dsc_0188ଭୁବନେଶ୍ୱର, ୧୧ ସେପ୍ଟେମ୍ବର ୨୦୧୬ (ଓଡ଼ିଶାଲାଇଭ୍‌ ବ୍ୟୁରୋ): ବରିଷ୍ଠ ସାହିତ୍ୟିକ ପଦ୍ମଭୂଷଣ ରମାକାନ୍ତ ରଥଙ୍କ ରଚିତ ମୂଳ କବିତା ଉପରେ ଆଧାରିତ ନାଟକ ’ଚନ୍ଦ୍ରମାର ଚୁଡି’ ରବୀନ୍ଦ୍ର ମଣ୍ଡପଠାରେ ପରିବେଷିତ ହୋ‌ଇଯାଇଛି। ଏହା ପୂର୍ବରୁ ଏହି ନାଟକ ରାଜ୍ୟ ତଥା ରାଜ୍ୟ ବାହାରେ ଚାରୋଟି ସ୍ଥାନରେ ମଞ୍ଚସ୍ଥ ହୋ‌ଇସାରିଛି।

କବିତାର ମୁଖ୍ୟ ନାୟିକା ’ଚନ୍ଦ୍ରା ବେହେରାଣୀ’ ସ୍ୱାମୀଙ୍କର ମୃତ୍ୟୁ ପରେ ବିବଶ ହୋ‌ଇ ନିଜର ପେଟର ଭୋକ ସହିନପାରି ବେଶ୍ୟାବୃତ୍ତି କରିବାକୁ ବାଧ୍ୟ ହୋ‌ଇଛି, କିନ୍ତୁ ତାର ସ୍ୱାମୀ ପ୍ରତି ଭଲପାଇବା ସେମିତି ପୂର୍ବ ପରି ଅତୁଟ ରହିଛି। ପ୍ରତିଦିନ ସଧବାର ସନ୍ତକ ଚୁଡିକୁ ନିଲାମ କରିବା ପରେ ବି ଚନ୍ଦ୍ରମା ଭିତରେ ସ୍ୱାମୀ ସୌହାଗିନୀ ଚନ୍ଦ୍ରା ବେହେରାଣି ଜିଇଁ ରହିଛି।

ଓଡ଼ିଶା ନାଟ୍ୟସଂଘ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ସହଯୋଗରେ ଏହି ନାଟକଟିକୁ କ୍ୟାନ୍‌ମାସ୍‌ ପାରାଦ୍ୱୀପର ୧୪ ଜଣ କଳାକାର dsc_0161_new ମଞ୍ଚସ୍ଥ କରିଥିଲେ। ଏହି ନାଟକର ମଞ୍ଚ ପରିକଳ୍ପନା ଓ ନିର୍ଦ୍ଦେଶନା ଦେଇଛନ୍ତି ଶ୍ରୀମନ୍‌ ନାରାୟଣ ମିଶ୍ର। ରବିନ୍ଦ୍ର ମଣ୍ଡପ ମଞ୍ଚରେ ନାଟକଟି ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିଥିଲା।

କବି ରମାକାନ୍ତ ରଥ ଓଡ଼ିଶାଲାଇଭ୍‌କୁ କହିଛନ୍ତି ଯେ ଦୀର୍ଘ ୫୫ ବର୍ଷ ପୂର୍ବେ ଅର୍ଥାତ୍‌ ଯେତେବେଳେ ରେଭେନ୍ସାରେ ପଢୁଥିଲେ, ସେ ଏହି କବିତାଟିକୁ ରଚନା କରିଥିଲେ। କବିତାର ପ୍ରାସଙ୍ଗିକତା ଆଜି ବି ଆମ ସମାଜରେ ବଞ୍ଚିରହିଛି। କବିତାଟି ନାଟକରେ ମଞ୍ଚସ୍ଥ ହେବ ବୋଲି ସେ କେବେ କବିତା ରଚନା କଲାବେଳେ ଆଶା କରିନଥିଲେ। କଳାକାରମାନେ କବିତାଟିକୁ ଅଭିନୟ ମାଧ୍ୟମରେ ବର୍ଣ୍ଣନା କରିଥିବାରୁ ସେ ବହୁତ ଖୁସି।

ନାଟକଟି ମଞ୍ଚସ୍ଥ ହେବା ପୂର୍ବରୁ କ୍ୟାନ୍‌ମାସ୍‌ ତରଫରୁ କବି ରମାକାନ୍ତ ରଥଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ, ସାହିତ୍ୟିକ ମିହିର ସାହୁ, କବି ରମାକାନ୍ତ ରଥ, ନାଟ୍ୟସଂଘର ସଭାପତି ମନୋଜ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

*