ମ୍ୟାନେଜମେଂଟ୍ ଏବଂ ଆଡଭର୍ଟାଇଜିଂ ଭଳି ୪୦ଟି ବିଷୟରେ ପିଜି ଡିପ୍ଲୋମା ପାଠ୍ୟକ୍ରମ ଚଳିତ ବର୍ଷଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଶିଳ୍ପଭିତ୍ତିକ ପାଠ୍ୟକ୍ରମର ସମୟସୀମା ୧ ବର୍ଷ ରହିଥିବା ବେଳେ ଏଥିରେ ଛାତ୍ରଛାତ୍ରୀମାନଙ୍କ ପାଇଁ ବାଧ୍ୟତାମୂଳକ ଇଂଟର୍ଣ୍ଣସିପର ବ୍ୟବସ୍ଥା ରହିଛି। ଏହି ପିଜି ଡିପ୍ଲୋମା ପାଠ୍ୟକ୍ରମ ଶେଷ କରିବା ପରେ ଛାତ୍ରଛାତ୍ରୀମାନେ ମଧ୍ୟ ଉଚ୍ଚତର ଶିକ୍ଷା ଓ ତାଲିମ ପାଇଁ ଯଥେଷ୍ଟ ସମ୍ଭାବନା ରହିଛି। ପରିବର୍ତ୍ତିତ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯୁବପିଢିଙ୍କୁ କ୍ରିଏଟିଭ କ୍ୟାରିଅର କ୍ଷେତ୍ରରେ ବିଶେଷ ସଫଳତା ହାସଲ ପାଇଁ ଆରକେୟୁ ସବୁଦିଗରୁ ପ୍ରସ୍ତୁତ ରହିଛି ବୋଲି ଏହାର ନିର୍ଦ୍ଦେଶକ ପ୍ରଫେସର ଚୌଧୁରୀ କହିଛନ୍ତି।

ଆଜି ଆମ ଦେଶରେ ମିଡିଆ ଜଗତ ସହ ଡିଜାଇନ ଏବଂ ଏଂଟରଟେନମେଂଟ୍ ତଥା ଡିଜିଟାଲ ଦୁନିଆ ଯୁବପିଢିଙ୍କ ପାଇଁ କ୍ୟାରିଅରର ନୂଆ ସମ୍ଭାବନା ସୃଷ୍ଟି କରିଛି। ଏହି କ୍ଷେତ୍ରରେ ନିଜର ସ୍ୱପ୍ନ ସାକାର କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ‘ରାମୋଜି କ୍ରିଆନ୍ ୟୁନିଭର୍ସ୍’ ଏକ ସମୟୋପଯୋଗୀ ପାଠ୍ୟକ୍ରମ ସହ ସବୁପ୍ରକାର ସୁବିଧା ଉପଲବ୍ଧ କରିଛି, ବୋଲି କହିଛନ୍ତି ଆରକେୟୁର ଆସୋସିଏଟ ପ୍ରଫେସର ଡକ୍ଟର କୌଶିକ ଦତ୍ତ ଶର୍ମା।

ରାମୋଜି ଫିଲ୍ମ ସିଟି ‘ରାମୋଜି କ୍ରିଆନ୍ ୟୁନିଭର୍ସ୍’କୁ ଦେଇଛି ଏକ ପରିବେଶ ଅନୁକୂଳ ବାତାବରଣ। ତେଣୁ ଶିକ୍ଷା, ତାଲିମ ଓ ଗବେଷଣା ପାଇଁ ଏଠାରେ ରହିଛି ଉପଯୁକ୍ତ ପରିବେଶ। ତା’ ଛଡ଼ା ନିର୍ଦ୍ଦିଷ୍ଟ ବିଷୟରେ ଛାତ୍ରଛାତ୍ରୀଙ୍କର ଦକ୍ଷତା ବିକାଶ ପାଇଁ କ୍ଲାସରୁମ ପାଠପଢା ସହ ୱାର୍କସପ, ପ୍ରାକ୍ଟିକାଲ ଏବଂ ଆବଶ୍ୟକ ପ୍ରୋଜେକ୍ଟ ବ୍ୟବସ୍ଥା ମଧ୍ୟ ରହିଛି।

ତା’ ସହିତ ଛାତ୍ରଛାତ୍ରୀଙ୍କ ଇଂଟର୍ଣ୍ଣସିପ ପ୍ରୋଗ୍ରାମ ଏବଂ ନିଯୁକ୍ତି ପାଇଁ ଦେଶର ବହୁ ନାମୀ ମିଡିଆ ଅନୁଷ୍ଠାନ ସହ ଆରକେୟୁର ଟାଏ-ଅପ୍ ରହିଥିବାରୁ ଏହା ସେମାନଙ୍କ ପାଇଁ ବେଶ୍ ଫଳପ୍ରଦ ହେବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *

*