dsc_0161_new

– ନୀଳାମ୍ବର ରଥ

ସାଧାରଣତଃ ଗଳ୍ପ ଓ ଉପନ୍ୟାସକୁ ଆଧାରକରି ନାଟକ ମଞ୍ଚନ ହେବା ଏକ ପାରଂପରିକ ଧାରା। କିନ୍ତୁ ଜଣେ ପ୍ରତିଷ୍ଠିତ କବିଙ୍କର କୌଣସି ଏକ ଲୋକପ୍ରିୟ କବିତାକୁ ଅବିକଳଭାବେ ମଞ୍ଚରେ ଅଭିନୟ ମାଧ୍ୟମରେ ଫୁଟାଇବାକୁ ଚେଷ୍ଟା କରିବା ନିଶ୍ଚିତ ଭାବରେ ଏକ ନୂଆ ପରଂପରା। ଭାରତୀୟ ସାହିତ୍ୟର ଜଣାଶୁଣା କବି ରମାକାନ୍ତ ରଥଙ୍କ କବିତା ’ଚନ୍ଦ୍ରମାର ଚୁଡି’କୁ ନିକଟରେ ଭୁବନେଶ୍ୱରସ୍ଥିତ ରବୀନ୍ଦ୍ର ମଣ୍ଡପରେ ଦେଖିବା ପରେ ମନେହେଲା ଯେ ଭାଷା ସାହିତ୍ୟକୁ ଲୋକପ୍ରିୟ କରିବାକୁ ହେଲେ ଏହାର ବିଭିନ୍ନ ଉପାଦାନ (ଯେପରି କବିତା, ଗଳ୍ପ, ଉପନ୍ୟାସ, ନାଟକ) ମଧ୍ୟରେ ଅଧିକ ସମନ୍ୱୟ ଏବଂ ସମୟୋପଯୋଗୀ ପରୀକ୍ଷା ନିରୀକ୍ଷା ହେବା ଦରକାର।

’ଚନ୍ଦ୍ରମାର ଚୁଡି’ ଆଜିଠାରୁ ପ୍ରାୟ ୫୫ ବର୍ଷ ତଳେ ଲେଖା ହୋ‌ଇଥିଲା। କବି ରମାକାନ୍ତ ଏହି ଲେଖକ ସହ ଏକ ଆଲୋଚନା ବେଳେ ଏହି କବିତାର ଜନ୍ମବୃତ୍ତାନ୍ତ ଉପସ୍ଥାପନ କରିଥିଲେ। ରେଭେନ୍ସା କଲେଜର ଛାତ୍ର ରମାକାନ୍ତ ସେଦିନ ବିଳମ୍ବିତ ସଂଧ୍ୟାରେ ହଷ୍ଟେଲ୍‌କୁ ଫେରିବା ବାଟରେ ରାସ୍ତାଧାରରେ କିଛି ରୂପଜୀବିଙ୍କୁ ଦେଖିଥିଲେ। ହଷ୍ଟେଲ୍‍ ରୁମ୍‌ରେ ପହଞ୍ଚିବା ପରେ ସେହି କଥା ତାଙ୍କ ମନରେ ଯେଉଁ ଉଦ୍‌ବେଗ, ଚାପ ଏବଂ ସର୍ଜନାତ୍ମକ ଚିତ୍ର ଆଙ୍କି ଦେଇଥିଲା, ତା’ର ଚୂଡାନ୍ତ ରୂପରେଖ ଥିଲା ’ଚନ୍ଦ୍ରମାର ଚୁଡି’। ରୂପଜୀବିମାନଙ୍କର ଦୟନୀୟ ଓ କରୁଣ ଜୀବନ କାହାଣୀ ଏହି କବିତାର ମୂଳ କଥା। କବି ରମାକାନ୍ତଙ୍କ ମତରେ ଆଜି ବି ସମାଜରେ ସେହି ଅବସ୍ଥାର ଯେହେତୁ ବିଶେଷ ପରିବର୍ତ୍ତନ ଘଟିନାହିଁ, ତେଣୁ ଏଭଳି ଏକ କବିତାକୁ ମଞ୍ଚରେ ନାଟକର ରୂପ ଦେବା ବେଶ୍‌ ପ୍ରାସଙ୍ଗିକ।

’ଚନ୍ଦ୍ରମାର ଚୁଡି’କୁ ମଞ୍ଚକୁ ଆଣିଛନ୍ତି ରାଜ୍ୟର ଆଗ ଧାଡିର ନାଟ୍ୟ ଅନୁଷ୍ଠାନ ’କ୍ୟାନ୍‌ମାସ୍‍’। ଏହି ନାଟକଟିକୁ ପାରାଦ୍ୱୀପ, ରାଉରକେଲା ଏବଂ କଲିକତାରେ ମଞ୍ଚସ୍ଥ କରିବା ପରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ନିକଟରେ ଉପସ୍ଥାପନ କରାଯାଇଥିଲା। ସେଦିନ ସନ୍ଧ୍ୟାରେ ଭରପୁର ପ୍ରକ୍ଷାଳୟ ଦେଖି ମନେ ହେଉଥିଲା ଯେ କବି ରମାକାନ୍ତ ଏବଂ ଓଡ଼ିଆ ନାଟକ ଉଭୟର ପ୍ରେମୀଙ୍କ ସଂଖ୍ୟା କିଛି କମ୍‌ ନୁହେଁ! ଏହି ଦର୍ଶକମାନଙ୍କ ମଧ୍ୟରେ ଥିଲେ ବୟସ ଓ ବର୍ଗର ନାଟକପ୍ରେମୀ। କ୍ୟାନ୍‌ମାସ୍‌ର ସଂପାଦକ ଶ୍ରୀମନ୍‌ ନାରାୟଣ ମିଶ୍ରଙ୍କ ନାଟ୍ୟ ରୂପାନ୍ତର ଓ ନିର୍ଦ୍ଦେଶନାରେ ’ଚନ୍ଦ୍ରମାର ଚୁଡି’ ଯଦିଓ ଏକ ନୂଆ ରୂପରେ ମଞ୍ଚର ଆଲୋକରେ ପ୍ରତିଫଳିତ ହୋ‌ଇଥିଲା ତେବେ ସବୁଠାରୁ ବଡ କଥା ହେଉଛି ଏଥିରେ ପ୍ରତି ପାଦରେ ରହିଥିଲା ରମାକାନ୍ତଙ୍କ ମୂଳ କବିତା। ଅର୍ଥାତ୍‌ ନିର୍ଦ୍ଦେଶକ ଶ୍ରୀ ମିଶ୍ର କୌଣସି ସଂଳାପକୁ ଆଧାର ନ କରି ମୂଳ କବିତାଟିକୁ ନାଟକର ପାତ୍ରପାତ୍ରୀଙ୍କ ମୁହଁରେ ପ୍ରୟୋଗ କରିଛନ୍ତି। ବିଷୟ ଏକ, କେବଳ ଧାରା ଅଲଗା।

ଚନ୍ଦ୍ରମାର ମୂଳ ପରିଚୟ ହେଉଛି ଚନ୍ଦ୍ରା ବେହେରାଣୀ। ଅସୁସ୍ଥ ସ୍ୱାମୀର ମୃତ୍ୟୁ ପରେ ଜୀବନର ଦାୟରେ ସେ ପାଲଟିଛି ରୂପଜୀବି ଚନ୍ଦ୍ରମା। ଗୋଟିଏ ପଟେ ମୃତ ସ୍ୱାମୀ ପ୍ରତି ଚନ୍ଦ୍ରମାର ଭଲପାଇବା ଓ ସ୍ମୃତି ଏବଂ ଅନ୍ୟପଟେ ପ୍ରତିଦିନ ନୂଆ ନୂଆ ଗ୍ରାହକଙ୍କ ପାଇଁ ନିଜକୁ ପରିବେଷଣ କରିବାର ଆବଶ୍ୟକତା। ତା’ରି ମଝିରେ ପେଷି ହୋ‌ଇଯାଇଛି ଜଣେ ସାଧାରଣ ନାରୀ ଚନ୍ଦ୍ରା ବେହେରାଣୀ ବା ଚନ୍ଦ୍ରମା। ଗୋଟିଏ ପଟେ ବୈଧବ୍ୟ ଓ ଅନ୍ୟପଟେ ଜଣେ ରୂପଜୀବିର ଆଭୂଷଣ – ଏହି ଦୁଇଟି ଜଗତରେ ବଞ୍ଚିବା ପାଇଁ ଚେଷ୍ଟା ଚଳାଇଛି ସେ। ରୂପଜୀବିର ଭୂମିକାରେ ଅତ୍ୟାବଶ୍ୟକ ହେଉଛି ତା’ ଶରୀରର ଆଭୂଷଣ, ମଥାର ସିନ୍ଦୂର ଓ ହାତର ଚୁଡି। ସେହି ଚୁଡି ତାକୁ ମଧ୍ୟ ତା’ର ମୃତ ସ୍ୱାମୀ ସହିତ ପ୍ରତିଦିନ ଯୋଡୁଛି। ଏହି କାହାଣୀକୁ ପାତ୍ରପାତ୍ରୀଙ୍କ ବଳିଷ୍ଠ ଅଭିନୟ, ମଞ୍ଚସଜ୍ଜା ଓ ଆଲୋକ ସଂପାତରେ ଅତି କରୁଣ, ଶାଣିତ ଓ ସଫଳଭାବେ ଦେଖେଇବାକୁ ଚଷ୍ଟା କରିଛନ୍ତି କ୍ୟାନ୍‌ମାସ୍‌ ନିର୍ଦ୍ଦେଶକ ଶ୍ରୀମନ୍‌ ନାରାୟଣ ମିଶ୍ର।

’ଚନ୍ଦ୍ରମାର ଚୁଡି’ ମାଧ୍ୟମରେ ପ୍ରତିଫଳିତ ହୋ‌ଇଛି ସମାଜର ତଥାକଥିତ ମୁରବୀ-ମଣିଷଙ୍କ ଦୋମୁଣ୍ଡିଆ ଚରିତ୍ର। ସ୍ୱାଧୀନ ଓ ସ୍ୱ‌ଇଛାର ଜୀବନ ଜୀ‌ଇଁବାକୁ ଚାହୁଁଥିବା ଜଣେ ଅସହାୟ ନାରୀକୁ ସମାଜ ସହଯୋଗର ହାତ ବଢାଇବା ବଦଳରେ ତାକୁ ଶୋଷଣ କରିବା ଏହି କବିତା ଓ ନାଟକର ମୂଳ କାହାଣୀ।

…ଜୀବନର ଚକ୍ର ଘୂରେ, ଘୂର୍ଣ୍ଣନରେ ପେଷି ହୁଏ ହୃଦୟ ଓ ବିବେକ ଆଦର୍ଶ

ଜିଇଁବାଟା ବୋଧହୁଏ ଜୀବନରେ ସବୁଠାରୁ ସତ,

ତା’ଠାରୁ ସତ ବୋଧେ ଆଦର୍ଶର ହତ୍ୟା ଆଉ ବିବେକର

ମୃତ୍ୟୁର କାହାଣୀ

ସେଥିପାଇଁ ଗ୍ଲାନି କିମ୍ପା? ଏହି ଗ୍ଲାନିର ପରିଣାମ ଖାଲି

ତିଳେ ତିଳେ ଅନ୍ତର୍ଦାହ, ସାବଧାନ ଚନ୍ଦ୍ରା ବେହେରାଣୀ!…

କବି ରମାକାନ୍ତଙ୍କ ଭାଷାରେ ଚନ୍ଦ୍ରମା ହେଉଛି ସମାଜର ଶୋଷିତ ମହିଳାମାନଙ୍କର ଜୀବନ କାହାଣୀର ଗୋଟିଏ ପୃଷ୍ଠା। ଏବଂ ଦୁର୍ଭାଗ୍ୟର କଥା ୫୫ ତଳର ସେହି ଚନ୍ଦ୍ରମା ଆଜି ବି କବିତାରେ ଓ ମଞ୍ଚରେ ମନେହେଉଛି ଏଇ ଯେମିତି ଆମ ପାଖରେ, ଆମ ସମାଜ ଭିତରେ, ଆମ ଭାବନାରେ କେଉଁଟି ବଞ୍ଚିଛି ଓ ପ୍ରତି ମୁହୂର୍ତ୍ତରେ ନିଜର ଜୀବନ ଓ ଶରୀର ଭିତରେ ସାଲିସ୍‍ କରିଚାଲିଛି।

ବୋଧହୁଏ ଏଇଥିପାଇଁ ରମାକାନ୍ତ ରଥଙ୍କ କବିତା ଏବଂ ଶ୍ରୀମନ୍‌ ନାରାୟଣ ମିଶ୍ରଙ୍କ ମଞ୍ଚ ରୂପାୟନ ମନେହେଉଛି ବେଶ୍‌ ସମସାମୟିକ ଓ ବେଦନାଦାୟକ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ଓଡ଼ିଶାଲାଇଭ୍‌ର ପ୍ରତିଷ୍ଠାତା ଓ ସଂପାଦକ | ସମ୍ପର୍କ – rath.nilambar@gmail.com)

 

Leave a Reply

Your email address will not be published. Required fields are marked *

*