– ସତ୍ୟବ୍ରତ ପାଢ଼ୀ

ପ୍ରତିଭା ନାସ୍ତି ଯଶ କାଙ୍ଗାଳଙ୍କ କରିସ୍ମା

ଆମ ରାଜ୍ୟ ଓଡ଼ିଶା କଳା-ସଂସ୍କୃତି ପାଇଁ ସାରା ବିଶ୍ୱରେ ବେଶ୍‌ ଜଣାଶୁଣା। ଏଠାକାର କଳା ସଂସ୍କୃତି, ଐତିହ୍ୟ ଓ ପରମ୍ପରା ଅତି ପ୍ରାଚୀନ। ଓଡ଼ିଶାର ଗରିମାମୟ ଇତିହାସକୁ କେହି କେବେ ଅସ୍ୱୀକାର କରିପାରିବେ ନାହିଁ। ବିଗତ ପଚାଶ ବର୍ଷ ତଳେ ଏହି ଓଡ଼ିଶା ମାଟିରେ କଳା ଓ କଳାକାରମାନଙ୍କର ଚାହିଦା ଯେପରି ଭାବରେ ଥିଲା ବର୍ତ୍ତମାନ ମଧ୍ୟ ସେପରି ଭାବରେ ରହିଛି। ବରଂ ଅନେକ କ୍ଷେତ୍ରରେ ତାହା ଅଧିକ ପରିମାଣରେ ବୃଦ୍ଧି ପାଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଭକ୍ତ ସାଲବେଗ, ଜୟଦେବ, ସନ୍ଥ କବି ଭୀମ ଭୋଇ, ଦୀନକୃଷ୍ଣ ଓ ବନମାଳିଙ୍କ ଭଳି ଭକ୍ତକବିମାନେ ଭକ୍ତି ସଂଗୀତ ରଚନା କରି ଯେତିକି ଭଗବତ୍‌ କୃପା ଲାଭ କରିଥିଲେ,  ତା’କୁ ଗାନ କରି ଓ ଶ୍ରବଣ କରି ଅନ୍ୟମାନେ ମଧ୍ୟ ନିଜ ହୃଦୟରେ ସେତିକି ଭକ୍ତିଭାବ ଜାଗରିତ କରିପାରୁଥଲେ ଏବଂ କୃତାର୍ଥ ମନେ କରୁଥିଲେ। ଭଜନ, ଜଣାଣ ରଚନା ଓ ଗାୟନ କରିବା ପଛରେ ତାଙ୍କର ଅର୍ଥଲାଳସା କିମ୍ବା ଲୋକପ୍ରିୟତା ଅର୍ଜ୍ଜନ କରିବା ଲାଳସା ଆଦୌ ନଥଲା। ତେଣୁ ସେମାନେ ତା ଭିତରେ ଅଶ୍ଳୀଳ ଓ ଦ୍ୱିଅର୍ଥବୋଧକ ଶବ୍ଦକୁ ସ୍ଥାନ ଦେଇନଥିଲେ।

କଳାକାର, ଗୀତିକାର ଓ ସାହିତ୍ୟିକମାନେ ବି ଦିନେ ସମାଜରେ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ପରି ମାନ୍ୟତା ପାଇ ଆସୁଥଲେ। କିନ୍ତୁ ବର୍ତ୍ତମାନ ସଙ୍ଗୀତ କ୍ଷେତ୍ରରେ ଯେଉଁ ଅଧୋଗତି ଘଟିବାର ଲାଗିଛି, ତାକୁ କିଛି ବୁଦ୍ଧିଜୀବୀ ବିରୋଧ କଲେ ବି, ବ୍ୟବସାୟୀ ଗୋଷ୍ଠୀ ଓ ଯୁବପିଢ଼ି ଆଦୌ ମାନିବାକୁ ପ୍ରସ୍ତୁତ ନୁହଁନ୍ତି। ଶସ୍ତା, ଅଶାଳୀନ ସଂଗୀତଗୁଡ଼ିକ ଏବେ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଗ୍ରାସକରିବାରେ ଲାଗିଲାଣି। ଏହାର ପ୍ରଭାବରେ ସମାଜରେ ନାନା ପ୍ରକାର ବିଶୃଙ୍ଖଳିତ ପରିସ୍ଥିତିମାନ ସବୁ ଦୃଷ୍ଟିଗୋଚର ହେଉଛି। ଯୁବପିଢ଼ିଙ୍କ ମନରୁ ଭୟ, ଭକ୍ତି, ଶିଷ୍ଟାଚାର ସମ୍ପୂର୍ଣ୍ଣ ଭାବରେ ଲୋପ ପାଇବାକୁ ଲାଗିଲାଣି। ଭକ୍ତି ସଂଗୀତଗୁଡ଼ିକରେ ଆଉ ମୂଳ ଭାବ ପରିଲକ୍ଷିତ ହେଉ ନାହିଁ।

ସଂପ୍ରତି ଅଶ୍ଳୀଳ ଓ ଦ୍ୱିଅର୍ଥବୋଧକ ଭକ୍ତି ସଂଗୀତ ଓ ଲଘୁ ସଂଗୀତମାନ ରଚନା କରି ଓ ଗାୟନ କରି କେତେକ କବି ଓ ସଂଗୀତଜ୍ଞ ରାତାରାତି ପ୍ରତିଷ୍ଠିତ ବା ଲକ୍ଷପତି ହେବାର ଆଶା ରଖୁଛନ୍ତି। ଏଣୁ ଅଶ୍ଳୀଳତାକୁ ସେମାନେ ଘୃଣା ନକରି ବରଂ ଉତ୍ସାହିତ ହେବାରେ ଲାଗୁଛନ୍ତି। ବିଭିନ୍ନ ଦେବାଦେବୀ ଏବଂ ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ମଧ୍ୟ ଅନେକ ଦ୍ୱିଅର୍ଥବୋଧକ ଭଜନ ସୃଷ୍ଟି କରିବାରେ ଲାଗିଲେଣି, ଯାହାର ଅନେକ ଉଦାହରଣ ଆମେ ପୂର୍ବରୁ ଦେଖି ଆସୁଛନ୍ତି। ଅନ୍ୟାନ୍ୟ ଆଧୁନିକ ଓ ଲଘୁସଂଗୀତର ଅବସ୍ଥା ମଧ୍ୟ ସେଇଆ। ଅଧିକାଂଶ ଗୀତ ଦ୍ୱିଅର୍ଥବୋଧକ ଓ ଅନ୍ତଃସାରଶୂନ୍ୟ। ଏହା ସମାଜରେ ଅତ୍ୟନ୍ତ ଲଜାକର ପରିସ୍ଥିତି ସୃଷ୍ଟି କରୁଛି। ଆଜିକାଲିର ଅନେକ ଭକ୍ତି ସଂଗୀତରେ ଭକ୍ତିଭାବ ନାହିଁ କି ଲଘୁ ସଂଗୀତଗୁଡ଼ିକରେ ମାଦକତା ନାହିଁ। ସବୁ କେବଳ ଇଙ୍ଗିତପୂର୍ଣ୍ଣ ଓ ଅଶ୍ଳୀଳ ଶବ୍ଦରେ ଭରପୂର। ଶସ୍ତା, ଲୋକପ୍ରିୟ ଓ ଅଶ୍ଳୀଳ ଦ୍ୱିଅର୍ଥବୋଧକ ଗୀତଗୁଡ଼ିକ ଏବେ ସମାଜକୁ କ୍ରମଶଃ ବିଶୃଙ୍ଖଳିତ ପରିସ୍ଥିତି ଆଡ଼କୁ ଟାଣି ନେବାରେ ଲାଗିଛି।

ସବୁଠାରୁ ବଡ଼କଥା ହେଉଛି ଏସବୁ ଶସ୍ତା ଓ ଚାଲୁ ଗୀତଗୁଡ଼ିକ ଚପଳମତି ପୁଅଝିଅମାନଙ୍କୁ ବେଶ୍‍ ପ୍ରଭାବିତ କରୁଛି। ନିଜ ଜ୍ଞାନ ଓ ଅଭିଜ୍ଞତା ବିକଶିତ କରିବା ବୟସରେ ହିଁ ସେମାନେ କୁପଥଗାମୀ ହେବାରେ ଲାଗିଛନ୍ତି। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନୋନିବେଶ ନକରି ପ୍ରାୟ ଅଶ୍ଳୀଳ ଆଲବମ୍‌ ଗୀତରେ ବାୟା। ଯୁବପିଢ଼ିମାନେ ସହଜରେ ଚଞ୍ଚଳମନା, ସେମାନଙ୍କ ମନ ବେଗଗାମୀ ଅଶ୍ୱ ସଦୃଶ। ସେମାନଙ୍କୁ ଏହି ଗୀତଗୁଡ଼ିକ ‘କଙ୍କଡ଼ାକୁ ଗୋଳିଆ ପାଣି ସୁହାଇବା’ ପରି ପରିସ୍ଥିତି ସୃଷ୍ଟିକରୁଛି।

କିଛି ବୁଦ୍ଧିଜୀବୀ ଏହାକୁ  ବିରୋଧ କରୁଥିବାବେଳେ ଅନ୍ୟ କିଛି ବ୍ୟକ୍ତିବିଶେଷ ଏହାକୁ ଚରମ ଆଧୁନିକତାବାଦର ନମୁନା ଭାବି ଚୁପ୍‌ ରହିବାକୁ ବାଧ୍ୟ ହେଉଛନ୍ତି। ଗୀତିକାର ଓ ଗାୟକମାନେ ସାମାନ୍ୟ କିଛି ଅର୍ଥ ଆଶାରେ ଏବଂ ସମାଜରେ ପ୍ରତିଷ୍ଠିତ ହେବା ନିଶାରେ ଏଭଳି ଗୀତଗୁଡ଼ିକୁ ରଚନା କରିବାକୁ ପଛଘୁଞ୍ଚା ଦେଉନାହାନ୍ତି। ଅନ୍ୟ କିଏ କିଏ ଭାବନ୍ତି ଏହି ଗୀତଗୁଡ଼ିକୁ ଗାଇଦେଲେ ବା ରଚନା କରିଦେଲେ କଣ୍ଠଶିଳ୍ପୀ ଓ ଗୀତିକାର ମାନ୍ୟତା ମିଳିଯିବ। କିନ୍ତୁ ପ୍ରକୃତ ସତ୍ୟ ଏହିକି ଯେ ‘ପ୍ରତିଭା ନାସ୍ତି ଯଶକାଙ୍ଗାଳ’ ନ୍ୟାୟରେ ସମସ୍ତେ ସ୍ୱକୀୟ ପରିଚିତି ପାଇଁ  ତତ୍ପର। ସନ୍ଥକବି ଭୀମଭୋଇଙ୍କ ଭଳି ଆଦର୍ଶ ବ୍ୟକ୍ତି ହେବାକୁ କେହି ବି ଚାହୁଁନାହାନ୍ତି। କିଏ କାହିଁକି ‘ନିଜ ଜୀବନକୁ ନର୍କରେ ପକାଇ ଜଗତ ଉଦ୍ଧାର କରିବ’ କିମ୍ବା ଗୋପବନ୍ଧୁଙ୍କ ଭଳି ବ୍ୟକ୍ତି ନାହାନ୍ତି ଯିଏ କି କହିବ ‘ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ।’

ବର୍ତ୍ତମାନର ଯୁଗ ହେଉଛି ଡିଜିଟାଲ ଏବଂ ସୋସିଆଲ ମିଡ଼ିଆର ଯୁଗରେ ଏବଂ ଆଜିକାଲିର ଯୁବପିଢ଼ି ଏହି କ୍ଷେତ୍ରରେ ବେଶ୍‌ ଆଗରେ! ସମଗ୍ର ବିଶ୍ୱକୁ ସେମାନେ ଆଖି ପଲକରେ ଦେଖିବାକୁ ଚାହାଁନ୍ତି। କିନ୍ତୁ ବିଡ଼ମ୍ବନାର ବିଷୟ ଏହିକି ଯେ ସୋସିଆଲ ମିଡିଆ, ୟୁଟ୍ୟୁବ୍‌ରେ ଆଜି ରାଶି ରାଶି ଅଶ୍ଳୀଳ ଭିଡିଓ ଓ ସଙ୍ଗୀତ ଶୁଣିବାକୁ ବା ଦେଖିବାକୁ ମିଳୁଛି ଏହାକୁ କିପରି ଭାବରେ ଭବିଷ୍ୟତରେ ଏଡ଼ାଇ ଦିଆଯାଇପାରିବ ତାହା ପ୍ରତି ସମସ୍ତେ ସଚେତନ ହେବା ନିହାତି ଜରୁରୀ। ୟୁଟ୍ୟୁବ୍‌ରେ ବି ଭଲ ଗୀତର ସଂଖ୍ୟା କମ୍‌ ନୁହଁ। ହେଲେ ଏହି ଭଲ ଗୀତଗୁଡ଼ିକୁ କିପରି ପ୍ରଚାର ପ୍ରସାର କରାଯାଇପାରିବ ସେଥି ପ୍ରତି ମଧ୍ୟ ସଚେତନତା ବୃଦ୍ଧି କରିବା ନିତାନ୍ତ ଜରୁରୀ।

କବି ପାରିଜାତ ବିଶ୍ୱନାଥ ରଥଙ୍କ ଭାଷାରେ:

ସଂଗୀତ ହୁଏନି ବନ୍ଧୁ

ପଦସଂଗେ ମିଶିଗଲେ ପଦ।

ସଂଗୀତ ହୁଏନି ବନ୍ଧୁ

ସୁରଧରି ଗାଇଦେଲେ ଛନ୍ଦ।।

ସଂଗୀତ ପ୍ରାଣର ଧର୍ମ

ହୃଦୟର ବିଦଗ୍ଧ ମମତା।

ଶୋକର ସଜ୍ଜଳ ଶ୍ଳୋକ

ବେଦନାର ବିପ୍ଳବର କଥା।।

ଅପିହା ହିଆର ରକ୍ତେ

ଗୋଲାପସେ ଲାଲହିଲା ପରି।

ସଂଗୀତ ଜୀବନ୍ତ ହୁଏ

ପ୍ରେରଣାର ରସ ଉତ୍ସ ଧରି­।।

(ରିପୋର୍ଟର, ଓଡ଼ିଶାଲାଇଭ୍‍)

Leave a Reply

Your email address will not be published. Required fields are marked *

*